ୱାଶିଂଟନ: ୨୦୦୮ ମୁମ୍ବାଇ ଆତଙ୍କୀ ହମଲାର ଅଭିଯୁକ୍ତ ତହବ୍ବୁର ରାଣାର ଭାରତ ଆଣିବା ରାସ୍ତା ସଫା ହୋଇଛି । ୟୁଏସ କୋର୍ଟ ପାକିସ୍ତାନ ମୂଳ ବାସିନ୍ଦା ତଥା କାନାଡା ବ୍ୟବସାୟୀ ତହବ୍ବୁର ରାଣାଙ୍କ ଭାରତ ପ୍ରତ୍ୟାର୍ପଣ କରିବା ବିରୋଧରେ ଆବେଦନକୁ ଗ୍ରହଣ କରିନାହାନ୍ତି । ଯାହାଦ୍ବାରା ତହବ୍ବୁରକୁ ଭାରତ ଆଣିବା ନେଇ ସମ୍ଭାବନା ବୃଦ୍ଧି ପାଇଛି । ତେବେ ତହବ୍ବୁରକୁ ଭାରତ ଫେରାଇ ଆଣିବା ପ୍ରକ୍ରିୟା ବହୁ ଲମ୍ବା ବୋଲି କହିଛନ୍ତି ମୁମ୍ବାଇ ଆତଙ୍କୀ ହମଲାର ସରକାରୀ ଓକିଲ ଉଜ୍ଜ୍ବଳ ନିକମ ।
ଆମେରିକାର ଏକ କୋର୍ଟ ଗୁରୁବାର ଅଭିଯୁକ୍ତ ତହବ୍ବୁରର ହେବିଅସ କର୍ପସ ରିଟକୁ ଖାରଜ କରିଦେଇଛନ୍ତି । ଏହାଦ୍ବାରା ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏବେ ବିନା କୌଣସି ବାଧାରେ ତହବ୍ବୁରକୁ ଭାରତ ପ୍ରତ୍ୟାର୍ପଣ କରିବା ଲାଗି ସାର୍ଟିଫିକେଟ ଜାରି କରିପାରିବେ । ଏନେଇ ମୁମ୍ବାଇ ଆତଙ୍କୀ ହମଲାର ସରକାରୀ ଓକିଲ ଉଜ୍ଜ୍ବଳ କହିଛନ୍ତି, "ଏହା ଭାରତ ପାଇଁ ଏକ ବିରାଟ ସଫଳତା । ମୋତେ ଏହା କହିବାକୁ କୌଣସି ସଙ୍କୋଚବୋଧ ନାହିଁ ଯେ ଭାରତ ଓ ଆମେରିକା ମଧ୍ୟରେ ଭଲ ସମ୍ପର୍କ ଥିବାରୁ ଏହା କେବଳ ସମ୍ଭବ ହୋଇପାରିଛି ।"
ଏହା ବି ପଢନ୍ତୁ- ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ରାଣାର ଜାମିନ ଆବେଦନ ଖାରଜ
ସେ ଆହୁରି କହିଛନ୍ତି ଯେ ମୁମ୍ବାଇ ଉପରେ ହୋଇଥିବା ଆତଙ୍କୀ ହମଲାରେ ଯାହାର ବି ସମ୍ପୃକ୍ତି ରହିଛି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଏବେ ରାଣାର ଆବେଦନ ଖାରଜ ହେବା ପରେ ଆମେରିକା ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ସେ କେବେ ରାଣାକୁ ଭାରତକୁ ହସ୍ତାନ୍ତର କରିବେ । ଏହି ମାମଲାରେ ଏବେ ଉଭୟ ରାଷ୍ଟ୍ରର କୂଟନୈତିକ କାମ କରିବ । ଯେହେତୁ ରାଣାର ଆବେଦନ ଖାରଜ ହୋଇଛି, ତା ନିକଟରେ ଏବେ କୌଣସି ବିକଳ୍ପ ନାହିଁ ।
ତହବ୍ବୁର ରାଣା ପ୍ରଥମ ବ୍ୟକ୍ତି ନୁହେଁ ଯେ ଯିଏକି ୨୬/୧୧ ମାମଲାରେ ଆମେରିକା ଜେଲରେ ସଜା କାଟୁଛି । ଏହା ପୂର୍ବରୁ ଡେଭିଡ ହେଡଲି ମଧ୍ୟ ଆମେରିକା ସରକାରଙ୍କ ଦ୍ବାରା ଗିରଫ ହୋଇଛି । ଆତଙ୍କୀ ହମଲା ମାମଲାର ସରକାରୀ ଓକିଲ ଉଜ୍ଜ୍ବଳଙ୍କ କହିବା ଅନୁସାରେ ରାଣା ପାକିସ୍ତାନର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ଆମରିକାର ନାଗରିକତ୍ବ ଗ୍ରହଣ କରିଛି । ସେ ଆମେରିକାରେ ମଧ୍ୟ ଆତଙ୍କାବାଦୀ କାର୍ଯ୍ୟକଳାପରେ ସାମିଲ ଅଛି । ଆମେରିକା ଜେଲରେ ସଜା କାଟୁଥିବା ଡେଭିଜ ହେଡଲି ତହବ୍ବୁର ଡାହାଣ ହାତ ଥିଲା । ମୁମ୍ବାଇ ଆତଙ୍କୀ ହମଲା ପୂର୍ବରୁ ସେ ସ୍ବପ୍ନର ନଗରୀକୁ ଆସିଥିଲା । ଏହି ସମୟରେ ତହବ୍ବୁର ମଧ୍ୟ ମୁମ୍ବାଇ ଆସିଥିଲା ।