ହାଇଦ୍ରାବାଦ: ଚୀନ-ତାଇଓ୍ବାନ ମଧ୍ୟରେ ଲାଗି ରହିଥିବା ଦୀର୍ଘ ବର୍ଷର ବିବାଦ ପୁଣି ଥରେ ଉତ୍ତେଜନାମୂଳକ ସ୍ଥିତିର ରୂପ ନେଲାଣି । ତାଇଓ୍ବାନ ବିରୋଧରେ ଚୀନ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରି ଆଶଙ୍କା ପୁଣି ଥରେ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ତାଇଓ୍ବାନ ଉପକୂଳକୁ ଘେରି ସାରିଲାଣି ଚୀନ ସେନା । ଚୀନ ବାୟୁସେନାର 26ଟି ଯୁଦ୍ଧ ବିମାନ ଓ 4ଟି ନୌସେନା ଯୁଦ୍ଧପୋତ ତାଇଓ୍ବାନ ଜଳସୀମାକୁ ଚାରିପଟୁ ଘେରି ସାରିଥିବା ସୂଚନା ମିଳିଛି । ଚୀନ ସେନା ତାଇଓ୍ବାନକୁ ଭୟଭୀତ କରି ଚାପ ସୃଷ୍ଟି କରିବା ପାଇଁ ପ୍ରୟାସ କରୁଥିବା ଅନୁମାନ କରାଯାଉଛି ।
କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଚୀନର ଏପରି ଅପରେସନ ପରେ ତାଇଓ୍ବାନ ମଧ୍ୟ ନିଜର ଡିଫେନ୍ସ ସିଷ୍ଟମ ମଧ୍ୟ ସକ୍ରିୟ ରଖିଛି । ଚୀନ ଯଦି ମୁତୟନ କରିଥିବା ଯୁଦ୍ଧ ବିମାନ କିମ୍ବା ଜାହଜରୁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ତାଇଓ୍ବାନ ମଧ୍ୟ ମୁକାବିଲା କରିବା ପାଇଁ ପ୍ରତିଜବାବ ଦେଇପାରେ । ଚୀନ ସେନା ତାଇଓ୍ବାନର ଗତିବିଧି ଉପରେ ନଜର ରଖିଥିବା ବେଳେ ଚୀନର ଗତିବିଧି ଉପରେ ପାଲଟା କଡା ନଜର ରଖିଛି ତାଇଓ୍ବାନ । ଏପରି ସ୍ଥିତିରେ ଯୁଦ୍ଧା ଆଶଙ୍କା ମଧ୍ୟ ବଢିଛି ।
ଚୀନର ପୂର୍ବ-ସମୁଦ୍ର ସୀମାରେ ରହିଥିବା ତାଇଓ୍ବାନ ଦ୍ବୀପକୁ ଚୀନ କବଜା କରିବାକୁ ଦୀର୍ଘ ବର୍ଷ ହେବ ପ୍ରୟାସ କରୁଛି । ସାମରିକ ଶକ୍ତି ପ୍ରୟୋଗ କରି ଚୀନ ସେନା କ୍ଷୁଦ୍ର ଦ୍ବୀପ ରାଷ୍ଟ୍ରକୁ ଅକ୍ତିଆରକୁ ନେବାକୁ ଚାହୁଁଛି । ଅନ୍ୟପଟେ ଚୀନର ଏହି ବିସ୍ତାରବାଦୀ ଶକ୍ତି ବିରୋଧରେ ତାଇଓ୍ବାନ ବିଶ୍ବ ସମୁଦାୟଠାରୁ ସାହାଯ୍ୟ ମାଗିସାରିଛି । ଆମେରିକା ସମେତ ଅନ୍ୟ କିଛି ପଶ୍ଚିମ ରାଷ୍ଟ୍ର ତାଇଓ୍ବାନକୁ ପ୍ରଛନ୍ନ ସହଯୋଗ ଯୋଗାଇବାରେ ଲାଗିଛନ୍ତି । ଆମେରିକା ବାଚସ୍ପତି ନାନସି ପେଲୋସି ମଧ୍ୟ ଉତ୍ତେଜନା ମଧ୍ୟ ତାଇଓ୍ବାନ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ ।
ଏକାଧିକ ବିଦେଶୀ ଶକ୍ତିର ସହାୟତା ପାଇବା ପରେ ତାଇଓ୍ବାନ ମଧ୍ୟ ଚୀନ ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ରହିଛି । ଗୋଟିଏ ପଟେ ଋଷର ୟୁକ୍ରେନ ଆକ୍ରମଣ ପରେ ଏବେ ମଧ୍ୟ ସେଠାରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଏପରି ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ଚୀନ ଯୁଦ୍ଧ ହାହାଜ ତାଇଓ୍ବାନ ଉପକୂଳରେ ଚକ୍କର କାଟିବା ପୁଣି ଯୁଦ୍ଧ ସୂତ୍ରପାତ ହେବା ଆଶଙ୍କାକୁ ଜନ୍ମ ଦେଇଛି । ଯାହା ଉପରେ ସମଗ୍ର ବିଶ୍ବ ସମୂଦାୟର ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ