ତାଇଜ/ଏଡେନ: ୟେମେନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ବିଭିନ୍ନ ସହରରେ କୋରୋନାଜନିତ ମୃତ୍ୟୁ ଅଧିକ ରହିଛି । ଫଳରେ ଏଠାରେ ମୃତକଙ୍କୁ କବର ଦେବାକୁ ସ୍ଥାନର ଅଭାବ ଦେଖାଦେଇଛି ।
କବରସ୍ଥାନର ସୁପରଭାଇଜରଙ୍କ ଅନୁସାରେ ଏହି କାମ ପାଇଁ ଲୋକଙ୍କ ଅଭାବ ଦେଖାଦେଇଛି । ସେପଟେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଏପରି ସ୍ଥିତିରେ ସେମାନେ ମେସିନ୍ ଦ୍ବାରା କବରସ୍ଥା ଖୋଲୁଛନ୍ତି । ମେକାନିକାଲ ଡିଗର୍ସଙ୍କୁ ଅଣାଯାଇ କବର ଖୋଲିବା କାମରେ ଲଗାଯାଉଛି । ବିଶେଷ କରି ତାଇଜ ସହରରେ ଏହି ସମସ୍ୟା ଅଧିକ ଦେଖାଦେଇଛି । ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଚାଲିଛି ଯେ ସରକାରୀ ଯୋଦ୍ଧାଙ୍କ ପାଇଁ ଥିବା କବରସ୍ଥାନରେ ଏବେ କୋଭିଡ ମୃତକଙ୍କୁ ସ୍ଥାନ ଦିଆଯାଉଛି ।
ତେବେ ଏହି କାମ ପାଇଁ ଲୋକଙ୍କ ଅଭାବ ମଧ୍ୟ ଦେଖାଦେଇଛି । ଲୋକ ମିଳୁନଥିବାରୁ ମେସିନ ଦ୍ବାରା ମୃତଦେହକୁ କବର ଦିଆଯାଉଛି । ଏତେ ମାତ୍ରାରେ ମୃତଦେହ ବାହାରୁଛି ଯେ କବର ଦେବା ପାଇଁ ସ୍ଥାନ ମିଳୁନାହିଁ । ସେପଟେ ନୂଆ କବରସ୍ଥାନ ଖୋଳିବା ପାଇଁ ଲୋକଙ୍କ ଅଭାବ ଦେଖାଦେଇଛି । ୟେମେନର ଅଧିକାଂଶ ସହରରେ ଏପରି ଅବ୍ୟବସ୍ଥା ଦେଖାଦେଇଛି । ସ୍ବାସ୍ଥ୍ୟସେବାରେ ବିପର୍ଯ୍ୟୟ ଏବଂ କମ କୋଭିଡ୍ ଟେଷ୍ଟିଂ ଯୋଗୁଁ ଦେଶରେ କୋରୋନା ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ଘଟିଛି ।
ଏବେ ଯାଏଁ ଦେଶରେ 1303 କେସ ଏବଂ 348 ମୃତ୍ୟୁ ହୋଇଛି । ତେବେ ସରକାରଙ୍କ ପକ୍ଷରୁ ଅନେକ ତଥ୍ୟ ଲୁଚାଇ ଦିଆଯାଇଥିବା ଅଭିଯୋଗ ହୋଇଛି । 2014 ପରେ ଅଧିକାଂଶ ସହରରେ କ୍ଷମତା ଦାଖଲ କରିଥିବା ହାଉଥି ମୁଭମେଣ୍ଟ ମେ 16 ପରେ କୋରୋନା ସମ୍ପର୍କରେ ଆଉ କୌଣସି ତଥ୍ୟ ପ୍ରଦାନ କରିନାହିଁ । ଶେଷ ଥର ଏହା 4ଟି ଆକ୍ରାନ୍ତ ଏବଂ ଜଣେ ମୃତ ନେଇ ସୂଚନା ଦେଇଥିଲା । ଏହାପରେ ଦେଶରେ କୋଭିଡ୍ 19 ସଂଖ୍ୟାରେ ମାତ୍ରାଧିକ ବୃଦ୍ଧି ହୋଇଥିବା ସନ୍ଦେହ କରାଯାଉଛି । ପରିସ୍ଥିତି ଏପରି ଯେ କେତେକ ସହରରେ କେବଳ ଗୋଟିଏ କୋଭିଡ୍ ହସ୍ପିଟାଲ ଅଛି । ଆକ୍ରାନ୍ତଙ୍କ ଚିକିତ୍ସାଠାରୁ କବର ଦେବା ଯାଏଁ ସବୁଥିରେ ଅଧିକ ଅର୍ଥ ଦାବି କରୁଛନ୍ତି କର୍ତ୍ତୃପକ୍ଷ । ଫଳରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ହେଲେ ସରକାର ଏହାପ୍ରତି ଆଖିବୁଜି ଦେଇଛନ୍ତି ।