ଅଗଷ୍ଟ ୧୩ ତାରିଖ ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ହୋଇଥିବା ସହଭାଗିତା ଚୁକ୍ତି ବିଷୟରେ ଘୋଷଣା କରିଛନ୍ତି। ଏହି ଚୁକ୍ତିକୁ ଉଭୟ ଦେଶ ‘ଐତିହାସିକ’ ବୋଲି ଘୋଷଣା କରିଛନ୍ତି। ଏପରିକି ଏହାକୁ ଚଳିତ ଶତାବ୍ଦୀର ସବୁଠାରୁ ଗୁରୁତ୍ଵପୂଣ୍ଣ ଚୁକ୍ତି ଭାବେ ଗ୍ରହଣ କରାଯାଇଛି। ଏହି ବୁଝାମଣା ଦ୍ଵାରା ଇସ୍ରାଏଲ୍ ଏବଂ ସଂଯୁକ୍ତ ଆରବ ମଧ୍ୟରେ ବୈଦେଶିକ, ବାଣିଜ୍ୟିକ ଏବଂ ମିଳିତ କାର୍ଯ୍ୟକ୍ରମ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି। ଏହି ବୁଝାମଣା ଦ୍ଵାରା ଶାନ୍ତି ଲକ୍ଷ୍ୟ ( ପିସ୍ ଭିଜନ୍)ରେ ଦର୍ଶାଯାଇଥିବା ଅଞ୍ଚଳରୁ ଇସ୍ରାଏଲ୍ ନିଜର ସାର୍ବଭୌମତ୍ତ୍ଵ ଘୋଷଣା ପ୍ରତ୍ୟାହାର କରିବ। ଉଭୟ ଦେଶ କୂଟନୀତିକ ସମ୍ପର୍କ ପ୍ରତିଷ୍ଠା କରିବେ। ସାମ୍ପ୍ରତିକ ପରିସ୍ଥିତିରେ ଯେଉଁ ଭୁତାଣୁ ଆତଙ୍କ ସୃଷ୍ଟି ହୋଇଛି ତାହାକୁ ପ୍ରତିହତ କରିବା ଲାଗି ଉଭୟ ଦେଶ ମିଳିତ ଉଦ୍ୟମ କରିବେ ଏବଂ ଟୀକା ପ୍ରସ୍ତୁତି ଦିଗରେ ଯତ୍ନବାନ ହେବେ। ଜେରୁଜେଲମ୍ ଏବଂ ଅଲ୍-ଅକ୍ସା ମସ୍ଜିଦ୍କୁ ଏଣିକି ମୁସଲ୍ମାନ ଶ୍ରଦ୍ଧାଳୁମାନେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇପାରିବେ। ଏହା ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସଂଯୁକ୍ତ ଆରବ ମିଳିତ ଭାବେ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଯତ୍ନବାନ ହେବେ। ଉଭୟ ଦେଶ ଭଧ୍ୟରେ ଏହି ଚୁକ୍ତି ପଛରେ ଅନେକ ଆଲୋଚନା ଏବଂ ନିରନ୍ତର ବୁଝାମଣା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ୟୁଏଇ ରାଜକୁମାର ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ନାହ୍ୟାନ୍ଙ୍କ ମଧ୍ୟ ଏଥିନେଇ ଅନେକଥର ବର୍ତ୍ତାଳାପ ଅନୁଷ୍ଠିତ ହୋଇଛି। ଏହି ଆଲୋଚନାର ମୂଳଦୂଆ ବାସ୍ତବରେ ଜାନୁୟାରୀ ୨୮ ତାରିଖରେ ପଡ଼ିଥିଲା। ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ୍ ଏହି ଦୁଇ ରାଷ୍ଟ୍ରନେତାଙ୍କୁ ହ୍ବାଇଟ୍ ହାଉସ୍ରେ ଅଭ୍ୟର୍ଥନା ପ୍ରଦାନ କରି ନିଜର ‘ଶାନ୍ତି ଲକ୍ଷ୍ୟ’ ବାବଦରେ ଉଲ୍ଲେଖ କରିଥିଲେ। ପରେ ଉଭୟ ଦେଶ ପରସ୍ପର ଭିତରେ ସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।
ଆସନ୍ତା ତିନି ସପ୍ତାହ ଭିତରେ ଉଭୟ ଦେଶ ପୁଞ୍ଜିନିବେଶ, ପର୍ଯ୍ୟଟନ, ସୁରକ୍ଷା, ବିମାନ ଚଳାଚଳ, ଶକ୍ତି, ସ୍ଵାସ୍ଥ୍ୟ, ସାଂସ୍କୃତିକ ବିନିମୟ, - ପରିବେଶ, ଟେକ୍ନୋଲୋଜି ପ୍ରଭୃତି କ୍ଷେତ୍ରରେ ଭାଗିଦାରୀ ପୂର୍ବକ ଅନେକ ରାଜିନାମା ସ୍ଵାକ୍ଷର କରିବେ। ଅବଶ୍ୟ ପାଲେଷ୍ଟାଇନ୍-ଇସ୍ରାଏଲ୍ ପ୍ରସଙ୍ଗ ଶାନ୍ତ ନହେବା ଯାଏ ସଂଯୁକ୍ତ ଆରବ ଜେରୁଜେଲମ୍ଠାରେ ଦୂତାବାସ ସ୍ଥାପନ ନକରିବାକୁ ସ୍ପଷ୍ଟ କରିଛି। ଏହି ପ୍ରସଙ୍ଗରେ, ନେତାନ୍ୟାହୁ କହିଛନ୍ତି ଯେ, ସେ ପଶ୍ଚିମ ତଟରେ ସଂପ୍ରସାରଣ ଯୋଜନାକୁ କିଛି ସମୟ ବିଳମ୍ବ କରିବାକୁ ସେ ଯାହା କେବଳ ରାଜି ହୋଇଛନ୍ତି। ଉଭୟ ଦେଶର ନେତାଙ୍କ ଏହିପରି ପକ୍ଷ କେବଳ ଆଭ୍ୟନ୍ତରୀଣ ଲୋକମତ ତଥା ବିରୋଧକୁ ପ୍ରଶମିତ କରିବା ଲାଗି ଉଦ୍ଦିଷ୍ଟ। ଅପରପକ୍ଷେ ଗଲା କିଛିଦିନ ହେଲା ଗଲ୍ଫ ଦେଶଗୁଡ଼ିକ ଇସ୍ରାଏଲ ପ୍ରତି ଉଦାରବାଦୀ ଭାବ ପୋଷଣ କରୁଛନ୍ତି। ଗତବର୍ଷ ନେତାନ୍ୟାହୁଙ୍କ ଓମାନ୍ ଗସ୍ତ, ଗଲା ଦଶନ୍ଧି ହେଲା ଉଭୟଙ୍କ ଶତ୍ରୁ ଭାବେ ପରିଚିତ ଇରାନ୍କୁ ଅଲଗା କରିବା ଲାଗି ଗୁଇନ୍ଦା ତଥ୍ୟ ବିନିମୟ, ଇସ୍ରାଏଲ୍ର ଗୁଇନ୍ଦା ତଥ୍ୟ ପାଇଁ କ୍ଵତାରର ଆଗ୍ରହ, ପାଲେଷ୍ଟାନ୍ ମାମଲାରେ ଦାତା ଦେଶମାନଙ୍କ ଥକାପଣ, ଇସ୍ରାଏଲ୍କୁ ଏକ ସ୍ଵତନ୍ତ୍ର ଦେଶ ଭାବେ ଗ୍ରହଣ କରିବା ଲାଗି ସାଉଦି ଯୁବରାଜଙ୍କ ସମର୍ଥନ, ଇସ୍ରାଏଲି ବ୍ୟବସାୟୀଙ୍କୁ ସଂଯୁକ୍ତ ରାଷ୍ଟ୍ର ଏମିରଟ୍ସର ରାଜ୍ୟଗୁଡ଼ିକରେ ବିଚରଣ ସୁଯୋଗ ଏବଂ ଦୀର୍ଘଦିନ ଧରି ଇସ୍ରାଏଲ୍ ସହ ଥିବା ମତ ଭେଦ ଏବଂ ଏହାର ଉତ୍ପାଦକୁ ଗ୍ରହଣ ନକରିବା ମତବାଦ ଦୂର ହେବା ପରେ ଗଲ୍ଫ ଦେଶଗୂଡ଼ିକ ଧୀରେ ଧୀରେ ଏହି ଜୀୟୁ ରାଷ୍ଟ୍ରକୁ ଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଛି।
ଏହି ଚୁକ୍ତିକୁ ଭିତ୍ତିକରି ଅନ୍ୟ ଦେଶଗୁଡ଼ିକରୁ ଯେଉଁ ପ୍ରତତିକ୍ରିୟାସବୁ ଆସିଛି ତାହା ମୋଟାମୋଟି ଭାବେ ସେମାନଙ୍କ ଘୋଷିତ ବୈଦେଶିକ ନୀତିକୁ ଭିତ୍ତି କରିଛି। ଯେଉଁ ତିନି ପକ୍ଷ ଏହି ଚୁକ୍ତିରେ ଜଡ଼ିତ ସ୍ଵଭାବିକ ଭାବେ ସେମାନେ ଏହି ଚୁକ୍ତିକୁ ନେଇ ଯଥେଷ୍ଟ ଉତ୍ସାହିତ। ଅବଶ୍ୟ ଇସ୍ରାଏଲ୍ର ଦକ୍ଷିଣ ପନ୍ଥୀମାନେ ଏନେଇ ନେତାନ୍ୟାହୁ ତାଙ୍କୁ ଛଳନା କରିଥିବା ବିଷୟ ବଣ୍ଣନା କରିଛନ୍ତି। ଜିସିସି ଦେଶମାନଙ୍କ ଭିତରେ ସବୁଠାରୁ ବଡ଼ ଦେଶ ଭାବେ ପରିଚିତ ସାଉଦି ଆରବ ଏ ବିଷୟରେ ଏଯାଏ କୌଣସି ପ୍ରତିକ୍ରିୟା ରଖିନାହିଁ। ସମ୍ଭବତଃ ଏହା ଆଉ କିଛି ଅପେକ୍ଷା କରିଛି ଏବଂ ଉପସାଗରୀୟ ଦେଶମାନଙ୍କ ଭିତରେ ଥିବା ସମ୍ପର୍କକୁ ଏ ନେଇ ଯାଞ୍ଚ କରୁଛି। କିନ୍ତୁ ଯେହେତୁ ଉଭୟ ଆମେରିକା ଏବଂ ୟୁଏଇ ସହ ଏହି ଦେଶର ସମ୍ପର୍କ ଭଲ ରହିଛି ଏଣୁ ଏହି ଦେଶ ଚୁକ୍ତିକୁ ଅଗ୍ରାହ୍ୟ କରିବ ବୋଲି ଆଶା କରାଯାଇ ନପାରେ। କ୍ଵାତାର ଏବଂ ବାହିରିନ୍ ଏହି ଚୁକ୍ତିକୁ ସ୍ଵାଗତ କରିଛନ୍ତି। ପାଲେଷ୍ଟାଇନ୍ ସହ ସୁସମ୍ପର୍କ ହେତୁ କୁଏତ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବାକୁ କିଛି ସମୟ ବିଳମ୍ବ କରିଛି। ଓମାନ୍ ଏହି ଚୁକ୍ତିକୁ ପୂଣ୍ଣ ସମର୍ଥନ କରିଛି। ଇଜିପ୍ଟ ଏବଂ ଜୋର୍ଡ଼ାନ୍ ଯେଉଁମାନଙ୍କ ସହ ଇସ୍ରାଏଲ୍ର କୂଟନୀତିକ ସମ୍ପର୍କ ରହି ଆସିଛି ସେମାନେ ସ୍ଵଭାବିକ ଭାବେ ଏହି ରାଜିନାମାକୁ ସମର୍ଥନ କରିଛନ୍ତି। ସମଗ୍ର ମୁସ୍ଲିମ୍ ବିଶ୍ଵ ଏହି ଚୁକ୍ତିକୁ ନେଇ ଭାଗଭାଗ ହୋଇଛି। ପାଲେଷ୍ଟାଲଇନ୍ ସ୍ଵଭାବିକ ଭାବେ ଏହି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ହମାସ୍ ଏ ବାବଦରେ ମନ୍ତବ ରଖି କହିଛି, ଯେ ଏଥିରେ ଜୀୟୁମାନଙ୍କ ଆଭିମୁଖ୍ୟକୁ କୁହାଯାଇଛି। ତୁର୍କୀ ଏ ପ୍ରସଙ୍ଗରେ ବୟାନ ରଖି କହିଛି ଯେ, ଏହା ୟୁଏଇ ସହ ଯେଉଁ କୂଟନୀତିକ ସମ୍ପର୍କ ରକ୍ଷା କରିଛି ସେ ସମ୍ପର୍କରେ ପୁଣିଥରେ ବିଚାର କରିବ। ମାଲେସିଆ ଏହି କାର୍ଯ୍ୟକଳାପକୁ ପାଖଣ୍ଡି ବୋଲି କହିବା ସହ ଏହା ନିଆଁରେ ଘଅ ପକାଇବ ବୋଲି ବଣ୍ଣନା କରିଛି। ଇଣ୍ଡୋନେସିଆ ଏଯାଏ କୌଣସି ପ୍ରତିକ୍ରିୟା ରଖିନାହିଁ। ପାକିସ୍ତାନ କଥା ବିଶେଷ ଆଗ୍ରହ ସୃଷ୍ଟି କରୁଛି। କଠିନ ଓ ଜଟିଳ ପରିସ୍ଥିତି ଭିତରେ ଚାପି ହୋଇ ପାକିସ୍ତାନ କହିଛି ଯେ, ଏହା ପରିସ୍ଥିତିକୁ ବିଚାର କରୁଛି। ଏହି ଚୁକ୍ତିର ପ୍ରଭାବ ସୁଦୂର ବିସ୍ତାରୀ ହେବ। ଉଭୟ ଭାରତ ଓ ଚୀନ ଏହି ଚୁକ୍ତିକୁ ସ୍ଵାଗତ କରିଛନ୍ତି। ସ୍ଵଭାବିକ ଭାବେ ଅନ୍ୟ ପଶ୍ଚିମୀ ଦେଶଗୁଡ଼ିକ ଏହାକୁ ସ୍ଵାଗତ କରିବା କଥା।
ଏବେ କିଏ ଏ ଚୁକ୍ତିରୁ କ’ଣ ପାଇଲେ? ପ୍ରଥାମେ ଯୁକ୍ତରାଷ୍ଟ୍ର ଆମେରିକା- ନିଜକୁ ଜଣେ ଶାନ୍ତି ଦୂତ ଭାବେ ବଣ୍ଣନା କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗକୁ ଆସୁଥିବା ନିର୍ବାଚନ ମଇଦାନରେ ଅବତୀଣ୍ଣ ହେବେ। ଏ ପ୍ରସଙ୍ଗରେ ଇସ୍ରାଏଲ-ଏମିରେଟ୍ସ୍ ବୁଝାମଣା ବିଶେଷ ସହାୟକ ହେବ। ଏହା ପୂର୍ବରୁ ଆଫଗାନିସ୍ତାନ-ତାଲିବାନ୍ ଚୁକ୍ତି ମଧ୍ୟ ବିଶେଷ ସହାୟକ ହେବ ବୋଲି ଆଶା କରାଯାଏ। ଇସ୍ରାଏଲି ଲବି ଯାହା ଆମେରିକାର ଅର୍ଥନୀତିକୁ ପ୍ରଭାବିତ କରିଥାଏ, ତାହା ଟ୍ରମ୍ପଙ୍କୁ ଅଧିକ ସହାୟକ ହେବ। କିଏ ଜାଣିଛି ଏହି ଦୁଇ ପକ୍ଷଙ୍କ ଭିତରୁ କିଏ ନୋବେଲ୍ ପୁରସ୍କାର ବି ପାଇ ପାରନ୍ତି। ଯେମିତି କ୍ୟାମ୍ପ ଡେଭିଡ୍ ଚୁକ୍ତି-୧୯୭୮ ପାଇଁ ହୋଇଥିଲା। ଏହାବାଦ୍ ଟ୍ରମ୍ପ ମଧ୍ୟ ଏହି ଚୁକ୍ତି କରାଇପାରିଥିବାରୁ ନୋବେଲ୍ ପାଇଁ ଦାବିଦାର ରହିଛନ୍ତି। ୟୁଏଇ ଏବଂ ଏହାର ପଡ଼ୋଶୀମାନେ ଏଣିକି ଇସ୍ରାଏଲ୍ଉପରେ ନଜର ରଖିବାରେ ଆଉ ଅଧିକ ଶ୍ରମ ଖର୍ଚ କରିବେ ନାହିଁ। ୟୁଏଇ ମଧ୍ୟ ଏହି ଚୁକ୍ତି ବଳରେ ଅଧିକ ଶକ୍ତିଶାଳୀ ହେବ। ଏକ ମଧ୍ୟବର୍ତ୍ତୀ କ୍ଷମତା କେନ୍ଦ୍ର ଭାବେ ଏହା ଗଢ଼ି ଉଠିବ। ସାଉଦି ଆରବ ଉପରେ ନିର୍ଭର ନକରି ଏହା ସ୍ଵାଧୀନ ଭାବେ ନିଜର ନିଷ୍ପତ୍ତି ନେବାରେ ସହାୟକ ହେବ। ଏହା ମଧ୍ୟ ପରିଲକ୍ଷିତ ହୋଇଛି। ୟେମେନ୍ରୁ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେବା ଏହାର ଏକ ଜ୍ବଳନ୍ତ ଉଦାହରଣ । ସାଉଦି ଆରବ ଏବଂ ଓମାନ୍ ଧୀରେ ହେଲେବି ପରସ୍ପରର ନିକଟତର ହେବେ। ଦ୍ରୁତ ଗତିରେ ଗଚ୍ଛିତ ତୈଳ କମିବା ଏବଂ ନବୀକରଣ ଶକ୍ତିର ବହୁଳ ବ୍ୟବହାର ହେଲେ ଏହି ଜୀବାଶ୍ମ ଶକ୍ତି ଉପରେ ନିର୍ଭରଶୀଳତା କମିବା ଏଥିରେ ସହାୟକ ହେବ। ଏହି ପରିସ୍ଥିତିରେ ସଂଯୁକ୍ତ ରାଷ୍ଟ୍ର ଏହାର ବିଶାଳ ଧରାପୃଷ୍ଠକୁ ଅର୍ଥନୀତିକ ବିକାଶ କାର୍ଯ୍ୟରେ ବ୍ୟବହାର କରିବ। ସେହିପରି ଓମାନ୍ ଯାହା ପାଖରେ ଅପେକ୍ଷାକୃତ କମ୍ ତୈଳ ଗଚ୍ଛିତ ରହିଛି ସେ ଦେଶ ମଧ୍ୟ ନିଜର ବିଶାଳ ଧରାପୃଷ୍ଠକୁ ଉତ୍ପାଦନ କାର୍ଯ୍ୟରେ ଲଗାଇବ। ସାଉଦି ଆରବ ପରେ ଉପସଗରୀୟ ଦେଶମାନଙ୍କ ଭିତରେ ଏହାର ସର୍ବାଧିକ ପରିମାଣର ଧରାପୃଷ୍ଠ ରହିଛି। ଏଠାରେ ଇସ୍ରାଏଲ୍ ସହ ବନ୍ଧୁତା ବିଶେଷ ସହାୟକ ହେବ। ମରୁଭୂମିରେ ଚାଷ କରିବା ପାଇଁ ଇସ୍ରାଏଲ୍ ଯେଉଁ ଟେକ୍ନୋଲୋଜି ବିଶ୍ଵକୁ ଦେଖାଇଛି ତାହା ସହାୟକ ହେବ। ଏହାବାଦ୍ ଇରାନ୍ର ଶକ୍ତି ଏବଂ ଆକ୍ରମଣ ଭୟ ବିଷଞରେ ଆଗୁଆ ସୂଚନା ରକ୍ଷା କରି ସେଥିଲାଗି ସତର୍କ କରିବା ଲାଗି ଇସ୍ରାଏଲ୍ର ଜ୍ଞାନ କୌଶଳ ଏବଂ ଗୁଇନ୍ଦା ମଧ୍ୟ ସହାୟକ ହେବ। ଇସ୍ରାଏଲ୍ର ପ୍ରତିରକ୍ଷା ଉତ୍ପାଦନ ଏବଂ ଗୁଇନ୍ଦା ବିଭାଗ ଏ ବାବଦରେ ଗୁରୁତ୍ଵପୂଣ୍ଣ ଭୂମିକା ରକ୍ଷା କରେ। ପାଲେଷ୍ଟାଇନ୍ ବାସ୍ତବରେ ଏକ ପରାଜିତ ପ୍ରତିପକ୍ଷ। ଏବେ ଖୁସି ହେବା ଉଚିତ ଯେ ଏହି ବୁଝାମଣା ସଫଳ ହେଲେ ଆଉ ପତାହାର ଜମି ଇସ୍ରାଏ୍ ଦ୍ଵାରା ଅଧିଗ୍ରହଣ ହେବ ନାହିଁ। ଅନ୍ୟ ପକ୍ଷରେ ଦେଖିଲେ, ଯେହେତୁ ଏମିରେଟ୍ସ ଏ ପ୍ରସଙ୍ଗରେ ଏକ ଗୁରୁତ୍ଵପୂଣ୍ଣ ଭୂମିକା ଗ୍ରହଣ କରିବ, ପାଲେଷ୍ଟାଇନ୍କୁ ଦାତାଙ୍କ ଅଭାବ ପଡ଼ିବ। ଏହାଫଳରେ ପାଲେଷ୍ଟଇନର ବିକାଶ ପ୍ରତିହତ ହେବ। ମୁସଲ୍ମାନ୍ ଦେଶମାନଙ୍କ ଭିତରେ ଯେଉଁ ଅନିଶ୍ଚିତତା ରହିଛି, ସେଥିରେ ଅଧିକ ସମ୍ଭାବ୍ୟ ସମର୍ଥନ ଏହି ଚୁକ୍ତି ସପକ୍ଷରେ ଆଶା କରାଯାଉଛି ଏହାଦ୍ଵାରା ତୁର୍କୀ ଯଥେଷ୍ଟ ପ୍ରଭାବିତ ହେବ। ଇରାନ୍ ମଧ୍ୟ ଅପରପକ୍ଷେ ନିଜ ଚାରିପାଖେ କମ୍ ବନ୍ଧୁ ରାଷ୍ଟ୍ରଙ୍କୁ ଦେଖିବ। ଇରାକ୍, ଉପସାଗରୀୟ ଦେଶ, ଆଫଗାନିସ୍ତାନ ଆଉ ପୂର୍ବ ଭଳି ପୂଣ୍ଣ ବନ୍ଧୁ ନୁହନ୍ତି। ଠିକ୍ ସେହିପରି ଇରାନ୍ ପାକିସ୍ତାନ ଭଳି ଏକ ଅପ୍ରତ୍ୟାଶିତ ବନ୍ଧୁଙ୍କ ଦ୍ଵାରା ମଧ୍ୟ ଘେରି ହୋଇ ରହିବ।
ଏ ସନ୍ଦର୍ଭରେ ପାକିସ୍ତାନ୍ ଏକ ଜଟିଳ ପରିସ୍ଥିତିରେ ପଡ଼ିଛି। ଏହା ପାଖରେ ଦୁଇଟି ସମଭାବେ କ୍ଷତିକାରକ ବିକଳ୍ପ ରହିଛି। ଯଦିଓ ସାଉଦି ଆରବ ସମଗ୍ର ମୁସଲ୍ମାନ୍ ଦେଶଗୁଡ଼ିକ ଉପରେ ଧର୍ମୀୟ ଭାବନା ଏବଂ ଅର୍ଥନୀତିକ ଦୃଷ୍ଟିକୋଣରୁ ପ୍ରଭାବ ବିସ୍ତାର କରିଛି, ପାକିସ୍ତାନ କିନ୍ତୁ ଏକମାତ୍ର ଆଣବିକ ଶକ୍ତି ଧାରୀ ମୁସଲ୍ମାନ ଦେଶ ଭାବେ ସମଗ୍ର ବିଶ୍ଵର ମୁସଲ୍ମାନ ଦେଶଗୁଡ଼ିକ ଭିତରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି। ସାମ୍ପ୍ରତିକ ପରିସ୍ଥିତିରେ ଯେଉଁଠି ମୁସଲ୍ମାନ୍ ଦେଶଗୁଡ଼ିକ ଭିତରେ ସମ୍ପର୍କ ବିଭାଜିତ ହୋଇଛି, ଯଦି ପାକିସ୍ତାନ ଏହି ବୁଝାମଣାକୁ ସମର୍ଥନ କରେ ତେବେ ଏହା ନିଜର ନିକଟ ସମ୍ପର୍କୀୟ ତୁର୍କୀ, ମାଲେସିଆ ଏବଂ ଇରାନ୍ ଭଳି ଦେଶମାନଙ୍କର ବିରୋଧୀ ହେବ। ଏହିକ୍ରମରେ ସମଗ୍ର ମୁସଲ୍ମାନ ସମ୍ପ୍ରଦାୟର ନେତୃତ୍ଵ ନେବା ସ୍ଵପ୍ନ ଭଙ୍ଗ ହୋଇଯିବ। ଅପରପକ୍ଷେ ଯଦି ପାକିସ୍ତାନ ଏହାକୁ ବିରୋଧ କରେ ତବେ ଉଭୟ ସାଉଦି ଆରବ ଏବଂ ୟୁଏଇ ସରବ୍ୟର ଶିକାର ହେବ। ପୂର୍ବରୁ ଏହି ଦୁଇ ଦେଶମାନଙ୍କଠାରୁ ପାକିସ୍ତାନକୁ ଋଣ ଏବଂ ତୈଳ ପାଇଁ ବାକି ବ୍ୟବସ୍ଥା ବନ୍ଦ କରାଯାଇଛି। ଏହା ଆଗକୁ ଆହୁରି ଉତ୍କଟ ହେବା ଆଶଙ୍କା ରହିଛି। ଅଧିକାଂଶ ପାକିସ୍ତାନୀ ପ୍ରବାସୀ ଏବେ ସାଉଦି ଆରବ ଏବଂ ୟୁଏଇରେ ରହୁଛନ୍ତି। ସେମାନଙ୍କ ସହାୟତାରେ ପାକିସ୍ତାନର ଦୁର୍ବଳ ବୈଦେଶିକ ବିନିମୟରେ ସୁଧାର ଆସୁଛି। ଏଣୁ ଏ ଭଳି ପରିସ୍ଥିତି ପାକିସ୍ତାନକୁ ଅଧିକ ଦେବାଳିଆ କରିଦେବ। ଚୀନ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଭୋଗିବ। ଚୀନ୍, ଯିଏ ଏହି ଚୁକ୍ତିକୁ ସ୍ଵାଗତ କରିଛି- ଏବେ ଏହାର ସର୍ବକାଳୀନ ବନ୍ଧୁମାନଙ୍କଠାରୁ ଆଉ ପାଣ୍ଠି ପାଇବ ନାହିଁ। ଏହି ପାଣ୍ଠି ଦ୍ଵାରା ଚୀନ୍ ତାହାର ଗରିବ ଲୋକଙ୍କୁ ଋଣ ଯୋଗାଉଥିଲା। ଅନ୍ୟ ମୁସଲ୍ମାନ୍ ଦେଶଗୁଡ଼ିକର କେବଳ ପାରିପାର୍ଶ୍ବିକ ପ୍ରଭାବ ରହିବ।
ଉପସାଗରୀୟ ଦେଶଗୁଡ଼ିକରେ ଅଧିକ ପୁଞ୍ଜି ନିବେଶ ହେତୁ ଚୀନ ଏବେ ନିଜର ଅର୍ଥନୀତିକ ଯୋଜନାରେ ସତର୍କତା ରକ୍ଷା କରିବ। ନହେଲେ ତାକୁ ଇରାନ୍ ବା ଉପସାଗରୀୟ ଦେଶ ଯାହା ଭିତରୁ ଗୋଟିଏ ବାଛିବାକୁ ହେବ। ଭାରତ ପାଇଁ ଏହା ଏକ ଖୁସିର ବିଷୟ। କାରଣ ଆମର ଇସ୍ରାଏଲ୍ ସହ ଉତ୍ତମ ସମ୍ପର୍କ ହେତୁ ଆରବ ଦେଶଗୁଡ଼ିକ ସହ ଆମର ସମ୍ପର୍କ ଦୂରେଇଛି ବୋଲି କୁହାଯାଇ ନପାରେ। ଆମର ସାଉଦି ଆରବ ଏବଂ ଇସ୍ରାଏଲ୍ ସହ ଉତ୍ତମ ସମ୍ପର୍କ ଆଗକୁ କୌଣସି ବାଧା ବିଘ୍ନରେ ବଢ଼ି ଚାଲିବ। ଅପରପକ୍ଷେ ପାଲେଷ୍ଟାଇନ୍ ପ୍ରତି ଆମର ନୈତିକ ଏବହ ରାଜନୀତିକ ସହାୟତା ସେମିତି ରହିବ।
ଅବଶ ଏହା ଠିକ୍ ଯେ, ଆଗକୁ ଏହି ବୁଝାମଣାର ପ୍ରଭାବ କ’ଣ ହେବ ତାହା ଭବିଷ୍ୟତ ହିଁ କହିବ। ଏହା ସାମ୍ପ୍ରତିକ ଭୌଗୋଳିକ ସ୍ଥିତିରେ ଏକ ନୂଆ ସମୀକରଣ ସୃଷ୍ଟି କରିବ। କିନ୍ତୁ ବିଶ୍ଵ ସ୍ତରରେ ଏହି ବୁଝାମଣା ନିଜର ଗୁରୁତ୍ଵ ବୟାନ କରିବ।