ରିୟାଦ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏହାମଧ୍ୟରେ ସାଉଦୀ ଆରବ ଶାହୀ ପରିବାରର ସଦସ୍ୟଙ୍କୁ ମଧ୍ୟ କୋରୋନା ନିଜ କବଳରେ କରିଥିବା ଖବର ସାମ୍ନାକୁ ଆସିଛି । ଆମେରିକାର ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବିକ, ସାଉଦୀ ଆରବର ସତ୍ରାରୁଢ ଶାହୀ ପରିବାରର 150 ଜଣ ସଦସ୍ୟ କୋରୋନା ଆକ୍ରାନ୍ତ ରହିଛନ୍ତି ।
ଏହି ଖବର ଜଣାପଡିବା ପରେ ସାଉଦୀ ଆରବ ପ୍ରିନ୍ସ ଫୈସଲ ବିନ ଅବଦୁଲ ଅଜୀଜ ଅଲ ସାଉଦଙ୍କୁ ଆଇସିୟୁରେ ରଖାଯାଇଛି । ତେବେ ସେ ସାଉଦୀ ଆରବ ରାଜଧାନୀ ରିୟାଦର ଗଭର୍ଣ୍ଣର ମଧ୍ୟ ଅଟନ୍ତି । ଏହାଛଡା 84 ବର୍ଷୀୟ କିଙ୍ଗ୍ ସଲମାନ ଜେଦ୍ଦା ମଧ୍ୟ ଏହି ଖବର ପ୍ରକାଶ ପରେ ଆଇସୋଲେସରେ ରହିଛନ୍ତି ।
ଅନ୍ୟପକ୍ଷେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ସମେତ ଶାହୀ ପରିବାରର ଅନ୍ୟ ସଦସ୍ୟ ଏବଂ ମନ୍ତ୍ରୀମାନେ ଦୁରଦରାଜରେ ରହୁଛନ୍ତି । କିଙ୍ଗ ସ୍ପେସିଆଲିଟି ହସ୍ପିଟାଲ ଦ୍ବାରା ପଠାଯାଇଥିବା ହାଇ ଆଲର୍ଟ ସୂଚନା ଏବଂ ଶାହୀ ପରିବାରର ସେମାନଙ୍କ ସମ୍ପର୍କୀୟଙ୍କ ସୂଚନା ଆଧାରରେ ନ୍ୟୁୟର୍କ ଟାଇମ୍ସ ଏହି ସୂଚନା ପାଇଥିଲେ । ତେବେ ଶାହୀ ପରିବାରର ସଦସ୍ୟଙ୍କ ଚିକିତ୍ସା ପାଇଁ 500 ବେଡର ମଧ୍ୟ ବ୍ୟବସ୍ଥା କରାଯାଇଛି ।