ଜେନେଭା: କୋଭିଡ 19ର ପ୍ରଥମ ପର୍ଯ୍ୟାୟର ମଧ୍ୟଭାଗରେ ଏବେ ବିଶ୍ବ ଅଛି । ଏହା ସମ୍ପୂର୍ଣ୍ଣ ରୁପେ ଶେଷ ହୋଇନାହିଁ । ଏପରି ସମୟରେ ଲକଡାଉନ କୋହଳ କଲେ ପୁଣିଥରେ କୋରୋନା ଫେରିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଛି ।
ସଙ୍ଗଠନର ଜରୁରୀକାଳୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାଇକ୍ ରିୟାନ ଏହା କହିଛନ୍ତି । ବର୍ତ୍ତମାନ ବିଶ୍ବର ଅନେକ ରାଷ୍ଟ୍ର ଲାଗୁ କରିଥିବା କଟକଣା କୋହଳ କରୁଛନ୍ତି । ବିଶେଷ କରି ଯେଉଁସବୁ ରାଷ୍ଟ୍ରରେ ଏହା ଗମ୍ଭୀର ରୂପ ନେଇଥିଲା ସେହି ଦେଶମାନଙ୍କରେ ଏବେ ପରିସ୍ଥିତିରେ ସୁଧାର ଆସିବାରୁ ଲକଡାଉନ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ବୁମେରାଂ ହୋଇପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇଦେଇଛି ।
ବର୍ତ୍ତମାନ କୋରୋନା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ଏବେ ବି ଅନେକ ରାଷ୍ଟ୍ରରେ ବହୁତ ଆକ୍ରାନ୍ତ ନୂଆ ବାହାରୁଛନ୍ତି । ଯାହା ଭବିଷ୍ୟତରେ ବିପଦ ଆଣିପାରେ ବୋଲି ରିୟାନ କହିଛନ୍ତି । ଲକଡାଉନ କୋହଳ କଲେ ଲୋକଙ୍କୁ ଅଟକାଇବା କଷ୍ଟକର ହୋଇପଡିବ । ଫଳରେ ଭୂତାଣୁ ପୁଣିଥରେ ବ୍ୟାପିବାର ଆଶଙ୍କା ରହିଛି । ଏଥର ବ୍ୟାପିଲେ ଏହାକୁ ଅଟକାଇବା ଅଧିକ କଠିନ ହେବ । ଏପରିକି ଦ୍ବିତୀୟ ପର୍ଯ୍ୟାୟରେ ଏହା ଖୁବ୍ ଅଧିକ ବେଗରେ ସଂକ୍ରମଣ ହେବ ବୋଲି ରିୟାନ ଆଶଙ୍କା ପ୍ରକାଶ କରିଛନ୍ତି ।
ଅନେକ ସମୟରେ ମହାମାରୀ ପର୍ଯ୍ୟାୟକ୍ରମେ ଆସିଥାଏ । ତେଣୁ ବର୍ଷର ଶେଷ ଭାଗ ଆଡକୁ ଏହା ପୁଣି ଫେରିବାର ସୁଯୋଗ ରହିଛି । ଏବେଠାରୁ ଏହାକୁ ନିୟନ୍ତ୍ରଣ ନକଲେ ଭବିଷ୍ୟତରେ ଏହାର ବେଗ ରୋକିବା କଷ୍ଟକର ହେବ । ବିଶେଷ କରି ୟୁରୋପ ଓ ଉତ୍ତର ଆମେରିକାର ଦେଶଗୁଡିକୁ ଏହା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି । ସେଠାରେ କୋରୋନାର ପରିସ୍ଥିତି ଭୟଙ୍କର ରହିଛି । ଏହି ଜାଗାଗୁଡିକରେ କୋରୋନା ଭୂତାଣୁ ଫେରିବାର ସୁଯୋଗ ଅଛି । ସାମାଜିକ ଦୂରତ୍ବ ଓ ଅନ୍ୟାନ୍ୟ ଗାଇଡଲାଇନକୁ କଡାକଡି ପାଳିବାକୁ ଏ ସମସ୍ତ ଦେଶକୁ ପରାମର୍ଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।