ମାଡ୍ରିଡ: ସ୍ପେନରେ ହଟିଲା କୋଭିଡ କଟକଣା । ଏହାସହ ରାତ୍ରକାଳୀନ କର୍ଫ୍ୟୁ ବି ପ୍ରତ୍ୟାହାର କରାଯାଇଛି । ଏନେଇ ଶନିବାର ମଧ୍ୟରାତ୍ରିରୁ ସ୍ପେନରେ ଉତ୍ସବ ପାଳନ କରିଛନ୍ତି ଲୋକେ । ତେବେ ଯେଉଁମାନେ ବିନା ମାସ୍କରେ ନାତଗୀତ କରୁଥିଲେ, ସେମାନଙ୍କୁ ସେଣ୍ଟ୍ରାଲ୍ ପୁଏର୍ଟା ଡେଲ୍ ସୋଲ୍ ସ୍କୋୟାରରୁ ବାହାର କରିଥିଲା ମାଡ୍ରିଡ୍ର ପୋଲିସ୍ ।
କିନ୍ତୁ ସେତେବେଳର ଦୃଶ୍ୟ, ପୂର୍ବ-ମହାମାରୀ ସମୟକୁ ତାଜା କରିଦେଇଥିଲା । ପ୍ରତିବନ୍ଧକ ହଟାଯିବା ପରେ ପ୍ରେମୀଯୁଗଳ ସବୁ ବାର୍ସିଲୋନାର ମୁଖ୍ୟ ବର୍ଗ ଏବଂ ସମୁଦ୍ର କୂଳରେ ଏକାଠି ହୋଇଥିଲେ । ବନ୍ଧୁମାନଙ୍କ ସହ ଆସିଥିବା ଜୁଆନ୍ କେଦଭିଦ୍ କହିଛନ୍ତି ଯେ, ମୁଁ ନିଜକୁ ସ୍ୱାଧୀନ ଅନୁଭବ କରୁଛି । କୋଭିଡ -19 ହେତୁ ଏହା ଟିକେ ଭୟାନକ, ତଥାପି ମୁଁ ଲୋକଙ୍କ ସହ ଏକାଠି ରହବିକୁ ଚାହୁଁଛି ।
ମହାମାରୀ ପାଇଁ ଗତ ସାତ ମାସ ଧରି ବନ୍ଦ ହୋଇପଡିଥିଲା ରେଷ୍ଟୁରାଣ୍ଟ । ଏବେ ଖୋଲିବାର ସମ୍ଭାବନା ଦେଖାଦେଇଥିବାରୁ ବାର୍ସିଲୋନା ନିବାସୀ ୨୫ ବର୍ଷ ଯୁବକ ନିଜର ଖୁସି ବ୍ୟକ୍ତି କରିଛନ୍ତି । ସ୍ଥାନୀୟ ରେଷ୍ଟୁରାଣ୍ଟଗୁଡିକ ରବିବାର ଠାରୁ ପୁନର୍ବାର ରାତ୍ରୀ ଭୋଜନ କରିବାକୁ ସକ୍ଷମ ହୋଇଛନ୍ତି ଏବଂ ଏହା ରାତି 11 ଟା ପର୍ଯ୍ୟନ୍ତ ଖୋଲା ରହିବ । ତଥାପି, ଗୋଟିଏ ଟେବୁଲରେ ଚାରି ଜଣ ବସି ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ଭିତରେ ଖାଇବା ପାଇଁ ୩୦ ପ୍ରତିଶତ ଲୋକଙ୍କୁ ପରମିସନ ଦିଆଯିବ ।
ମାଡ୍ରିଡ ପୋଲିସ କହିଛି ଯେ, ନିୟମ ଉଲ୍ଲଂଘନକୁ ନେଇ 450 ରୁ ଅଧିକ ଘଟଣାରେ ସ୍ଥାନୀୟ ଆଇନ ଶୃଙ୍ଖଳା ଅଧିକାରୀ ହସ୍ତକ୍ଷେପ କରିଛନ୍ତି । ଏହା ପରେ ସ୍ପେନ ରାଜଧାନୀର ମେୟର, ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଦେଖି ଦୃଢ ନିନ୍ଦା କରିଥିଲେ । ମେୟର ଜୋସ୍ ଲୁଇସ୍ ମାର୍ଟିନେଜ୍-ଆଲମାଇଡା ରବିବାର କହିଛନ୍ତି ଯେ, ‘ସ୍ୱାଧୀନତାର ଅର୍ଥ ନୁହେଁ ଯେ ରାସ୍ତାରେ ମଦ ଭୋଜି କରିବା । କାରଣ ମାଡ୍ରିଡରେ ରାସ୍ତାରେ ମଦ୍ୟପାନ କରିବାକୁ ଅନୁମତି ନାହିଁ। ଆମ ପ୍ରତ୍ୟେକଙ୍କୁ ବୁଝିବା ଆବଶ୍ୟକ ଯେ ଆମେ ଏକ ସମାଜରେ ବାସ କରୁ ଏବଂ କର୍ଫ୍ୟୁ ଉଠିଯିବାର ଅର୍ଥ ନୁହେଁ ଯେ ମହାମାରୀ ଶେଷ ହୋଇଗଲା ।’