ମସ୍କୋ: ଋଷରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ମହାମାରୀ ଯୋଗୁଁ ପ୍ରତିଦିନ ପାଖାପାଖି 9 ହଜାର ନୂଆ ଆକ୍ରାନ୍ତ ବାହାରୁଛନ୍ତି । ତେବେ କୋରୋନା ପଜିଟିଭ ସଂଖ୍ୟାରେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି ଋଷ ।
ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁସାରେ ଗତ 24 ଘଣ୍ଟାରେ ମୋଟ୍ 8863 କୋରୋନା ମାମଲା ବାହାରିଛି । ଫଳରେ ଦେଶରେ ମୋଟ୍ ଆକ୍ରାନ୍ତ 4 ଲକ୍ଷ 23 ହଜାର 741 ରହିଛି । ବିଶ୍ବରେ ମୋଟ୍ ଆକ୍ରାନ୍ତଙ୍କ ତାଲିକାରେ ଏହା ତୃତୀୟ ସ୍ଥାନରେ ରହିଛି । ପ୍ରଥମ 2ଟି ସ୍ଥାନରେ ଆମେରିକା ଓ ବ୍ରାଜିଲ ରହିଛନ୍ତି । ସେହିପରି ମଙ୍ଗଳବାର 182ଟି ମୃତ୍ୟୁ ସହ ମୋଟ୍ ସଂଖ୍ୟା 5037 ଛୁଇଁଛି ।
ଋଷରେ ଏବେ ଯାଏଁ 1 ଲକ୍ଷ 87 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ପ୍ରତିଦିନ ଏଠାରେ 9000 ପାଖାପାଖି ମାମଲା ବାହାରୁଛି । ପରିସ୍ଥିତି ଖରାପ ହେଉଥିବାର ଦେଖି ସରକାର ଅନେକ ସ୍ଥାନରେ ଲକଡାଉନ କଟକଣା ଜାରି ରଖିଛନ୍ତି । ଏହାସହ ଆଗାମୀ 2 ସପ୍ତାହ ମଧ୍ୟରେ ଏହା ଆକ୍ରାନ୍ତଙ୍କ ଉପରେ ପ୍ରଥମ ଥର ପାଇଁ ଭ୍ୟାକସିନ୍ ପରୀକ୍ଷା କରିବାକୁ ଯାଉଛି ।
ତେବେ ଦେଶରେ ମୃତ୍ୟୁସଂଖ୍ୟା କମ୍ ନେଇ ବିଭିନ୍ନ ରାଷ୍ଟ୍ର ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ହେଲେ ସଂଖ୍ୟାରେ କୌଣସି ପ୍ରକାର ଗଡବଡ ଖବରକୁ ଋଷ ସ୍ବାସ୍ଥ୍ୟ ଅଧିକାରୀ ଖଣ୍ଡନ କରିଛନ୍ତି । ପ୍ରକୃତରେ ଋଷ କୋଭିଡ 19 ଦ୍ବାରା ସିଧାସଳଖ ମୃତ୍ୟୁ ହେଲେ ଏହାକୁ କୋରୋନାଜନିତ ମୃତ୍ୟୁରେ ଗଣୁଛି । କିନ୍ତୁ ଯଦି ଆକ୍ରାନ୍ତଙ୍କୁ ପୂର୍ବରୁ ହାର୍ଟ ଆଟାକ୍ କିମ୍ବା ଅନ୍ୟ କୌଣସି ରୋଗ ରହିଛି ଏବଂ ସେ କୋଭିଡ 19 ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି ତାହେଲେ ଏହାକୁ କୋରୋନାଜନିତ ମୃତ୍ୟୁରେ ଋଷ ଅଧିକାରୀ ଗଣୁନାହାନ୍ତି । ସେଥିପାଇଁ ଏଠାରେ ମୃତ୍ୟୁସଂଖ୍ୟା କମ୍ ଥିବା ବିଶେଷଜ୍ଞମାନେ କହିଛନ୍ତି ।