ଲଣ୍ଡନ: କୋଭିଡ-୧୯ ମହାମାରୀ ନୁହେଁ, ଏହା ଏକ ଭୟଙ୍କର ମହାମାରୀ । ଯଦି ଏହି ମହାମାରୀରୁ ଆଉ ଏକ ମହାମାରୀର ଆବିର୍ଭାବ ଘଟେ, ତେବେ ତାହା କୋଭିଡ-୧୯ ଠାରୁ ଅଧିକ ଭୟଙ୍କର ହୋଇପାରେ । ଏପରି କହିଛନ୍ତି ଅକ୍ସଫୋର୍ଡ ଆଷ୍ଟ୍ରୋଜେନେକା ଟିକା ନିର୍ମାତା ପ୍ରଫେସର ଡାମେ ସାରା ଗିଲବର୍ଟ (Oxford-AstraZeneca Prof Dame Sarah Gilbert) ।
୪୪ତମ ରିଚାର୍ଡ ଡିମ୍ବଲେବି ଲେକ୍ଚର(44th Richard Dimbleby Lecture)କୁ ସମ୍ବୋଧିତ କରିବା ଅବସରରେ ଗିଲବର୍ଟ ଏପରି କହିଛନ୍ତି । ସେ କହିଛନ୍ତି ଯେ କୋଭିଡ-୧୯ ଏପିଡେମିକ ନୁହେଁ ଏହା ଏକ ପାଣ୍ଡେମିକ୍ । ଅର୍ଥାତ୍ କୋରୋନା ଏକ ମହାମାରୀ ନୁହେଁ ଭୟଙ୍କର ମହାମାରୀ । ତେଣୁ ଏହା ଦ୍ବାରା ସୃଷ୍ଟି ହେବାକୁ ଥିବା ପ୍ରତିଟି ଭୂତାଣୁ ଅଧିକ ସଂକ୍ରାମକ ବା ମାରାତ୍ମକ କିମ୍ବା ସମାନ ଭାବେ ପ୍ରଭାବ ପକାଇବ । ସେଥିପାଇଁ କୋଭିଡ-୧୯ ଯେଉଁ ଶିକ୍ଷା ଦେଇଛି ତାହା ଆଧାରରେ ଅନ୍ୟ ଭାରିଆଣ୍ଟ ପ୍ରତି ସଚେତନ ହେବା ଉଚିତ୍ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୋଭେଲ କୋରୋନା ଭୂତାଣୁକୁ ଶେଷ ଭୂତାଣୁ ବୋଲି ଭାବିବା ଭୁଲ୍ । ପରବର୍ତ୍ତୀ ଭୂତାଣୁ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ପୂର୍ବ ପରି ସତର୍କ ରହିବା ସହ ସମସ୍ତ କଟକଣା ମାନିବା ଉଚିତ୍ ।
ଓମିକ୍ରନ୍ ଭାରିଆଣ୍ଟ(Omicron Variant) ବିଷୟରେ ସେ କହିଛନ୍ତି ଯେ, ଏହାର ସ୍ପାଇକ୍ ପ୍ରୋଟିନରେ ଥିବା ଭୂତାଣୁର ସଂକ୍ରମଣ କ୍ଷମତା ଅଧିକ ରହିଛି । କିନ୍ତୁ ଏହାକୁ ରୋକାଯାଇପାରିବ । ଟୀକାକରଣ ଦ୍ବାରା ସୃଷ୍ଟି ହୋଇଥିବା ଆଣ୍ଟିବଡି ଓମିକ୍ରନ୍ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରେ । ଯେପର୍ଯ୍ୟନ୍ତ ଆମେ ଓମିକ୍ରନ ବାବଦରେ ବିଶେଷ କିଛି ସନ୍ଧାନ ପାଇନାହାନ୍ତି ସେ ପର୍ଯ୍ୟନ୍ତ, ସଚେତନ ହେବା ଉଚିତ୍ ଏବଂ ଏହି ନୂଆ ଭାରିଆଣ୍ଟର ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ।
ମହାମାରୀ ସମୟରେ ଟିକା ଏବଂ ଔଷଧ ବିତରଣରେ ଦେଖାଯାଉଥିବା ଦ୍ରୁତ ପ୍ରଗତିକୁ ଆଦର୍ଶରେ ପରିଣତ କରିବାକୁ ଗିଲବର୍ଟ ଆହ୍ବାନ କରିଛନ୍ତି ।