ଜେନିଭା: ଚୀନରୁ ପ୍ରାରମ୍ଭ ହୋଇଥିବା କୁହାଯାଉଥିବା କୋରୋନା ସଂକ୍ରମଣକୁ ନେଇ ଅନ୍ତର୍ଜାତୀୟସ୍ତରରେ ଆରମ୍ଭ ହୋଇଛି ବିଭିନ୍ନ ଅନୁସନ୍ଧାନ ଓ ଗବେଷଣା । ବିଭିନ୍ନ ବଡ ବଡ ସଂଗଠନ ଏକତ୍ରିତ ହୋଇ ଏହା କିପରି ଆରମ୍ଭ ହୋଇଥିଲା ତାହାର ସନ୍ଧାନ ଆରମ୍ଭ କରିଛନ୍ତି । ଏପରି ସମୟରେ କିଛି ପଶୁଙ୍କ ଦେହରେ ମଧ୍ୟ ଏହାର ଲକ୍ଷଣ ଦେଖାଦେଇଥିବା ବେଳେ ଏବେ ପଶୁଙ୍କ ଦେହରୁ କୋରୋନାର ସୃଷ୍ଟି କି ନାହିଁ ସେନେଇ ଦେଖାଦେଇଛି ପ୍ରଶ୍ନବାଚୀ ।
ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଚୀନ ଆରମ୍ଭ କରିଛି ପ୍ରସ୍ତୁତି । କିଛି ଅନ୍ତର୍ଜାତୀୟ ଫୋରମ ସହ ମିଶି ଏନେଇ ଗଭୀର ଅନୁସନ୍ଧାନ କରିବା ପାଇଁ ପ୍ରସ୍ତୁତ ରହିଛି ଚୀନ । ସେପଟେ ଏହି ଅନୁସନ୍ଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) । ଏନେଇ ମତ ପ୍ରକାଶ କରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖପାତ୍ର ତାରିକ ଜାସାରେଭିକ କହିଛନ୍ତି କି ଅନ୍ତର୍ଜାତୀୟ ପାର୍ଟନରଙ୍କ ସହ ସଂସ୍ଥା କାମ କରିବାକୁ ଇଚ୍ଛୁକ ।
ପ୍ରାରମ୍ଭିକ ସମୟରେ କୋରୋନା ବାଦୁଡିଙ୍କଠାରୁ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳିଥିବା ବେଳେ ଏହା କେତେ ସତ କେତେ ମିଛ ତାହା ଜାଣିବା ଅତି ଜରୁରୀ ହୋଇ ପଡିଛି । ତେଣୁ ଚୀନ ଦ୍ବାରା ଆରମ୍ଭ ହେବାକୁ ଥିବା ଏହି ଅନୁସନ୍ଧାନରେ ଚୀନ ସରକାରଙ୍କ ପକ୍ଷରୁ ସଂସ୍ଥା ଆମନ୍ତ୍ରଣର ଅପେକ୍ଷାରେ ରହିଛି ।