ପ୍ୟାରିସ: ଫ୍ରାନ୍ସରେ ସୁଧୁରୁଛି କୋଭିଡ-19 ସ୍ଥିତି । ଆକ୍ରାନ୍ତଙ୍କ ସଂଖ୍ୟା କମ୍ ହେବା ପରେ ସରକାର ଲକଡାଉନ କୋହଳ କରିଛନ୍ତି । ବିଭିନ୍ନ ସ୍କୁଲ, କଲେଜ, ଅଫିସ, ମଲ୍ ଧିରେ ଧିରେ ଖୋଲିବାରେ ଲାଗିଛି । ତେବେ ଏପରି ସ୍ଥିତିରେ ସରକାର ଦେଶର ସମସ୍ତ ମାସ୍କ ତିଆରି କମ୍ପାନୀଙ୍କ ପ୍ରଶଂସା କରିଛନ୍ତି ।
ଲକଡାଉନବେଳେ ଦେଶକୁ ବ୍ୟାପକ ସଂଖ୍ୟାରେ ଏହି ମାସ୍କ ତିଆରି କରି ଯୋଗାଇଥିବାରୁ ସରକାର ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଲକ୍ଷ ଲକ୍ଷ ମାସ୍କ ନିର୍ମାଣ କରି ଯୋଗାଇଥିଲେ ବିଭିନ୍ନ କମ୍ପାନୀ । ଏଥିପାଇଁ ହଜାର ହଜାର କର୍ମଚାରୀ କାମରେ ଲାଗିଥିଲେ । ଏପରିକି କିଛି କମ୍ପାନୀ ଲୋକଙ୍କ ସୁବିଧା ଦେଖି ଲାଟେଷ୍ଟ ଫ୍ୟାସନ ଷ୍ଟାଇଲର ଫେସ ମାସ୍କ ତିଆରି କରିଥିଲେ ଯାହା ଖୁବ୍ ଆଦୃତ ହୋଇଥିଲା । ବିପଦପୂର୍ଣ୍ଣ ସମୟରେ ଦେଶକୁ ସହାୟତା କରିଥିବାରୁ ଏମାନଙ୍କ ପ୍ରଶଂସା କରି ସରକାର କୃତଜ୍ଞତା ଜଣାଇଛନ୍ତି ।
ହେଲେ ବର୍ତ୍ତମାନ ଏହି କମ୍ପାନୀମାନେ ସରକାରଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି । କାରଣ ନିର୍ଦ୍ଦେଶକ୍ରମେ ଏମାନେ ଶହ ଶହ ସଂଖ୍ୟାରେ ଏହି ମାସ୍କ ବନାଇଥିବାବେଳେ ବର୍ତ୍ତମାନ ଅନେକ ମାସ୍କ ଗୋଦାମରେ ପଡିରହିଛି । ଏବେ କେହି ମାସ୍କ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । କାରଣ ଏପ୍ରିଲ ଓ ମେ ମାସରେ ବିପୁଳ ସଂଖ୍ୟାରେ ଏହା ବିକ୍ରି ହୋଇଛି । ଏହାପରେ ବର୍ତ୍ତମାନ ପ୍ରାୟ 20 ମିଲିୟନ ମାସ୍କ ପଡିରହିଛି । ଏହାକୁ କିଣିବାକୁ କେହି ଗ୍ରାହକ ଆସୁନାହାନ୍ତି । ଲୋକେ ନିଜେ ମାସ୍କ ତିଆରି କରି ପିନ୍ଧୁଥିବାବେଳେ ପ୍ରାୟ ସମସ୍ତେ ଏହି ମାସ୍କ କିଣିସାରିଛନ୍ତି । ପୂର୍ବରୁ ଏହାର ଜରୁରୀ ଥିବାବେଳେ ବିପୁଳ ପରିମାଣରେ ଏହା ତିଆରି ହୋଇଥିଲା । କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ନଥିବାରୁ ସରକାର କମ୍ପାନୀଙ୍କୁ କିଛି ସ୍ପଷ୍ଟ ନିର୍ଦ୍ଦେଶ ଦେଇନଥିଲେ ।
ତେବେ ଏବେ ଲୋକେ ଆଉ କିଣୁନଥିବାରୁ ଏହି କମ୍ପାନୀମାନେ କ୍ଷତି ସହିଛନ୍ତି । ହଜାର ହଜାର ଟେକ୍ସଟାଇଲ୍ କମ୍ପାନୀ ସରକାରଙ୍କୁ ଗ୍ରାହକ ଯୋଗାଡ କରିବା ପାଇଁ ଅନୁରୋଧ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶକ୍ରମେ ଏମାନେ ସ୍ବଦେଶୀ କୌଶଳରେ ମାସ୍କ ନିର୍ମାଣ କରିଥିଲେ । ନିଜେ ରାଷ୍ଟ୍ରପତି ମାକ୍ରୋନ ଏକ ଜାତୀୟ ପତାକା ରଙ୍ଗର ମିଲିଟାରୀ ମାସ୍କ ପିନ୍ଧି ମେଡ୍ ଇନ୍ ଫ୍ରାନ୍ସକୁ ପ୍ରମୋଟ୍ କରିଥିଲେ । ହେଲେ ଏସବୁର ଦାମ୍ ଅଧିକ ଯୋଗୁଁ ଲୋକେ ଏହାକୁ କିଣିବାରେ ଅମଙ୍ଗ ହେଉଛନ୍ତି । ବରଂ ସେମାନେ ଏସିଆରୁ ଆସୁଥିବା ଅପେକ୍ଷାକୃତ ଶସ୍ତା ଦାମରେ ମାସ୍କ କିଣିବାକୁ ପ୍ରାଧାନ୍ୟ ଦେଉଛନ୍ତି । ଫଳରେ ଫ୍ରାନ୍ସରେ ମାସ୍କ କିଣିବାକୁ ଗ୍ରାହକଙ୍କ ଅଭାବ ଦେଖାଦେଇଛି । ଯେଉଁଥିପାଇଁ ସରକାରଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି ନିର୍ମାଣକାରୀ କମ୍ପାନୀ ।