ନୂଆଦିଲ୍ଲୀ: ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀର ସ୍ଥିତ ପୁଲୱାମାରେ ସିଆରପିଏଫ ଗାଡିରେ ହୋଇଥିଲା ଆତ୍ମଘାତୀ ଆକ୍ରମଣ । ଏହି ଆକ୍ରମଣ ପାଇଁ ଜୈଶ-ଇ-ମହମ୍ମଦ ନିଜକୁ ଦାୟୀ କରଥିଲା । ଏହି ଆତଙ୍କୀ ସଙ୍ଗଠନର ମୁଖ୍ୟ ମାସୁଦ ଆଜହର ବିରୁଦ୍ଧରେ ଆନ୍ତର୍ଜାତିକ ସ୍ତରରେ ଅଭିଯାନ ଚଳାଇଥିଲା ଭାରତ । ଆଉ ଭାରତକୁ ମିଳିଛି ସଫଳତା । କାରଣ ଫ୍ରାନ୍ସ ନେବାକୁ ଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ ।
ଫ୍ରାନ୍ସ ଭାରତକୁ ସମର୍ଥନ କରି ମାସୁଦର ସମସ୍ତ ସମ୍ପତ୍ତି ଜବତ କରିବାକୁ ଯାଉଛି । ଆତଙ୍କୀ ବିରୋଧୀ ଅଭିଯାନରେ ଭାରତର ସାଥ୍ ଦେବ ବୋଲି ଫ୍ରାନ୍ସ କହିଛି । ମାସୁଦକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବାରେ ମୁଖ୍ୟ ବାଧକ ସାଜିଛି ଚୀନ । ପ୍ରତିଥର ନିଜ ଭିଟୋ କ୍ଷମତା ପ୍ରୟୋଗ କରି ଚୀନ ମାସୁଦକୁ ରକ୍ଷା କରି ଚାଲିଛି ।
ଏନେଇ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଚୀନକୁ ଚେତାବନୀ ଦେଇଥିଲା । ସୁରକ୍ଷା ପରିଷଦରେ ଆମେରିକାର ରାଜଦୂତ ଚେତାବନୀ ଦେଇ କହିଥିଲେ ଯେ ଯଦି ବେଜିଂ ଆତଙ୍କୀ ବିରୋଧରେ ଲଢିବାକୁ ନେଇ ଗମ୍ଭୀର ଅଛି ତେବେ ପାକିସ୍ତାନ ଓ ଅନ୍ୟ ଦେଶର ଆତଙ୍କୀଙ୍କୁ ବଞ୍ଚାଇବାର ପ୍ରୟାସ ନ କରୁ ।
ଚୀନ ଏହା ଚତୁର୍ଥ ଥର ପାଇଁ କରିଛି । ଚୀନ ବାରମ୍ବାର ସୁରକ୍ଷା ପରିଷଦର କାର୍ଯ୍ୟରେ ବାଧକ ସାଜୁଛି । ଯଦି ଚୀନ ଏପରି କରିବ ତେବେ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟ କଡା ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି କହିଛି ଆମେରିକା ।