ହାଇଦ୍ରାବଦ: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ ଚିରାକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା । ସେ 1995ରୁ 2007 ପର୍ଯ୍ୟନ୍ତ ଫ୍ରାନ୍ସର ରାଷ୍ଟ୍ରପତି କାର୍ଯ୍ୟଭାର ସମ୍ଭାଳିଥିଲେ । ପରିବାର ବନ୍ଧୁ ପରିଜନଙ୍କ ଗହଣରେ ଗୁରୁବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ତାଙ୍କ ବିୟୋଗରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୁଆ ଓଲାନ୍ଦ ଓ ନିକୋଲାଇ ସାର୍କୋଜି ଶୋକବ୍ୟକ୍ତ କରିଛନ୍ତି । ଏହାସହ ଫ୍ରାନ୍ସର ନେସନାଲ ଆସେମବ୍ଲି ପକ୍ଷରୁ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଛି ।
ଚିରାକ ଦୁଇ ଥର ଫ୍ରାନ୍ସର ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ। ତାଙ୍କ ଶାସନ କାଳରେ ସେ ଫ୍ରାନ୍ସରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ । ପୂର୍ବରୁ ଫ୍ରାନ୍ସରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ 7 ବର୍ଷ ଥିଲା । ଏଥିରେ ପରିବର୍ତ୍ତନ କରି ସେ ଏହାକୁ 5 ବର୍ଷ କରିବା ପାଇଁ ନିୟମ ଆଣିଥିଲେ ।
ନିଜର 12 ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଚିରାକ ବିଶ୍ବସ୍ତରୀୟ ନେତା ଭାବରେ ବେଶ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ସମୟରେ ଦେଶରେ ଅନେକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ତଥା ଅଳ୍ପସଂଖ୍ୟକ ସମୁଦାୟ ଯୁବକଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିଲେ । ଏହି କାରଣରୁ ତାଙ୍କ କାର୍ଯ୍ୟକାଳ ସମୟରେ 2005ରେ ଫ୍ରାନ୍ସରେ ଦଙ୍ଗା ସୃଷ୍ଟି ହୋଇଥିଲା । ବୈଦେଶିକ ନୀତିକୁ ସୁଦୃଢ କରିବା ପାଇଁ ସେ ପଶ୍ଚିମ ଏସିଆ ଓ ଅଫ୍ରିକା ଦେଶ ସମୂହ ସହ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରଖିଥିଲେ ।
ବର୍ଷ 2007ରେ ରାଷ୍ଟ୍ରପତି ପଦରୁ ବିଚ୍ୟୁତ ହେବା ପରେ ତାଙ୍କ ନାମରେ ବିଭିନ୍ନ ଅଭିଯୋଗ ଆସିଥିଲେ । ଜନତାଙ୍କ ଅର୍ଥରାଶିର ଦୁରୂପଯୋଗ, ବିଶ୍ବାସଘାତକ, ନିଜ ହିତରେ ସରକାରୀ ଅର୍ଥର ଅପବ୍ୟବହାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଫଳରେ ତାଙ୍କୁ 2 ବର୍ଷ ସଜା କାଟିବାକୁ ପଡିଥିଲା ।