ମସ୍କୋ: ଆରମ୍ଭ ହୋଇଛି ୟୁକ୍ରେନ-ଋଷିଆ ଯୁଦ୍ଧ । ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧର ଘୋଷଣା କରିଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଋଷର ଘୋଷଣା ପରେ ସ୍ଥିତି ଉଗ୍ର ରୂପ ନେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନ ଓ ଋଷ ରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାର ଖବର ସାମ୍ନାକୁ ଆସିଛି । ୟୁକ୍ରେନ ରାଜଧାନୀ କିଭର ମୁଖ୍ୟ ଏୟାରପୋର୍ଟ ନିକଟରେ ବହୁ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ଏକ ମିଡିଆ ରିପୋର୍ଟରେ କୁହାଯାଇଛି ।
ଆମେରିକୀୟ ବ୍ରଡକାଷ୍ଟର ଅନୁଯାୟୀ, ପୁଟିନଙ୍କ ସେନା ଅପରେସନ ଘୋଷଣା କରିବାର କିଛି ସମୟ ମଧ୍ୟରେ ଦୁଇଟି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଋଷ ସୀମାନ୍ତ ୟୁକ୍ରେନର ପ୍ରମୁଖ ସହର କାରକିଭ ଓ ଓଡେସା ଅଞ୍ଚଳରେ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଓଡେସା ସହରକୁ ଋଷ ସେନା ଘେରି ରହିଛନ୍ତି । ସେହିପରି ୟୁକ୍ରେନ ସରକାର ଦେଶରେ ସାମରିକ ଆଇନ ଜାରି କରିବା ସହ ବେସାମରିକ ବିମାନ ଚଳାଚଳ ପାଇଁ ଆକାଶ ପଥ ବନ୍ଦ କରି ଦେଇଛନ୍ତି ।
ଋଷ ୟୁକ୍ରେନୀୟ ସହରଗୁଡିକ ଉପରେ ବିଭିନ୍ନ ପ୍ରାନ୍ତରୁ ଆକ୍ରମଣ କରୁଛି । ଋଷ ସେନା ୟୁକ୍ରେନ ଏୟାରବେସ ଉପରେ ଆକ୍ରମଣ କରି ନଷ୍ଟ କରିଦେଇଥିବା ଦାବି କରିଛି । ସେପଟେ ଋଷିଆର ୫ଟି ଲଢୁଆ ବିମାନ ଓ ଗୋଟିଏ ହେଲିକପ୍ଟର ଖସାଇଛି ୟୁକ୍ରେନ । ଲୁହାନସ୍କ ଅଞ୍ଚଳରେ ଋଷ ଆକ୍ରମଣର ଏପରି ପାଲଟା ଜବାବ ଦିଆଯାଇଥିବା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।
ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ବିଶ୍ବ ସମୁଦାୟ ଚିନ୍ତିତ ଥିବାବେଳେ ଆମେରିକା ଋଷ ଆକ୍ରମଣକୁ କଡା ନିନ୍ଦା କରିଛି । ଯୁଦ୍ଧରେ ଯାହାବି କ୍ଷୟକ୍ଷତି ହେବ ସେଥିପାଇଁ କେବଳ ଋଷିଆ ଦାୟୀ ରହିବ ବୋଲି ରାଷ୍ଟ୍ରପତି ବାଇଡେନ ଚେତାବନୀ ଦେଇଛନ୍ତି । ସେପଟେ ପୁଟିନ ମଧ୍ୟ ବାହାର ରାଷ୍ଟ୍ରଗୁଡିକୁ କଡା ଚେତାବନୀ ଦେଇଛନ୍ତି । କୌଣସି ରାଷ୍ଟ୍ର ୟୁକ୍ରେନ-ଋଷ ବିବାଦରେ ହସ୍ତକ୍ଷେପ କଲେ ଭୟଙ୍କର ପରିମାଣ ଭୋଗିବାକୁ ପଡିବ ବୋଲି ଧମକ ଦେଇଛନ୍ତି ପୁଟିନ । ଇତିମଧ୍ୟରେ ଜାତିସଙ୍ଘ ମଧ୍ୟ ଋଷକୁ ସେନା ପ୍ରତ୍ୟାହାର କରିବାକୁ କହିଛି । ମାନବିକତା ଦୃଷ୍ଟିକୋଣରୁ ଯୁଦ୍ଧ ରୋକିବାକୁ ଜାତିସଙ୍ଘ ଅନୁରୋଧ କରିଛି ।
@ANI