ଜେନିଭା: ବିଶ୍ବରେ ଅର୍ଦ୍ଧାଧିକ ସ୍ଥାନରେ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଅନେକ ସ୍ଥାନରେ ଏବେ ବି ସ୍ଥିତି ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ନଚେତ୍ ଆଗକୁ ପରିଣାମ ଭୟଙ୍କର ହେବ ଏଥିରେ ସନ୍ଦେହ ନାହିଁ । ଏପରି କିଛି ମନ୍ତବ୍ୟ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) । ଏଥିସହ ଡବ୍ଲୁଏଚଓ ଏହା ମଧ୍ୟ କହିଛି କି ବିଶ୍ବରେ ଅନେକ ରାଷ୍ଟ୍ରଙ୍କର ଲଗାତାର ଚେଷ୍ଟା ସତ୍ତ୍ବେ ସ୍ଥିତି ନିୟନ୍ତ୍ରଣାଧିନ ହୋଇପାରିନାହିଁ ।
ଶୁକ୍ରବାର ଦୈନିକ ବିବରଣୀ ଦେବା ସମୟରେ ଡବ୍ଲୁଏଚଓ ସାଧାରଣ ନିର୍ଦ୍ଦେଶକ ଟେଡ୍ରୋସ ଆଢାନୋମ ଘେବ୍ରେୟେସସ୍ ଏକଥା ସ୍ପଷ୍ଟ କରିଥିଲେ । ସେ କହିଥିଲେ କି ବିଶ୍ବରେ କୋରୋନା ସ୍ଥିତି ନିୟନ୍ତ୍ରଣ ନେଇ ଚେଷ୍ଟା ଚାଲିଥିବା ସତ୍ତ୍ବେ ଅନେକ ବିକାଶଶୀଳ ଦେଶରେ ଏବେ ବି ସ୍ଥିତି ଭୟଙ୍କର ରହିଛି । ଅନେକ ବିକଶିତ ରାଷ୍ଟ୍ରରେ ସମସ୍ତ ସୁବିଧା ଥାଇ ମଧ୍ୟ ସ୍ଥିତି ଅନିୟନ୍ତ୍ରିତ ରହିଥିବା ବେଳେ ଯେଉଁ ରାଷ୍ଟ୍ରମାନେ ସଫଳତା ନେଇ ଦାବି କରିଛନ୍ତି ତାହା ସାମାନ୍ୟ ସଫଳତା ବୋଲି ଡବ୍ଲୁଏଚଓ ପ୍ରକାଶ କରିଛି । ତେଣୁ କୁହାଯାଇପାରେ କି ବିଶ୍ବରେ ଅର୍ଦ୍ଧାଧିକ ସ୍ଥାନରେ ଏବେ ବି ସ୍ଥିତି ଖରାପ ରହିଛି । ଯାହା ଦିନକୁ ଦିନ ଅଧିକ ଭୟଙ୍କର ଆଡକୁ ଗତି କରୁଛି ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଏହା ମଧ୍ୟ କହିଛନ୍ତି କି ମହାମାରୀର କାୟା ଏବେ ବି ବ୍ୟାପିବାରେ ଲାଗିଛି । କାରଣ ବିଶ୍ବବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ 6 ସପ୍ତାହ ମଧ୍ୟରେ ଦ୍ବିଗୁଣିତ ହୋଇଛି । ସେପଟେ ଜନ୍ସ ହପକିନ୍ସ ୟୁନିଭର୍ସିଟିର ରେକର୍ଡ ମୁତାବକ ଶନିବାର ସୁଦ୍ଧା ବିଶ୍ବବ୍ୟାପୀ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 12,507,849ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 5,60,460ରେ ପହଞ୍ଚିଥିବା ଜଣା ପଡିଛି ।
ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି । ଏହିକ୍ରମରେ ଆମେରିକାରେ ମୋଟ ଆକ୍ରାନ୍ତ ସଂଖ୍ୟା 3,182,385ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 134,037 ରେ ପହଞ୍ଚିଥିବା ଜଣା ପଡିଛି । ଏହା ପରେ ପରେ 1,800,827 ଜଣ ଆକ୍ରାନ୍ତଙ୍କ ସମେତ 70,398ଜଣଙ୍କ ମୃତ୍ୟୁ ସହ ଦ୍ବିତୀୟ ସ୍ଥାନରେ ରହିଛି ବ୍ରାଜିଲ ।
@IANS