ଡବଲିନ: ଦାୟିତ୍ବ ଆଗରେ ଫିକା ପଡଛି ପଦବୀର ଲୋଭ । କୋରୋନା ପାଇଁ ବର୍ତ୍ତମାନ ସାରା ବିଶ୍ବ ନିଜ ବଳ ପରୀକ୍ଷା କରୁଥିବା ବେଳେ ଆୟରଲାଣ୍ଡରେ ଦେଖିବାକୁ ମିଳିଛି ମାନବିକତାର ଏକ ନିଆରା ଉଦାହରଣ । ଦେଶରେ କୋରୋନା ଲଢେଇର ସାମିଲ ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ପୁନଃ ଜଣେ ଡାକ୍ତର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଲିଓ ଭାରାଡକର ।
ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଦୀର୍ଘ 7 ବର୍ଷ ଯାଏଁ ସେ ଜଣେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ଏହାପରେ 2013 ମସିହାରେ ସେ ଡାକ୍ତର ପେଶା ଛାଡି ରାଜନୀତିରେ ଯୋଗ ଦେଇଥିଲେ ଓ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନର ପରିସ୍ଥିତି ପାଇଁ ଡାକ୍ତରମାନେ ଦିନରାତି ଏକ କରି ବିଶ୍ବବାସୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ନିଜ ଭିତରର ଡାକ୍ତରକୁ ପୁଣି ଜୀବିତ କରିଛନ୍ତି ଭାରାଡକର ।
ଦେଶରେ ବର୍ତ୍ତମାନ ରହିଥିବା କୋଭିଡ-19 ଚିକିତ୍ସକମାନଙ୍କୁ ସେ ସାହାଯ୍ୟ କରିବା ସହ ଆକ୍ରାନ୍ତମାନଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବେ । ଡାକ୍ତରମାନଙ୍କୁ ଏହା ଉତ୍ସାହିତ କରିବା ସହ ଆକ୍ରାନ୍ତମାନଙ୍କ ମନୋବଳ ଦୃଢ କରିବା ବୋଲି ମତ ଦେଇଛନ୍ତି ଭାରାଡକର । ତେବେ ମାନବିକତାର ଏଇ ଭିନ୍ନ ପରିଚୟ ଦେବା ସହ ଭାରାଡକର ପ୍ରମାଣ କରିଛନ୍ତି କି ସମୟ ଯେତେ ଖରାପ ହେଲେ ବି ମାନବିକତା କେବେ ବି ମରେ ନାହିଁ ।