ରୋମ: କୋରୋନାକୁ ନେଇ ବର୍ତ୍ତମାନ ଯାଏ ଇଟାଲୀରେ 1,35, 586 ମାମଲା ପୃଷ୍ଟି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 17,127କୁ ପହଞ୍ଚିଛି । କୋଭିଡ-19 ଜରୁରୀକାଳୀନ ପରିସ୍ଥିତି ପରିଚାଳନା କରୁଥିବା ନାଗରିକ ସୁରକ୍ଷା ବିଭାଗରୁ ଏହି ସୂଚନା ମିଳିଛି । ଏଥିମଧ୍ୟରୁ ସୋମବାର 880 ନୂତନ ସକ୍ରିୟ ମାମଲା ପଞ୍ଜିକୃତ ହୋଇଛି ବୋଲି ଏକ ରିପୋର୍ଟ ଆସିଛି । ଏହା ସହିତ ସମଗ୍ର ଦେଶରେ ମୋଟ 94067 କୋରୋନା ସକ୍ରିୟ ମାମଲା ରହିଛି । ପୂର୍ବ ଦିନ ତୁଳନାରେ 1,555 ରୁ ଅଧିକ ଲୋକ ଏହି ସଂକ୍ରମଣରୁ ଉଦ୍ଧାର ହୋଇଛନ୍ତି, ଯାହା ପରେ ସୁସ୍ଥ ଥିବା ଲୋକଙ୍କ ସଂଖ୍ୟା 24,392 କୁ ବୃଦ୍ଧି ପାଇଛି ।
ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଆଞ୍ଜେଲୋ ବୋରେଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନୂତନ ସଂକ୍ରମଣ ମାମଲାରେ ଏବେ ହ୍ରାସ ଘଟିଛି ଏବଂ ମାର୍ଚ୍ଚ 10 ତାରିଖରୁ ପ୍ରତିଦିନ ସର୍ବନିମ୍ନ 880 ମାମଲା ରିପୋର୍ଟ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ 3,039 ମାମଲା ବୃଦ୍ଧି ପାଇ ମୋଟ ମାମଲା 1,35,586 କୁ ପହଞ୍ଚିଛି । ଯେଉଁମାନଙ୍କ ଟେଷ୍ଟ ପଜିଟିଭ୍ ଆସିଛି ସେମାନଙ୍କ ମଧ୍ୟରୁ 28,718 ଜଣଙ୍କୁ ଡାକ୍ତରଖାନାର ସାଧାରଣ ୱାର୍ଡରେ ଏବଂ 3,792 ଲୋକଙ୍କୁ ଆଇସିୟୁରେ, ଅବଶିଷ୍ଟ 61,557 ଜଣଙ୍କୁ ଘରେ ଆଇସୋଲେସନରେ ରଖାଯାଇଛି ।
ବୋରେଲି ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଇଟାଲୀ ଡାକ୍ତରଖାନା ଉପରେ ଚାପ ବର୍ତ୍ତମାନ ହ୍ରାସ ପାଉଛି ଏବଂ ବିଶେଷ ଭାବରେ ପୂର୍ବ ଅପେକ୍ଷା ଆଇସିୟୁରେ ବର୍ତ୍ତମାନ 106 ରୋଗୀ କମ୍ ଅଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 604 କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଦୈନିକ ଭିତ୍ତିରେ ସୋମବାର 636 ଜଣ ଏବଂ ରବିବାର 525 ଜଣଙ୍କର ମୃତ୍ୟୁ ହୋଇଥିଲା ।
@IANS