ଲଣ୍ଡନ: ବ୍ରିଟିଶ ଏୟାରୱେଜ୍ ଏହାର ଏକ ଚତୁର୍ଥାଂଶରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ । କୋରୋନା ଭାଇରସ ମହାମାରୀର ପ୍ରଭାବ କାରଣରୁ ୟୁରୋପର ଏହି ଅନ୍ୟତମ ବୃହତ୍ତମ ବିମାନ କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ଛଟେଇ କରିବା ପାଇଁ ଚିନ୍ତା କରୁଛି । ଏନେଇ ପ୍ୟାରେଣ୍ଟ କମ୍ପାନୀ IAG (ICAGY) ପକ୍ଷରୁ ଆଭାସ ମିଳିଛି ।
ପ୍ୟାରେଣ୍ଟ କମ୍ପାନୀ IAG (ICAGY) ମଙ୍ଗଳବାର ଏକ ବିବୃତ୍ତିରେ ଲେବର ୟୁନିୟନର ପୁନଃଗଠନ ସଂପର୍କରେ ଉଲ୍ଲେଖ କରିଛି । ଯାହା ଦ୍ବାରା ଅନେକ କର୍ମଚାରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହି ପ୍ରଭାବିତ କର୍ମଚାରୀଙ୍କ ସଂଖ୍ୟା 12,000ରୁ ଅଧିକ ହୋଇପାରେ ବୋଲି କୁହାଯାଉଛି ।
ସ୍ପେନ ଏୟାରଲାଇନ୍ସ ଆଇବେରିଆକୁ ଅଧିଗ୍ରହଣ କରିଥିବା IAG କୋରୋନା ପାଇଁ ପ୍ରଥମ ତ୍ରୟମାସିକ ଆୟରେ 13 ପ୍ରତିଶତ ହ୍ରାସ ଘଟିଛି । ଗତ ତିନିମାସରେ ଏହାର ଆୟର ପରିମାଣ 4.6 ବିଲିୟନ ୟୁରୋ (5 ବିଲିୟନ ଆମେରିକୀୟ ଡ଼ଲାର)ରେ ପହଞ୍ଚିଛି । ଯାହା ଦ୍ବାରା କମ୍ପାନୀର 535 ମିଲିୟନ ୟୁରୋ ଅର୍ଥାତ 579 ମିଲିୟନ ଆମେରିକୀୟ ଡ଼ଲାର କ୍ଷତି ଘଟିଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଗତ ବର୍ଷର ଯାତ୍ରୀ ଚାହିଦା ଫେରିପାଇବା ପାଇଁ ଅନେକ ବର୍ଷ ଲାଗିପାରେ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଇଛି ।
ଜର୍ମାନୀ, ସ୍ବିଜରଲ୍ୟାଣ୍ଡ, ଅଷ୍ଟ୍ରିଆ ଏବଂ ବେଲଜିୟମରେ ଜାତୀୟ ପରିବହନକାରୀ ରହିଥିବା ଏୟାରଲାଇନ୍ସ ଗ୍ରୁପ୍ ଲୁଫଥାନସା (DLAKY) ଦ୍ବାରା ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି । ଚଳିତ ମାସ ଆରମ୍ଭରେ କମ୍ପାନୀ ଏହାର କାରବାରକୁ ହ୍ରାସ କରୁଥିବା ନେଇ ଘୋଷଣା କରିଥିଲା ।
ବ୍ରିଟିଶ ଏୟାରୱେଜ ସିଇଓ ଆଲେକ୍ସ କ୍ରୁଜ୍ କହିଛନ୍ତି, ‘ଗତକାଲି ବ୍ରିଟିଶ ଏୟାରୱେଜ ପକ୍ଷରୁ ମାତ୍ର ଅଳ୍ପ କେତେକ ବିମାନ ଉଡିଥିଲା । ସାଧାରଣ ଦିନରେ ଆମେ 300ରୁ ଅଧିକ ବିମାନ ଉଡ଼ାଉଥିଲୁ ।’ ବିଶ୍ବବ୍ୟାପୀ ବିମାନ ଉଡ଼ାଣରେ ନିଷେଧାଦେଶ ଓ ଲକଡାଉନ କାରଣରୁ ସମଗ୍ର ବିଶ୍ବରେ ବିମାନ କମ୍ପାନୀ ଗୁଡିକ ଦେବାଳିଆ ହେଉଥିବା ଖବର ଆସିଛି ।
ସେହିପରି ଆନ୍ତର୍ଜାତୀୟ ବିମାନ ପରିବହନ ଆସୋସିଏସନ ଅନୁଯାୟୀ, ଚଳିତବର୍ଷ କାରବାରରେ 55% କିମ୍ବା 314 ବିଲିୟନ ଡ଼ଲାରର ହ୍ରାସ ହୋଇପାରେ ।
ଗତ ସପ୍ତାହରେ ଭର୍ଜିନ ଅଷ୍ଟ୍ରେଲିଆ ଏୟାରଲାଇନ୍ସର କାରବାର ଠପ ହୋଇଥିବାବେଳେ ଏହାର ସହଯୋଗୀ ଏୟାରଲାଇନ୍ସ ଭର୍ଜିନ ଆଟଲାଣ୍ଟିକ କାରବାର ବଜାୟ ରଖିବାପାଇଁ ବାହାର ନିବେଶକଙ୍କ ସହାୟତା ନେଉଥିବା ସ୍ପଷ୍ଟ କରିଛି । ଏହା ସହ ଭର୍ଜିନ ଆଟଲାଣ୍ଟିକ ମଧ୍ୟ ବ୍ରିଟିଶ ସରକାରଙ୍କଠାରୁ ବ୍ୟବସାୟିକ ଋଣ ମାଗୁଥିବା ଦେଖିବାକୁ ମିଳିଛି ।
ଏହି ମାସ ଆରମ୍ଭରେ, ବ୍ରିଟିଶ ଏୟାରୱେଜ ମେ ମାସ ଶେଷ ପର୍ଯ୍ୟନ୍ତ କର୍ମଚାରୀଙ୍କ ନିୟମିତ ମାସିକ ବେତନର 80% ପ୍ରଦାନ କରିପାରିବ। ଏହା ଦ୍ବାରା 30,000 କର୍ମଚାରୀ ଉପକୃତ ହୋଇପାରିବେ। କୋରୋନା ଭାଇରସ ଚାକିରି ଧାରଣ କାର୍ଯ୍ୟକ୍ରମ ଅଧୀନରେ ଏହାକୁ ପ୍ରଦାନ କରାଯିବ ବୋଲି ବ୍ରିଟିଶ ଏୟାରୱେଜ ସିଇଓ ପ୍ରକାଶ କରିଛନ୍ତି ।
କେତେବେଳେ ଲକଡାଉନ ଉଠିବ ବା କେବେ ଦେଶ ଗୁଡିକ ନିଜର ବାୟୁସୀମା ଖୋଲିବେ ସେନେଇ ଅନିଶ୍ଚିତତା ଥିବାରୁ ବ୍ରିଟିଶ ଏୟାରୱେଜକୁ ପୁନଃଗଠନ କରିବାକୁ ପଡିବ ବୋଲି ଆଲେକ୍ସ କ୍ରୁଜ୍ କହିଛନ୍ତି । ଏହି ଆହ୍ବାନ ଯଥେଷ୍ଟ ପରିବର୍ତ୍ତନ ଆବଶ୍ୟକ କରେ ତେଣୁ ଆମେ ଏକ ପ୍ରତିଯୋଗିତାମୂଳକ ଏବଂ ସ୍ଥିର ସ୍ଥିତି ବଜାୟ ରଖିବାକୁ ଚେଷ୍ଟାକରୁଛୁ ବୋଲି ସେ ପ୍ରକାଶ କରିଛନ୍ତି ।
ବିମାନ ଚଳାଚଳରେ ବାଧା ଦ୍ବାରା ୟୁରୋପରେ ପ୍ରାୟ 6.7 ନିୟୁତ ଚାକିରୀ ବିପଦରେ ପଡିବାର ଆଶଙ୍କା ରହିଛି । ଏଥିପାଇଁ ସରକାରଙ୍କ ସହାୟତା ନିହାତି ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି । @ANI