ମସ୍କୋ: ମହାମାରୀରେ ପରିଣତ ହୋଇଥିବା କୋରୋନା ସଂକ୍ରମଣ ପାଇଁ ବିଶ୍ବର ପ୍ରଥମ ପ୍ରତିଷେଧକ ଟୀକାର ଶେଷ ହୋଇଛି କ୍ଲିନିକାଲ ଟ୍ରାଏଲ । ଋଷିଆର ସେଚେନୋଭ ମସ୍କୋ ଷ୍ଟେଟ ମେଡିକାଲ ୟୁନିଭର୍ସିଟିରେ ଏହି ପ୍ରତିଷେଧକର ଭଲ୍ୟୁଣ୍ଟିୟରଙ୍କ ଉପରେ କ୍ଲିନିକାଲ ଟ୍ରାଏଲ ରବିବାର ଶେଷ ହୋଇଥିବା ୟୁନିଭର୍ସିଟି ପକ୍ଷରୁ ପ୍ରକାଶ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାଦିନ ତାରାସୋଭ ।
ଏସମ୍ପର୍କରେ ଅଧିକ ସୂଚନା ଦେଇ ସେ କହିଛନ୍ତି କି ପ୍ରତିଷେଧକର ପ୍ରଥମ କ୍ଲିନିକାଲ ଟ୍ରାଏଲରେ ଭାଗ ନେଇଥିବା ଭଲ୍ୟୁଣ୍ଟିୟରମାନଙ୍କୁ ଆସନ୍ତା ବୁଧବାର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ । ସେହିପରି ଦ୍ବିତୀୟ ଭଲ୍ୟୁଣ୍ଟିୟର ଦଳଙ୍କୁ ଆସନ୍ତା ଜୁଲାଇ 20ରେ ଡିସଚାର୍ଜ କରାଯିବ । ସେପଟେ ସମ୍ପୃକ୍ତ ୟୁନିଭର୍ସିଟିରେ ଗାମାଲେଇ ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜି ଓ ମାଇକ୍ରୋବାୟୋଲୋଜି ଦ୍ବାରା ପ୍ରସ୍ତୁତ ପ୍ରତିଷେଧକର କ୍ଲିନିକାଲ ଟ୍ରାଏଲ ହେଉଥିବା ଜଣାପଡିଛି । ଜୁନ 18ରୁ ଏହି ଟ୍ରାଏଲ ଆରମ୍ଭ ହୋଇଥିଲା ।
ଏହି ଟ୍ରାଏଲର ମୂଳ ଲକ୍ଷ୍ୟ ଥିଲା ମାନବ ଶରୀର ଉପରେ ଏହାର ପ୍ରଭାବ ଯାଞ୍ଚ କରିବା । ଯାହା ସଫଳତାର ସହ ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସେଚେନୋଭ ୟୁନିଭର୍ସିଟିର ଟ୍ରପିକାଲ ଆଣ୍ଡ ଭେକ୍ଟର-ବର୍ଣ୍ଣ ଡିଜିଜ ବିଭାଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ପାରାସିଟୋଲୋଜିର ନିର୍ଦ୍ଦେଶକ ଆଲେକ୍ସାଣ୍ଡର ଲୁକାସେଭ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ମାନବ ଶରୀର ଉପରେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ।
ଆଗକୁ ଏହି ପ୍ରତିଷେଧକର ବିକାଶ ନେଇ ଗବେଷକମାନେ ଯୋଜନା ଜାରି ରଖିଛନ୍ତି । ଯାହା ଆଗକୁ ଯାଇ କୋରୋନା ସଂକ୍ରମଣ ପାଇଁ ସୃଷ୍ଟି ହୋଇଥିବା ସ୍ଥିତିରେ ସୁଧାର ଆଣିବ ବୋଲି ଆଶା ରଖାଯାଇଛି । ସୂଚନା ମୁତାବକ ବର୍ତ୍ତମାନ କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଶହେରୁ ଉର୍ଦ୍ଧ୍ବ ପ୍ରତିଷେଧକର ପରୀକ୍ଷା ଜାରି ରହିଛି ।