ନୂଆଦିଲ୍ଲୀ: ଗତ କିଛି ଦିନରୁ ପାକିସ୍ତାନରେ ଜାରି ରହିଛି ରାଜନୈତିକ ଉତ୍ତେଜନା । ଇମ୍ରାନ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି 11 ଦଳ । ସମ୍ପୂର୍ଣ୍ଣ ପାକିସ୍ତାନରେ ଚାଲିଛି ବିରୋଧ ପ୍ରଦର୍ଶନ । ଏହି କ୍ରମରେ ପାକିସ୍ତାନ କବଜାରେ ଥିବା ଗିଲଗିଟ ଓ ବାଲ୍ଟିସ୍ତାନରେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ ।
ପାକିସ୍ତାନ ସରକାରଙ୍କ ଅଜବ ନିଷ୍ପତ୍ତି ଓ ସ୍ଥାନୀୟ ନିର୍ବାଚନରେ ଜାଲିଆତି ବିରୋଧରେ ଲୋକଙ୍କ ମନରେ ରହିଛି ପ୍ରବଳ ଆକ୍ରୋଶ । ଏପରି କି ଏହି ପ୍ରଦର୍ଶନ ଏବେ ପାକିସ୍ତାନର ସେନା ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ ।
କିଛି ଦିନ ହେବ ଜଳିବାରେ ଲାଗିଛି ପାକିସ୍ତାନ ଅଧିକୃତ କାଶ୍ମୀର । ଶୁଭୁଛି ପାକିସ୍ତାନ ସରକାର ବିରୋଧୀ ନାରା ଓ ଦେଖିବାକୁ ମିଳୁଛି ଉତ୍ତେଜନାର ମାହୋଲ । ପାକିସ୍ତାନ ସରକାର ଏପରି କିଛି କରିଛନ୍ତି, ଯେଉଁ କାରଣରୁ ଏଠାକାର ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବାରେ ଲାଗିଛି । ପ୍ରାୟ 73 ହଜାର ବର୍ଗ କିଲୋମିଟରର ଏହି ସମଗ୍ର ଅଞ୍ଚଳ ଆକ୍ରୋଶର ନିଆଁରେ ଜଳୁଛି |
ପରିସ୍ଥିତି ଏପରି ହୋଇଛି ଯେ ଲୋକଙ୍କ ଏହି ଆକ୍ରୋସ ଦେଖିବା ପରେ ପାକିସ୍ତାନର ଶାସକ ଦଳର ପାରଦ ବଢିଯାଇଛି । ଦୋହଲିବାକୁ ଲାଗିଛି ଇମ୍ରାନଙ୍କ ଆସନ ଓ ତାଜ । ତାରିଖ ସାକ୍ଷୀ ଯେ ଯେତେବେଳେ ବି ଗିଲଗିଟ ଓ ବାଲ୍ଟିସ୍ତାନରେ ଏପରି ବିରୋଧର ନିଆଁ ଲାଗିଥାଏ, ସେତେବେଳେ ପାକିସ୍ତାନୀ ସେନା ଏହାକୁ ଦମନ କରିବାକୁ ପଛଘୁଞ୍ଚା ଦେଇନଥାନ୍ତି। କିନ୍ତୁ ଏଥର ଲୋକଙ୍କ ମନୋଭାବ ଦେଖି ସେନା ମଧ୍ୟ ବିଚଳିତ ହୋଇଡିଛି ।
ଇମ୍ରାନ ଖାନ ଗିଲଗିଟ ବାଲ୍ଟିସ୍ତାନକୁ ପାକିସ୍ତାନର ପଞ୍ଚମ ରାଜ୍ୟ କରିବାକୁ ଘୋଷଣା କରିଥିଲେ। ଏଥିସହ, ଏହି ଘୋଷଣାରେ ଏହା ମଧ୍ୟ କୁହାଯାଇଛି ଯେ ଏଠାରେ ଲୋକମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ। ହେଲେ ପ୍ରକୃତ କଥା ହେଉଛି ଯେ ଗିଲଗିଟ ବାଲ୍ଟିସ୍ତାନର ବାସିନ୍ଦାଙ୍କ ଇଚ୍ଛା ବିରୁଦ୍ଧରେ ଏହା ନିଆଯାଇଥିବା ଏକ ଚରମ ନିଷ୍ପତ୍ତି, ଯାହାକୁ ସେଠାକାର ଲୋକମାନେ କୌଣସି ମୂଲ୍ୟରେ ଗ୍ରହଣ କରିବାକୁ ଇଚ୍ଛୁକ ନୁହଁନ୍ତି। ତେବେ ଗିଲଗିଟ ଓ ବାଲ୍ଟିସ୍ତାନରେ ସୃଷ୍ଟି ହୋଇଥିବା ଏହି ବିଦ୍ରୋହର ଅଗ୍ନି ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତିର ଫଳାଫଳ ନା ଏହା ଭିତରେ ଆଉ କିଛି କାହାଣୀ ଲୁଚି ରହିଛି, ତାହା ଏବେ ବଡ ପ୍ରଶ୍ନବାଚୀ ।