କିଭ୍: ଦିନକୁ ଦିନ ଋଷ-ୟୁକ୍ରେନ ଯୁଦ୍ଧର କୋପ ବଢ଼ି ଚାଲିଛି । ଥମିବାରେ ନାଁ ନେଉନି ଋଷ-ୟୁକ୍ରେନ ବିବାଦ । ଏହାରି ଭିତରେ ଯୁଦ୍ଧକୁ ସମାପ୍ତ କରିବାର ଉପାୟ ବାହାର କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି । ଆଲୋଚନା ବିନା ଯୁଦ୍ଧର ସମାପ୍ତି ନାହିଁ । ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି କି ଯୁଦ୍ଧକୁ ସମାପ୍ତ କରିବାର ଏକମାତ୍ର ଉପାୟ ହେଉଛି ଆଲୋଚନା । ବିନା ଆଲୋଚନାରେ ଋଷ ଯେଉଁ ଯୁଦ୍ଧ ଆକ୍ରମଣ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଜେଲନସ୍କି ପୁଟିନଙ୍କ ସହିତ ଯୁଦ୍ଧ ବନ୍ଦ ସମ୍ପର୍କରେ ଆଲୋଚନା କରିବାକୁ ମୂଳରୁ ପ୍ରସ୍ତାବ ଦେଇ ଆସୁଛନ୍ତି ବୋଲି କହିଛନ୍ତି । ତାଙ୍କ ସହିତ ସିଧାସଳଖ ଗୋଟିଏ ଟେବୁଲରେ ବସି ଆଲୋଚନା କରିବାକୁ ସେ ପ୍ରସ୍ତୁତ ବି ଅଛନ୍ତି । ଆଉ ଏହି ଆଲୋଚନାରେ ଯଦି ସେମାନେ ବିଫଳ ହୁଅନ୍ତି ତେବେ ତୃତୀୟ ବିଶ୍ବ ଯୁଦ୍ଧ ନିଶ୍ଚିନ୍ତ ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।
ଅନ୍ୟପକ୍ଷରେ ଜାତିସଂଘ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୧ କୋଟି ୟୁକ୍ରେନ ନାଗରିକ ସେମାନଙ୍କ ଘର ଛାଡ଼ିଲେଣି । ଋଷ ପକ୍ଷରୁ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବା ପରେ ସେମାନେ ଏବେ ପ୍ରତିଦିନ ଘର ଛାଡୁଛନ୍ତି । ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ୟୁରୋପରେ ସର୍ବବୃହତ ଶରଣାର୍ଥୀ ସମସ୍ୟା ସୃଷ୍ଟି କରିଛି । ଇତି ମଧ୍ୟରେ ପୋପ୍ ଫ୍ରାନ୍ସିସ୍ ଏହି ଯୁଦ୍ଧରେ ପରିସମାପ୍ତି ଘଟାଇବାକୁ ଉଭୟ ପକ୍ଷଙ୍କୁ ଆହ୍ବାନ ଦେଇଛନ୍ତି । କାରଣ ଏହା ମାନବିକତା ପ୍ରତି ଏକ ନିଷ୍ଠୁର କାର୍ଯ୍ୟ ହୋଇଛି । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ରବିବାର ରାତିରେ ଇସ୍ରାଏଲ ସଂସଦରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇ ଇସ୍ରାଏଲର ସମର୍ଥନ ଲୋଡ଼ିଛନ୍ତି ।
ୟୁକ୍ରେନ ଉପରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ମାଡ କରାଯାଉଥିବା ବିଷୟକୁ ଋଷ ସ୍ବୀକାର କରିଛି । ଋଷ ପକ୍ଷରୁ କୁହାଯାଇଛି ଯେ ଏହା ୟୁକ୍ରେନ ରାଜଧାନୀ କିଭ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । କୃଷ୍ଣ ସାଗରରେ ଥିବା ଋଷର ଯୁଦ୍ଧ ଜାହାଜରୁ ଏହି ହାଇପରସୋନିକ କ୍ଷେପଣାସ୍ତ୍ରରେ ଆକ୍ରମଣ କରାଯାଉଛି। ଏଥିସହିତ ଋଷ କୃଷ୍ଣ ସାଗରରୁ ୟୁକ୍ରେନ ଉପରକୁ କାଲିବର କ୍ଷେପଣାସ୍ତ୍ର ମାଡ଼ କରୁଛି । ୟୁକ୍ରେନ ସାମରିକ ସ୍ଥଳ ଗୁଡ଼ିକ ସମେତ ଜନବସତି ଉପରେ ଘନଘନ ରକେଟ ଓ ବୋମା ମାଡ଼ କରୁଥିବା ଋଷୀୟ ବିମାନ ଗୁଡ଼ିକ ମାରିଓପୋଲରେ ଚାରିଶହ ସାଧାରଣ ନାଗରିକ ଆଶ୍ରୟ ନେଇଥିବା ଏକ ଆର୍ଟ ସ୍କୁଲ ଉପରେ ବୋମା ମାଡ଼ କରିଛି । ତେବେ ଏଥିରେ ହୋଇଥିବା ମୃତାହତଙ୍କ ସମ୍ପର୍କରେ ଏଯାବତ କୌଣସି ସୂଚନା ମିଳିନାହିଁ ।
ଇତିମଧ୍ୟରେ ପୋଲାଣ୍ଡ ସରକାର ତାଙ୍କ ଦେଶକୁ ପଳାଇ ଯାଉଥିବା ୟୁକ୍ରେନ ନାଗରିକଙ୍କୁ ଶରଣାର୍ଥୀ ପରିଚୟପତ୍ର ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଏହା ଦ୍ବାରା ୟୁକ୍ରେନ ନାଗରିକମାନେ ଉକ୍ତ 'ପେସେଲ୍' ପରିଚୟପତ୍ର ବଳରେ ପୋଲାଣ୍ଡରେ କାର୍ଯ୍ୟ କରିପାରିବେ, ବାସ କରିବେ, ସେମାନଙ୍କ ପିଲା ସ୍କୁଲ ଯାଇପାରିବେ ଏବଂ ସେମାନେ ସ୍ବାସ୍ଥ୍ୟ ସେବା ଏବଂ ସାମାଜିକ କଲ୍ୟାଣମୂଳକ ଯୋଜନାର ଫାଇଦା ପାଇପାରିବେ । ଏହା ୧୮ ମାସ ପାଇଁ ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଲକ୍ଷ୍ୟକରି ପୋଲାଣ୍ଡ ସରକାର ନିଷ୍ପତ୍ତି ନେବେ । ଯୁଦ୍ଧରେ ଅବସାନ ଘଟାଇବାକୁ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ସଫଳ ହେବାନେଇ ଆଶା ପ୍ରକାଶ କରିଛନ୍ତି ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭ୍ଲଟ କାଭୁସୋଗ୍ଲୁ । ସେ କହିଛନ୍ତି, ଉଭୟ ପକ୍ଷ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି।