ଇସଲାମବାଦ: ପାକିସ୍ତାନରେ କୋରୋନା ସଂକ୍ରମିତ ଡାକ୍ତରଙ୍କ ସଂଖ୍ୟା ଶନିବାର ସୁଦ୍ଧା 160କୁ ବୃଦ୍ଧି ପାଇଥିବାବେଳେ ତିନି ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଦେଶରେ ପିପିଏ ଅଭାବକୁ ନେଇ ମେଡିକାଲ କର୍ମଚାରୀଙ୍କ ବିରୋଧ 10ମ ଦିନରେ ପହଞ୍ଚିଛି ।
ପାକିସ୍ତାନ ମେଡିକାଲ ଆସୋସିଏସନ ଅନୁଯାୟୀ, ଏକ ସପ୍ତାହରୁ ଅଧିକ ସମୟ ପୂର୍ବରୁ ଏହି ଜୀବାଣୁ ସଂକ୍ରମିତ ହୋଇଥିବା ଡାକ୍ତର ମହମ୍ମଦ ଜାଭେଦ୍ ଇକବାଲ ପେଶୱାରରେ ମୃତ୍ୟୁ ବରଣ କରିଥିଲେ। ଏହାପୂର୍ବରୁ, ଗିଲଗିଟ-ବାଲ୍ଟିସ୍ତାନ ଏବଂ କରାଚିରେ ଜଣେ ଡାକ୍ତର କୋଭିଡ -19 କାରଣରୁ ମୃତ୍ୟୁବରଣ କରିଥିଲେ। ଆସୋସିଏସନ ଅନୁଯାୟୀ, ଏପର୍ଯ୍ୟନ୍ତ 160 ଜଣ ଡାକ୍ତରଙ୍କ ସମେତ 250 ଜଣ ସ୍ୱାସ୍ଥ୍ୟକର୍ମୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।
ପଞ୍ଜାବ ସ୍ୱାସ୍ଥ୍ୟ ବିଭାଗ ବାହାରେ ଡାକ୍ତର ଏବଂ ନର୍ସ ସଂଗଠନର ବିରୋଧ 10ମ ଦିନରେ ପହଞ୍ଚିଛି। ତାଙ୍କର ବିରୋଧ ହେଉଛି ଯେ ପର୍ଯ୍ୟାପ୍ତ ସୁରକ୍ଷା କିଟ୍ ଅଭାବରୁ ସ୍ୱାସ୍ଥ୍ୟ କର୍ମୀମାନେ କ୍ରମାଗତ ଭାବରେ ସଂକ୍ରମିତ ହେଉଛନ୍ତି । ଏନେଇ ସରକାରଙ୍କର ଏଥିପ୍ରତି କୌଣସି ଧ୍ୟାନ ନଥିବା ଅଭିଯୋଗ ହୋଇଛି । ବିକ୍ଷୋଭକାରୀଙ୍କ ନେତୃତ୍ୱ ନେଉଥିବା ଡାକ୍ତର ସଲମାନ ହାସିବ କହିଛନ୍ତି ଯେ, ସରକାର ଏହି ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆମର ବିରୋଧ ପ୍ରଦର୍ଶନ ଜାରି ରହିବ।
ଅନ୍ୟପକ୍ଷରେ, ପାକିସ୍ତାନରେ କୋଭିଡ-19 ସଂକ୍ରମିତ ଲୋକଙ୍କ ସଂଖ୍ୟା ଗତ 24 ଘଣ୍ଟା ମଧ୍ୟରେ 785 ଜଣ ଲୋକ ସଂକ୍ରମିତ ହୋଇଛନ୍ତି, 16 ଜଣ ମୃତ୍ୟୁବରଣ କରିଛନ୍ତି । ଯାହାଦ୍ବାରା ଦେଶରେ ସମୂଦାୟ ଆକ୍ରାନ୍ତଙ୍କ ସଂଖ୍ୟା 11 ହଜାର 940ରେ ପହଞ୍ଚିଥିବାବେଳେ, ମୃତ୍ୟୁ ସଂଖ୍ୟା 253କୁ ଛୁଇଁଛି । ବର୍ତ୍ତମାନ 2 ହଜାର 755 ଲୋକ ସୁସ୍ଥ ହୋଇଥିବା ସୂଚନା ଦେଇଛି ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରାଳୟ ।