ଟୋକିଓ: ଆପଣ କେବେ ଶହ ଶହ ବିଲେଇଙ୍କୁ ଏକା ସାଙ୍ଗରେ ଦେଖିଛନ୍ତି କି ? ଦେଖିବାକୁ ଚାହୁଁଛନ୍ତି ଯଦି ତେବେ ଆପଣଙ୍କୁ ଯିବାକୁ ହେବ ଜାପାନ । ଜାପାନରେ ରହିଛି ଅନେକ ଗୁଡ଼ିଏ ଦ୍ବୀପ ଯେଉଁଠି ଆପଣ ଶହ ଶହ ବିଲେଇଙ୍କୁ ରାସ୍ତାରେ ବୁଲୁଥିବାର ଦେଖିବାକୁ ପାଇବେ । ସେଥିମଧ୍ୟରୁ ଗୋଟିଏ ହେଉଛି ଆଓଶିମା ଦ୍ବୀପ । ଏହି ଦ୍ବୀପରେ ଲୋକଙ୍କ ଅପେକ୍ଷା ବିଲେଇଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଆଓଶିମାରେ ଶହେରୁ ଅଧିକ ବିଲେଇ ଦ୍ବୀପରେ ବୁଲୁଥିବାର ଦେଖିବାକୁ ମିଳନ୍ତି । ପରିତ୍ୟକ୍ତ ଘର ମାନଙ୍କରେ ରହିବା ସହ ଶାନ୍ତ ଭାବେ ମତ୍ସ୍ୟଜୀବୀଙ୍କ ଏହି ଗାଁରେ ଏମାନେ ବୁଲନ୍ତି। ଦ୍ବୀପରେ ପ୍ରତି 6ଟି ବିଲେଇରେ ମନୁଷ୍ୟ ସଂଖ୍ୟା 1 । ଗତକିଛି ବର୍ଷ ହେବ ଏହା ବେଶ୍ ଲୋକପ୍ରିୟ ହେବାରେ ଲାଗିଛି, ଛୋଟ ଆଓଶିମାରେ ପର୍ଯ୍ୟଟକଙ୍କ କ୍ରମାଗତ ବୃଦ୍ଧି ଘଟିଛି, ଯାହାକି ସ୍ବଳ୍ପ ବାସିନ୍ଦା ଥିବା ଏହି ଦ୍ବୀପକୁ ଖୁସିରେ ଭରିଛି ।
ଏହି ‘‘ବିଲେଇ ଦ୍ବୀପ’’ରେ ଏକଦା 1945 ରେ 900 ଲୋକ ବାସ କରୁଥିଲେ। ଆଜି, ଏଠାରେ ଅଧିକାଂଶ ପେନସନଭୋଗୀ ରହିଛନ୍ତି, ଯେଉଁମାନେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଅନ୍ୟତ୍ର କାମ ଖୋଜିନଥିଲେ।
କେମିତି ଆସିଲେ ଏତେ ବିଲେଇ
ଦ୍ବୀପରେ ମତ୍ସଜୀବୀଙ୍କ ଡଙ୍ଗା ନଷ୍ଟ କରୁଥିବା ମୂଷାଙ୍କ ଅତ୍ୟଧିକ ସଂଖ୍ୟା ସହିତ ମୁକାବିଲା କରିବା ପାଇଁ ପ୍ରଥମେ ବିଲେଇମାନଙ୍କୁ ଦ୍ବୀପକୁ ଅଣାଯାଇଥିଲା । ଜାପାନ ଡେଲି ପ୍ରେସ ଅନୁଯାୟୀ, ପ୍ରାୟ ଏକ ଦଶନ୍ଧି ପୂର୍ବରୁ ମାନବ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଲା ଏବଂ ବିଲେଇମାନଙ୍କୁ ପ୍ରଜନନରୁ ରକ୍ଷା କରିବାକୁ କେହି ନଥିଲେ। ତେଣୁ ସେମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା ।
ଆପଣ ସେହି ସ୍ଥାନକୁ ଗଲେ ଏହି ବିଲେଇ ଗୁଡିକ ଖୁସିରେ ଆପଣଙ୍କ ସହ ଖେଳିବେ । ଖାଦ୍ୟ ଦେଲେ ଆପଣଙ୍କୁ ସେ ଫଟୋ ଉଠାଇବାକୁ ମଧ୍ୟ ଦେବେ । ଦ୍ବୀପର ସମ୍ପ୍ରଦାୟ କେନ୍ଦ୍ର ନିକଟରେ ଏକ ନିର୍ଦ୍ଦିଷ୍ଟ ଫିଡିଂ କ୍ଷେତ୍ର ଅଛି, ବନ୍ଦରଠାରୁ ମାତ୍ର ଦୁଇ ମିନିଟ୍ ଚାଲିବାକୁ ପଡ଼େ, ତେଣୁ ଯଦି ଆପଣ ବିଲେଇମାନଙ୍କୁ ଖାଇବାକୁ ଦେବାକୁ ଚାହାଁନ୍ତି ତେବେ କେବଳ ଏହି ସ୍ଥାନରେ ହିଁ ଖୁଆଇ ପାରିବେ ।
ପର୍ଯ୍ୟଟକଙ୍କ ପାଇଁ ଏଠାରେ କୌଣସି ସୁବିଧା ନଥିଲେ ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି ।