ତାଇପେଇ: ତାଇଓ୍ବାନ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ପାଇଛି । ଏହାସହ 66 ଜଣ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ଶୁକ୍ରବାର ଦିନ ତାଇଓ୍ବାନ ଏକ୍ସପ୍ରେସ ରାଜଧାନୀ ତାଇପେଇରୁ ଦକ୍ଷିଣ ପୂର୍ବ ଟାଏଟୁଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଏକ୍ସପ୍ରେସଟି ଲାଇନଚ୍ୟୁତ ହୋଇଥିଲା । ଫଳରେ ଏକ୍ସପ୍ରେସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା । ତେବେ, ଏହି ଦୁର୍ଘଟଣାରେ ଏବେ ସୁଧା 48 ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ,ଆଂଶିକ ଖସିପଡିଥିବା ଟ୍ରେନ୍ ଭିତରେ ଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହି ଏକ୍ସପ୍ରେସରେ 5ଶହ ଲୋକ ଥିବା ଜଣାପଡିଛି ।