କରାଚୀ: ପାକିସ୍ତାନର ସିନ୍ଧ ପ୍ରଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଜଣେ ମେଡିକାଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା । ଏ ଘଟଣାରେ ତଦନ୍ତ ସହ ନ୍ୟାୟ ଦାବିରେ ପାକ୍ତିସ୍ତାନର ବନ୍ଦର ନଗରୀ କରାଚୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀ ପ୍ଲାକାର୍ଡ ଧରି ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପାଇଁ ଦାବି କରିଛନ୍ତି ।
ଗତ ମଙ୍ଗଳବାର ସିନ୍ଧ ପ୍ରଦେଶର ଲରକନା ସହରରେ ମେଡିକାଲ ଛାତ୍ରୀ ନମ୍ରିତାଙ୍କ ମୃତଦେହ ହଷ୍ଟେଲରୁ ଉଦ୍ଧାର କରାଯାଇଥିଲା । ତାଙ୍କ ବେକରେ ଏକ ଦଉଡି ଲାଗିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ କରିଥିଲେ । ତେବେ କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି ।
ପୂର୍ବରୁ ସିନ୍ଧ ପ୍ରଦେଶରେ ଅନ୍ୟ ଜଣେ ସଂଖ୍ୟାଲଘୁ ମହିଳାଙ୍କର ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଯେଉଁଠି ଜଣେ ଶିଖ ମହିଳାଙ୍କୁ ଅପହରଣ କରାଯିବା ପରେ ଜଣେ ମୁସଲିମ ଯୁବକଙ୍କ ସହ ବିବାହ କରିବାକୁ ବାଧ୍ୟ କରାଯାଇଥିଲା । ଅନ୍ୟପଟେ ନିକଟରେ ଜଣେ ହିନ୍ଦୁ ଶିକ୍ଷକଙ୍କୁ ମାଡମାରିବା ସହ ଏକ ମନ୍ଦିର ମଧ୍ୟ ଭଙ୍ଗାରୁଜା ମଧ୍ୟ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା ।