ଇସଲାମାବାଦ: କୋରୋନା ଭାଇରସର ଚେନକୁ ରୋକିବ ପାଇଁ ସାରା ବିଶ୍ବ ପ୍ରୟାସ ଜାରି ରଖିଛି । ଏଥିଲାଗି ବିଶ୍ବର ଅଧିକାଂଶ ଦେଶରେ ଲକଡାଉନ ଘୋଷଣା କରାଯାଇଛି । କୌଣସି ଲୋକଙ୍କୁ ଏକତ୍ରିତ ହେବାକୁ ମନା କରାଯାଇଛି । ତଥାପି ଏହି ନିୟମକୁ ଉଲଙ୍ଘନ କରୁଛନ୍ତି କିଛି ଲୋକେ । ପାକିସ୍ତାନରେ ଏହି ନିୟମ ଉଲଙ୍ଘନକରୀଙ୍କୁ ଦଣ୍ଡ ଦିଆଯାଉଛି । ତେବେ ଇମାମ ମୌଲାନା ଅବଦୁଲ ଅଜିଜ ଏବଂ ଅନ୍ୟ 6 ବ୍ୟକ୍ତି ଏହି ନିୟମ ନମାନି ଏକତ୍ରିତ ହୋଇ ନମାଜ ପଢିଥିଲେ । ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।
ରବିବାର ପୋଲିସ ସୂଚନା ଦେଇଛି ଯେ ଅଜିଜ ଇସଲାମାବାଦର ପ୍ରସିଦ୍ଧ ଲାଲ ମସଜିଦଠାରେ ଲୋକଙ୍କୁ ଏକାଠି କରିଥିଲେ । ଏହା ପରେ ସମସ୍ତେ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ । ମସଜିଦ ନିକଟରେ ଉପସ୍ଥିତ ଅଧିକାରୀମାନେ ଏକାଠି ନମାଜ ନପଢିବାକୁ ଏବଂ ଲାଉଡ ସ୍ପିକରର ଅପବ୍ୟବହାର ନକରିବା ନେଇ ସରକାରଙ୍କ ଆଦେଶ ବିଷୟରେ କହିଥିଲେ । କିନ୍ତୁ ସେମାନେ ଏହାକୁ ଅଣଦେଖା କରିଥିଲେ ।
ମସଜିଦରେ ପ୍ରାୟ 400 ଲୋକ ଏକାଠି ହୋଇଥିଲେ । ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହିଁ । ଯେଉଁଠାରେ ଲୋକମାନେ ପ୍ରାର୍ଥନା କରିଥିଲେ ଏବଂ ଇମାମ ଏହି ପ୍ରତିବନ୍ଧକକୁ ଅବମାନନା କରିଥିଲେ ଉକ୍ତ ମସଜିଦ ଗୁଡିକର ଆକଳନ ସଂଗ୍ରହ କରିବାକୁ ଇସଲାମାବାଦ ପ୍ରଶାସନ ପୋଲିସକୁ କହିଛି ।ସେପଟେ ପୋଲିସ କହିଛି ଯେ ଲକଡାଉନ୍ ଘୋଷଣା ହେବା ପରଠାରୁ ପ୍ରଶାସନ ରାଜଧାନୀରେ 121 ମାମଲା ରୁଜୁ କରିଛି ।
ପ୍ରକାଶ ଥାଉ କି, ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ 2,879 ଜଣ କୋରୋନା ଭାଇରସ ଆକ୍ରାନ୍ତରେ ଚିହ୍ନଟ ହୋଇଥିବା ବେଳେ 44 ଜଣଙ୍କର ମୃତ୍ୟୁ ହୋଇଛି ।
@IANS