ଇସଲାମାବାଦ: ପାକିସ୍ତାନରେ କୋରୋନା ସ୍ଥିତି ଅତ୍ୟନ୍ତ ଭୟଙ୍କର ପାଲଟିଛି । ଶୁକ୍ରବାର ଦେଶରେ କୋରୋନା ସଂଖ୍ୟା 64 ହଜାର ପାର କରିଛି । ସ୍ବାସ୍ଥ୍ୟବସ୍ଥାରେ ଅବ୍ୟବସ୍ଥା ଘଟଣା ସବୁଦିନ ସାମନାକୁ ଆସୁଛି । ତଥାପି ପାକ୍ ସରକାର କୌଣସି ପ୍ରକାର ପଦକ୍ଷେପ ନେବେନି ବୋଲି କହିଛନ୍ତି ।
ପାକ୍ ସୂଚନା ମନ୍ତ୍ରୀ ଶିବଲି ଫରାଜ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କିଛି ହସ୍ପିଟାଲରେ କୋଭିଡ 19 ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ସୂଚନା ରହିଛି । ହେଲେ ଏହା ଚିନ୍ତାର ବିଷୟ ନୁହେଁ । କାରଣ ଲୋକ କିଛି ଫେମସ ହସ୍ପିଟାଲକୁ ହିଁ ଯାଉଛନ୍ତି । ସେଥିପାଇଁ ସେଠାରେ ଆକ୍ରାନ୍ତ ବଢିବାରେ ଲାଗିଛନ୍ତି । ଦେଶରେ କୋରୋନା ସ୍ଥିତି ସନ୍ତୋଷଜନକ ରହିଛି । ପରିସ୍ଥିତି ସେତେ ଗମ୍ଭୀର ନାହିଁ ଯେ କଡା ପଦକ୍ଷେପ ନିଆଯିବ । ସରକାର ସମସ୍ତ ପ୍ରକାର ଉପାୟ ଆପଣାଉଛନ୍ତି ବୋଲି ସେ କହିଛନ୍ତି ।
ଏବେ ସୁଦ୍ଧା ଦେଶରେ 404 ଗୁରୁତର ଆକ୍ରାନ୍ତ ଅଛନ୍ତି ଯେଉଁଥିରୁ 161 ଜଣ ଭେଣ୍ଟିଲେଟରରେ ଅଛନ୍ତି । ଦେଶରେ ଏବେ ବି ଯଥେଷ୍ଟ ଭେଣ୍ଟିଲେଟର ମହଜୁଦ ଅଛି । ଆଗରୁ ଯେତେ ଆକଳନ ହେଉଥିଲା ତାହା ଅନୁସାରେ କମ ଆକ୍ରାନ୍ତ ବାହାରିଛନ୍ତି । ଏହାକୁ ନେଇ ବ୍ୟସ୍ତ ହେବାର କାରଣ ନାହିଁ । କିଛି ଖବର ଅନୁସାରେ ସରକାର ଲକଡାଉନ କଡାକଡି ଲାଗୁ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଶୁଣାଯାଉଛି । ହେଲେ ଏହା ସତ୍ୟ ନୁହେଁ । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତେଣୁ ଲକଡାଉନର ଆବଶ୍ୟକତା ନାହିଁ ବୋଲି ଶିବଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ ପାକିସ୍ତାନରେ ଶୁକ୍ରବାର 2636 ଆକ୍ରାନ୍ତ ବାହାରିଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତ 64 ହଜାର 28 ରହିଛି । ସେହିପରି 57 ଜଣଙ୍କ ମୃତ୍ୟୁ ସହ ମୋଟ୍ 1317 ଲୋକଙ୍କର ପ୍ରାଣ ଯାଇଛି । ତେବେ ସିନ୍ଧରେ ସର୍ବାଧିକ 25 ହଜାର 309 ଆକ୍ରାନ୍ତ ରହିଛନ୍ତି । ଏହା ପଛକୁ ପଞ୍ଜାବରେ 22 ହଜାର 964 ଆକ୍ରାନ୍ତ ବାହାରିଛନ୍ତି । ଏହାସହ ମୋଟ୍ 22 ହଜାର 305 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସରକାର 24 ଘଣ୍ଟାରେ 11 ହଜାର 937 ସାମ୍ପଲ ଟେଷ୍ଟ କରିଛନ୍ତି ।