ଇସଲାମାବାଦ: ନୂଆଦିଲ୍ଲୀରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ପାକ୍ ହାଇକମିଶନର ଦୁଇ ଅଧିକାରୀଙ୍କୁ ଭାରତ ବହିଷ୍କାର କରିବା ନିଷ୍ପତ୍ତିରେ ପାକିସ୍ତାନ ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ସମନ ଜାରି କରିଛି ।
ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ (ଏଫଓ) ପକ୍ଷରୁ କୁହାଯାଇଛି, ଭାରତୀୟ ଭାରପ୍ରାପ୍ତ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରାଯାଇଛି । ପାକିସ୍ତାନ ହାଇ କମିଶନଙ୍କ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଆଗତ ଅଭିଯୋଗ ଭିତ୍ତିହୀନ । ଏହାକୁ ପାକିସ୍ତାନ ନିନ୍ଦା କରୁଛି ।
ପାକିସ୍ତାନ ଆହୁରି ମଧ୍ୟ କହିଛି, ଭାରତର ଏହି କାର୍ଯ୍ୟ କୂଟନୈତିକ ସଂପର୍କ ତଥା କୂଟନୈତିକ ନିୟମ ଉପରେ ରହିଥିବା ଭିଏନା ସମ୍ମିଳନୀକୁ ଉଲ୍ଲଂଘନ କରୁଛି ।’
ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି, ‘ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନଙ୍କ ଦୁଇଜଣ ଅଧିକାରୀଙ୍କୁ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗରେ ମେ 31ରେ ଭାରତୀୟ କର୍ତ୍ତୃପକ୍ଷ ଉଠାଇ ନେଇଥିଲେ ।’ ତେବେ ହାଇକମିଶନଙ୍କ ହସ୍ତକ୍ଷେପରେ ସେମାନଙ୍କୁ ମୁକ୍ତ କରାଯାଇଛି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି ।
@PTI