ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଅଛି । ତାଙ୍କର କୌଣସି ସମସ୍ୟା ହୋଇନଥିବା ଦକ୍ଷିଣ କୋରିଆ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର କୋରିଆରେ କୌଣସି ପ୍ରକାର ଅଚଳାବସ୍ଥା ଦେଖିବାକୁ ମିଳିନଥିବା ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି ।
ନିକଟରେ କିଛି ଅସମର୍ଥିତ ଖବର ପ୍ରକାଶ କରିଥିଲେ ଯେ କିମଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଛି । ଏକ ସର୍ଜରୀ ପରେ ସେ ଅସୁସ୍ଥ ଥିବା ଜଣାପଡିଛି । ଆମେରିକାର କିଛି ନ୍ୟୁଜ ଚ୍ୟାନେଲ ଏହା ଉପରେ ଖବର ପରିବେଷଣ କରିଥିଲେ । ତେବେ ଉତ୍ତର କୋରିଆ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ହେଲେ ଏପ୍ରିଲ 15ରେ ଦେଶର ସବୁଠାରୁ ବଡ ହଲିଡେ ତଥା ପ୍ରତିଷ୍ଠାତା ଦିବସ ଏବଂ ନିଜ ଜେଜେଙ୍କ ଜନ୍ମଦିନରେ କିମ ଦେଖାଦେଇନଥିଲେ । ଯାହାକୁ ନେଇ ତାଙ୍କ ସ୍ବାସ୍ଥ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଛି ।
ତେବେ ଉତ୍ତର କୋରିଆର ପାରମ୍ପରିକ ଶତ୍ରୁ ଦକ୍ଷିଣ କୋରିଆ ଏହି ଖବରକୁ ଖଣ୍ଡନ କରିଛି । ପଡୋଶୀ ଦେଶରେ କୌଣସି ପ୍ରକାର ଅଚଳାବସ୍ଥା ବା ଜରୁରୀ ପରିସ୍ଥିତି ଦେଖିବାକୁ ମିଳିନାହିଁ । ସେଠାରେ ସମସ୍ତ ସରକାରୀ କାର୍ଯ୍ୟ ସ୍ବାଭାବିକ ଚାଲିଛି । ଏପରିକି କିମ ମଧ୍ୟ ଶାସକ ଦଳର 2 ନେତାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଛନ୍ତି । ଦେଶରେ କୋରୋନା ସମ୍ପର୍କିତ ସମସ୍ତ ବୈଠକରେ ଉପସ୍ଥିତ ରହିଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବାର କୌଣସି ସୂଚନା ନାହିଁ । ପଡୋଶୀ ଦେଶରେ କିଛି ବି ଅସ୍ବାଭାବିକ ଲକ୍ଷଣ ଦେଖାଯାଉନାହିଁ ବୋଲି ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।