କାଠମାଣ୍ଡୁ: ନେପାଳରେ ପୁଣି ବଢିଛି ଲକଡାଉନ ଅବଧି । ଦ୍ବିତୀୟ ଥର ପାଇଁ ଏହାକୁ ବଢାଇଛନ୍ତି ସରକାର । ମେ 8 ଯାଏଁ ଥିବା କଟକଣାକୁ ଏବେ ମେ 18 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ବୁଧବାର ନେପାଳ ସରକାର ସୂଚନା ଦେଇଛନ୍ତି ।
ତେବେ ଦେଶରେ ବୁଧବାର 17ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏଥିରେ ଜଣେ 2 ମାସର ଶିଶୁ ମଧ୍ୟ ରହିଛି । ଏବେ ସୁଦ୍ଧା ନେପାଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 99 ଛୁଇଁଛି । 100ଠାରୁ ମାତ୍ର ଗୋଟିଏ କେସ ଦୂରରେ ଅଛି ହିମାଳୟ ରାଷ୍ଟ୍ର । ସେହିପରି ଏବେ ପର୍ଯ୍ୟନ୍ତ 22 ଜଣ ସୁସ୍ଥ ହୋଇଥିବାବେଳେ 60 ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି ।
ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବାସଭବନରେ ଏହା ଉପରେ ଏକ କ୍ୟାବିନେଟ ବୈଠକ ହୋଇଥିଲା । ଏଥିରେ କିଛି ଅଞ୍ଚଳରେ ଲକଡାଉନ କୋହଳ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଏହାକୁ ଖାରଜ କରିଥିଲେ । ଭାରତରେ ଦେଖାଯାଇଥିବା ଅବସ୍ଥା ଓ ନେପାଳରେ କମ ସାମ୍ପଲ ଟେଷ୍ଟ ଯୋଗୁଁ ପ୍ରଧାନମନ୍ତ୍ରୀ ଲକଡାଉନ ବଢାଇବାର ନିଷ୍ପତ୍ତି ନେଇଥିଲେ । ତେବେ କୋଭିଡ-19 ନିୟନ୍ତ୍ରଣ କରୁଥିବା ନେପାଳର ଉଚ୍ଚସ୍ତରୀୟ କମିଟି ମଧ୍ୟ ଭାରତ ଭଳି ରେଡ, ଗ୍ରୀନ, ୟେଲ୍ଲୋ ଜୋନ କରି କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି ।
ମାର୍ଚ୍ଚ 24ରେ ଦେଶର ପ୍ରଥମ ଲକଡାଉନ ଘୋଷଣା ହୋଇଥିଲା ଯାହା ଏପ୍ରିଲ 27 ଯାଏଁ ଥିଲା । ପରେ ଏହାକୁ ମେ 8 ଯାଏଁ ବୃଦ୍ଧି କରାଯାଇଥିଲା । ଏବେ ଯାଏଁ ଦେଶରେ 13 ହଜାର 850 ସାମ୍ପଲ ପରୀକ୍ଷା ହୋଇଛି ।