ହାଇଦ୍ରାବାଦ: 4ଫେବୃୟାରୀ ବିଶ୍ବ କ୍ୟାନସର ଦିବସ । ପ୍ରତିବର୍ଷ ଲୋକଙ୍କୁ ସଚେତନ ଓ ସତର୍କ କରିବା ପାଇଁ ପାଳନ ହେଉଛି କ୍ୟାନସର ଦିବସ । ଚଳିତ ବର୍ଷ ଏହାର ଥିମ ରହିଛି, I AM & I WILL । ବର୍ତ୍ତମାନ ସମୟରେ ଏହି ମାରାତ୍ମକ ରୋଗର ଶିକାର ଛୋଟରୁ ବଡ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳୁଛି । ବିଶ୍ବବ୍ୟାପୀ 96 ଲକ୍ଷ ଲୋକେ ଏହି ରୋଗର ରୋଗାଗ୍ରସ୍ତ ହେଉଥିବାବେଳେ, ଭାରତରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ କ୍ୟାନସର ରୋଗରେ ଜର୍ଜରିତ ହେଉଛନ୍ତି ।
ଜାତୀୟ ସ୍ବାସ୍ଥ୍ୟ ସେବା(ଇଂଲଣ୍ଡ) ଅନୁଯାୟୀ, ପ୍ରତି ତିନି ଜଣରେ ଜଣେ ବ୍ୟକ୍ତି କ୍ୟାନସରରେ ପୀଡିତ । ଏହି ରୋଗ ପାଖାପାଖି 200 ପ୍ରକାରର ହେବା ସହ ଏହାର ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । ଆସନ୍ତୁ ନଜର ପକାଇବା ଏହି ରୋଗର ଲକ୍ଷଣ ଉପରେ:
ମୂଖଗହ୍ବର କର୍କଟ
- ଏହି ରୋଗର ପ୍ରାଥମିକ ଲକ୍ଷଣଗୁଡିକ ହେଲା
- ବହୁଦିନ ଧରି ରହିଥିବା ନାଲି ବା ଧଳା ଦାଗ
- ଭଲ ହେଉନଥିବା ପାଟି ଘା’
- କ୍ରମାଗତ ଭାବରେ ବଢିଚାଲିଥିବା ଫୁଲା ବା ଗେଟା
- ମାତ୍ରାଧିକ ଲାଳ କିମ୍ବା ଲାଳ ଆଦୌ ନବୋହିବା
- ପାଟିରୁ ଅସ୍ବାଭାବିକ ରକ୍ତ ସ୍ରାବ ବା ନାକରୁ ରକ୍ତ ପଡିବା
- ସ୍ବର ପରିବର୍ତ୍ତନ ବା କର୍କସ ସ୍ବର ଦୀର୍ଘଦିନ ଲାଗି ରହିବା
- ପାଟି ଠିକ ଭାବରେ ନ ଖୋଲିବା
- ଜିଭର ସ୍ବାଦ ବଦଳିବା
- ଜିଭ ବାହାରକୁ ବାହାର କରିନପାରିବା
ସ୍ତନ କର୍କଟ
ଏହି କ୍ୟାନସର ମୁଖ୍ୟତଃ ମହିଳା ନିକଟରେ ସର୍ବାଧିକ ପରିଲକ୍ଷିତ ହୋଇଥାଏ, ଏହାର ଲକ୍ଷଣ ହେଲା
- ସ୍ତନରେ ଗେଟା ହେବା
- ସ୍ତନର ଆକାରରେ ପରିବର୍ତ୍ତନ
- ଚର୍ମରେ କୁଞ୍ଚନ ବା ଲୋଚାକୋଚା ଦେଖାଯିବା
- ସ୍ତନର ଅଗ୍ରଭାଗ ବା ଭୁଣ୍ଡି ଭିତରକୁ ପଶିଯିବା
- ସ୍ତନର ଅଗ୍ରଭାଗରୁ ତରଳ ପଦାର୍ଥ କିମ୍ବା ରକ୍ତସ୍ରାବ ହେବା
- କାଖରେ ଗୁଲି ପଡିବା
- ସ୍ତନ ଫୁଲିବା, ଦରଜ ହେବା, କାତି ଛାଡିବା ଭଳି ଦେଖାଯିବା
- ସ୍ତନରେ ଲାଲ କିମ୍ବା କଳା ଦାଗ ପଡିବା
ଜରାୟୁ ଗ୍ରୀବା କର୍କଟ
- ରଜୋନିବୃତ୍ତି(ମନୋପଜ) ପରେ ରକ୍ତସ୍ରାବ
- ଦୁଇଟି ଋତୁସ୍ରାବ ମଧ୍ୟରେ ରକ୍ତସ୍ରାବ ବା ବୁନ୍ଦା ବୁନ୍ଦା ରକ୍ତ ପଡିବା
- ଦୀର୍ଘଦିନ ଧରି ବା ଅତ୍ୟଧିକ ଋତୁସ୍ରାବ ହେବା
- ଯୋନିରୁ ଅସାଧାରଣ ଭାବରେ ସ୍ରାବ ହେବା ଯେଉଁଥିରେ କିଛି ମାତ୍ରାରେ ରକ୍ ଆସିପାରେ
ଏହି ରୋଗ ହେବାର କାରଣ ?
- ହ୍ୟୁମାନ ପାପିଲୋମା ଭୂତାଣୁ ଦ୍ବାରା ସଂକ୍ରମଣ ଯାହା ଅପରିଷ୍କାର ଯୌନ ସମ୍ପର୍କ, ଏକାଧିକ ବ୍ୟକ୍ତିଙ୍କ ସହିତ ଯୌନ ସମ୍ପର୍କ ଓ କମ ବୟସରୁ ଯୌନ ସମ୍ପର୍କ ଆରମ୍ଭ ଦ୍ବାରା ବ୍ୟାପିଥାଏ
- ଗର୍ଭନିରୋଧକ ଔଷଧର ଦୀର୍ଘଦିନ ସେବନ
- ଏକାଧିକ ଓ ବାରମ୍ବାର ଗର୍ଭଧାରଣ ଓ ଗର୍ଭପାତ
- ପ୍ରତ୍ୟକ୍ଷ ବା ପରୋକ୍ଷ ଧୂମ୍ରପାନ
ଏଥିରୁ ରକ୍ଷା ପାଇବାର ଉପାୟ:
- ନିୟମିତ ବ୍ୟବଧାନରେ ଜରାୟୁର ପରୀକ୍ଷା କରିବା
- ଯୌନକ୍ରିୟା ବେଳେ କଣ୍ଡୋମର ବ୍ୟବହାର
- ହ୍ୟୁମାନ ପାପିଲୋମା ଭାଇରସ ଟୀକାରଣ
- ଭିଟାମିନ-ଏ, ବି-12, ସି, ଇ ଓ ବେଟାକ୍ୟାରୋଟିନ ଥିବା ପୁଷ୍ଟିକର ଖାଦ୍ୟ ଖାଇବା