ଏହା ସ୍ପଷ୍ଟ ଯେ, ନେପାଳ ଭାରତ ନିକଟରୁ ଦୂରେଇ ଯାଉଛି । ସମୁଚିତ ଭାବରେ ସମ୍ବିଧାନ ସଂଶୋଧନ ବଳରେ ଅନୁମୋଦିତ ନେପାଳର ଏକ ନୂତନ ମାନଚିତ୍ର ଜାରି କରିଥିବାରୁ ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଭାରତ ଉଦ୍ୟମ କରୁଛି ବୋଲି ପ୍ରଧାନମନ୍ତ୍ରୀ କେ.ପି.ଓଲି ଅଭିଯୋଗ କରିଛନ୍ତି । ଏହି ମାନଚିତ୍ରରେ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ଥିବା ପ୍ରାୟ 400 ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳକୁ ନେପାଳର ବୋଲି ଦାବି କରାଯାଇଛି । ନେପାଳର ଶାସନ କ୍ଷମତାରେ ଥିବା କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଲର ସ୍ଥାୟୀ କମିଟି ବୈଠକରେ ତାଙ୍କର ବରିଷ୍ଠ ସହଯୋଗୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’, ମାଧବ କୁମାର ନେପାଲ ଏବଂ ଝାଲ ନାଥ ଖନାଲ ପ୍ରମୁଖ ପ୍ରଧାନ ମନ୍ତ୍ରୀ ଓଲିଙ୍କୁ ଭର୍ତ୍ସନା କରିଛନ୍ତି । ଭାରତ ବିରୋଧରେ ସେ କରିଥିବା ଅଭିଯୋଗର ବିଶ୍ବସନୀୟ ପ୍ରମାଣ ଉପସ୍ଥାପନ କରିବାକୁ ସେମାନେ ତାଙ୍କୁ କହିଥିଲେ ଏବଂ ଏଥିରେ ବିଫଳ ହେଲେ ସେ ଉଭୟ ପ୍ରଧାନ ମନ୍ତ୍ରୀ ଏବଂ ଦଳର ସହ-ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଉଚିତ ବୋଲି ମତ ଦେଇଥିଲେ ।
ଏହି ଘଟଣାରୁ ହିଁ ନେପାଳ କମ୍ୟୁନିଷ୍ଟ ପାର୍ଟିରେ କ୍ଷମତା ହାସଲ ପାଇଁ ଆଭ୍ୟନ୍ତରୀଣ କନ୍ଦଳ ଏବଂ ଭାରତ ଓ ଅନ୍ୟ ଦେଶମାନଙ୍କ ସହ ଏହାର ଘନିଷ୍ଠ ସମ୍ବନ୍ଧ ପ୍ରକାଶିତ ହୁଏ । ବରିଷ୍ଠ ସହଯୋଗୀମାନଙ୍କୁ ଅଣଦେଖା କରି ନିଜ ହାତରେ କ୍ଷମତା ପୁଞ୍ଜିଭୂତ କରିବା ହିଁ ପ୍ରଧାନ ମନ୍ତ୍ରୀ ଓଲିଙ୍କ ସମସ୍ୟାର ମୂଳ କାରଣ । ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ଓଲି ତାଙ୍କ ସହ ପରାମର୍ଶ କରୁନାହାନ୍ତି ବୋଲି ଦଳର ଅନ୍ୟତମ ସହ-ଅଧ୍ୟକ୍ଷ ପ୍ରଚଣ୍ଡ ଦୋଷାରୋପ କରିଛନ୍ତି । ଦଳର ବୈଦେଶିକ ବ୍ୟାପାର ଦାୟିତ୍ବ ତୁଲାଉଥିବା ମାଧବ ନେପାଲଙ୍କୁ ନ ପଚାରି ଗତ ମାସରେ ଚୀନର କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ସହ ଅନ୍ତର୍ଦଳୀୟ ବାର୍ତ୍ତାଳାପ ସଂଗଠିତ ହୋଇଥିଲା । ପ୍ରଚଳିତ ପ୍ରଥା ବିରୋଧରେ ଯାଇ ଓଲି ମଧ୍ୟ ଦଳର ଦୁଇଟି ପ୍ରମୁଖ ପଦବିରେ ରହିଛନ୍ତି ଏବଂ ପ୍ରତ୍ୟକ୍ଷ ଭାବରେ ହେଉ କିମ୍ବା ତାଙ୍କ ଅନୁଚରମାନଙ୍କ ଜରିଆରେ ପରୋକ୍ଷ ଭାବରେ, ଅଧିକାଂଶ ପ୍ରଶାସନିକ ଏବଂ ଆର୍ଥିକ କ୍ଷମତା ନିଜ ହାତରେ ଠୁଳ କରିଛନ୍ତି ।
କୋଭିଡ୍-19 ସଂକଟର ମୁକାବିଲା କ୍ଷେତ୍ରରେ ହେଉ କିମ୍ବା ଦୁର୍ନୀତି ହ୍ରାସ କରିବା କିମ୍ବା ବିକାଶମୂଳକ କାର୍ଯ୍ୟ ପ୍ରତିଶ୍ରୁତି କ୍ଷେତ୍ରରେ ହେଉ, ଶାସନ କ୍ଷେତ୍ରରେ ମଧ୍ୟ ଓଲି ବିଫଳ ହୋଇଛନ୍ତି । ଏହା ଫଳରେ ଉଭୟ ସରକାର ଓ ଦଳ ଲୋକପ୍ରିୟତା ହରାଇଛନ୍ତି ଏବଂ ଭବିଷ୍ୟତରେ ଦଳ ପ୍ରତି ସମର୍ଥନର ଭିତ୍ତି କ୍ଷୟ ହେବା ଆଶଙ୍କା ଉପୁଜିଛି । ନେପାଳର ଏମ୍ସିସି (ମିଲେନିୟମ ଚ୍ୟାଲେଞ୍ଜ କମ୍ପାକ୍ଟ) କାର୍ଯ୍ୟକ୍ରମ ପାଇଁ ଆମେରିକାର 500 ମିଲିଅନ୍ ଡଲାର ସହାୟତା ପ୍ରସ୍ତାବକୁ ସମର୍ଥନ କରିଥିବାରୁ ମଧ୍ୟ ଓଲିଙ୍କୁ ବିରୋଧ କରାଯାଉଛି । ନିଜ ଦଳ ଭିତରେ ଏକଘରିକିଆ ହୋଇପଡ଼ିଥିବା ଓଲି, ବିରୋଧୀ ନେତାମାନଙ୍କ ସହ ସୁସଂପର୍କ ସ୍ଥାପନ, ଚୀନ ନିକଟରୁ ସମର୍ଥନ ହାସଲ ଏବଂ ଭାରତ ବିରୋଧୀ ଜାତୀୟତାବାଦର ଅବତାରଣା କରାଇ ତାଙ୍କ ପ୍ରତି ବିରୋଧାଭାସକୁ ପ୍ରତିହତ ଲାଗି ଉଦ୍ୟମ କରୁଛନ୍ତି । 2015ରେ ନୂଆ ସମ୍ବିଧାନ ପ୍ରଣୟନ ସମୟରେ ଏବଂ 2017ରେ ସଂସଦୀୟ ନିର୍ବାଚନ ସମୟରେ ସେ ଏହା କରିଥିଲେ ଏବଂ ଏବେ ମାନଚିତ୍ର ପ୍ରସଙ୍ଗରେ ଏହାର ପୁନରାବୃତ୍ତି କରୁଛନ୍ତି । ରିପୋର୍ଟ ଅନୁସାରେ, ତାଙ୍କ ପ୍ରତି ବିରୋଧୀ ନେପାଳୀ କଂଗ୍ରେସର ସଭାପତି ଶେର ବାହାଦୂର ଦେଉବାଙ୍କ ନିରବ ସମର୍ଥନ ରହିଛି । ମାନଚିତ୍ର ପ୍ରସଙ୍ଗ ଏବଂ ଭାରତୀୟ ଅଞ୍ଚଳ ଉପରେ ଅଧିକାର ଦାବି କରିବା ପଛରେ ଉଦ୍ଦେଶ୍ୟ ଥିଲା ଯେ, ଭାରତ ବିରୋଧୀ ନେପାଳୀ ଜାତୀୟତାବାଦକୁ ଜାଗ୍ରତ କରାଇ ଜଣେ ଦୃଢ଼ ଜାତୀୟତାବାଦୀ ନେତା ରୂପେ ନିଜକୁ ଉପସ୍ଥାପିତ କରିବା ଏବଂ ଏହା ଫଳରେ ନିଜ ଦଳ ଭିତରେ ଏବଂ ବାହାରେ ଥିବା ସମାଲୋଚକମାନଙ୍କର ମୁହଁ ବନ୍ଦ କରିଦେବା ।
ନିଜର ସଂକୀର୍ଣ୍ଣ ବ୍ୟକ୍ତିଗତ ରାଜନୈତିକ ଉଦ୍ଦେଶ୍ୟରେ ଓଲିଙ୍କ ଦ୍ବାରା ନେପାଳୀ ଜାତୀୟତାବାଦର କୌଶଳପୂର୍ଣ୍ଣ ଉପଯୋଗକୁ ତିନିଟି ମୁଖ୍ୟ କାରଣ ସୁହାଇଥିଲା । ପ୍ରଥମ କଥା ହେଉଛି, ବର୍ତ୍ତମାନର ନେପାଳ ଏକ ଯୁବ ବୟସର, ଉଚ୍ଚାକାଂକ୍ଷୀ, ଆତ୍ମବିଶ୍ବାସରେ ଭରା ଏବଂ ନିଜ ପରିଚୟକୁ ନେଇ ବେଶ ସଚେତନ ଦେଶ ବୋଲି ସ୍ବୀକାର କରିବାକୁ ପଡ଼ିବ । ନେପାଳର ଯୁବ ପିଢ଼ି ଜନସଂଖ୍ୟାର 65%ରୁ ଅଧିକ ଏବଂ ସେମାନଙ୍କ ଚିନ୍ତାଧାରା ଗଣତାନ୍ତ୍ରିକ ପଦ୍ଧତିରେ ସମୃଦ୍ଧ, ସେମାନେ ଇଣ୍ଟରନେଟ୍ ଓ ପ୍ରବାସନ (କାମ ପାଇଁ) ଜରିଆରେ ସାରା ବିଶ୍ବ ସହ ସୁପରିଚିତ, ଶିକ୍ଷିତ, କୁଶଳୀ ଏବଂ ଆତ୍ମବିଶ୍ବାସୀ, ଭାରତ ସହ ସାଂସ୍କୃତିକ ଓ ଅତୀତର ସାମାଜିକ ସଭ୍ୟତା ଭିତ୍ତିକ ସଂପର୍କ ପ୍ରତି ସେମାନଙ୍କର ଆବେଗ ନାହିଁ କି ସେମାନେ ଭାରତ ସହ ସ୍ବତନ୍ତ୍ର ଏବଂ ଅନନ୍ୟ ମନେ ହେଉଥିବା -ରୋଟି, ବେଟୀ- ଭଳି ଗତାନୁଗତିକ ସଂପର୍କକୁ ନେଇ ଅଭିଭୂତ ନୁହନ୍ତି । ସେମାନେ କେବଳ ଲକ୍ଷ୍ୟ ପୂରଣ ଏବଂ ବିକାଶ ସାଧନ ସହିତ ସୁଖଦ ଜୀବନ ଧାରଣରେ ସହାୟକ ରୂପରେ ହିଁ ଭାରତକୁ ଦେଖନ୍ତି । ସେ ଦୃଷ୍ଟିରୁ ଭାରତ ଏବେ ବିଫଳ ହେବା ଭଳି ଅନୁଭୂତ ହେଉଛି ।
ଦ୍ବିତୀୟ କାରଣଟି ଏହିପରି । ଗତ ଅନେକ ବର୍ଷ ଧରି ଭାରତ ନେପାଳରେ ଏମିତି କୌଣସି ଆଖିଦୃଶିଆ ବୃହତ୍ ବିକାଶମୂଳକ ପ୍ରକଳ୍ପ ହାତକୁ ନେଇନାହିଁ ଯାହା କି ନେପାଳର ଯୁବ ଗୋଷ୍ଠୀକୁ ଆକର୍ଷିତ କରିବ । ଆଳସ୍ୟ, ଉଦାସୀନତା, ଔଦ୍ଧତ୍ୟ ଏବଂ ବଳ ପ୍ରୟୋଗ ଭିତ୍ତିକ କୂଟନୀତି ଜରିଆରେ ନେପାଳର ଆଭ୍ୟନ୍ତରୀଣ ବ୍ୟାପାର ପରିଚାଳନାରେ ହସ୍ତକ୍ଷେପ କରୁଥିବା ଏକ ଦେଶ ଦୃଷ୍ଟିରେ ସେମାନେ ଭାରତକୁ ଦେଖନ୍ତି । 2015 ସେପ୍ଟେମ୍ବରରେ ନେପାଳର ସମ୍ବିଧାନ ପ୍ରଣୟନ ପ୍ରକ୍ରିୟାରେ ଭାରତର ରୁକ୍ଷ ହସ୍ତକ୍ଷେପ, ତତ୍ ପରବର୍ତ୍ତୀ ସମୟରେ ପାଞ୍ଚ ମାସ ଧରି ଅର୍ଥନୈତିକ ଅବରୋଧ ଯୋଗୁଁ ନେପାଳର ସ୍ବାଭାବିକ ଜୀବନ ଅସ୍ତବ୍ୟସ୍ତ ହୋଇଯିବା ଭଳି ନିକଟ ଅତୀତର ଘଟଣାବଳୀକୁ ହିଁ ଭାରତୀୟ ଆଭିମୁଖ୍ୟର ଦୃଷ୍ଟାନ୍ତ ରୂପେ ଉପସ୍ଥାପନ କରାଯାଏ । କୂଟନୈତିକ କ୍ଷେତ୍ରରେ ଭାରତର ଏହି ଗୁରୁତର ତ୍ରୁଟି ନେପାଳର ଜନସାଧାରଣଙ୍କୁ ଭାରତରୁ ଦୂରେଇ ଦେଇଛି ।
2015 ପରେ ଭାରତ ମଧ୍ୟ ନେପାଳର କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଲ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କ ନେତୃତ୍ବ ସପକ୍ଷରେ ରହିନାହିଁ । କେବଳ ନେପାଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ପରେ ହିଁ ଭାରତ ଶାସକ ଦଳ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ ଦିଗରେ ଉଦ୍ୟମ କରିଥିଲା । ନେପାଳରେ ବାକି ରହିଥିବା କେତେକ ରାସ୍ତା ଓ ରେଳପଥ ସଂଯୋଗ ପ୍ରକଳ୍ପ ଏବଂ ତୈଳ ପାଇପ୍ ଲାଇନ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଭାରତ ଉଦ୍ୟମ କରିଥିଲା । କିନ୍ତୁ ଶାସକ ଦଳ ଉପରେ କିମ୍ବା ନେପାଳ ଜାତୀୟତାବାଦରେ ସଂଚରିତ ଭାରତ ବିରୋଧୀ ମନୋଭାବ ଉପରେ ଏହାର ସେତେ ବେଶୀ ପ୍ରଭାବ ପଡ଼ିବା ଭଳି ମନେ ହେଲାନାହିଁ ।
ନେପାଳରେ ଭାରତଠାରୁ ଦୂରେଇ ଯିବାର ମନୋଭାବ ବଢୁଥିବା ବେଳେ ଚୀନ ଏହି ସ୍ଥିତିରୁ ସଂପୂର୍ଣ୍ଣ ସୁଯୋଗ ନେଇଥିଲା । ଚୀନର ବନ୍ଦର ବାଟ ଦେଇ ବିକଳ୍ପ ବାଣିଜ୍ୟ ପଥ ସ୍ଥାପନ ଲାଗି ନେପାଳକୁ ପ୍ରସ୍ତାବ ଦେଲା ଏବଂ ‘ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍’ (BRI) ପ୍ରକଳ୍ପ ଜରିଆରେ ନେପାଳରେ ଭିତ୍ତିଭୂମି ଗଠନ ଲାଗି ଶହ ଶହ କୋଟି ଡଲାର ପୁଞ୍ଜିନିବେଶ କରିଲା । ନେପାଳର ରାଜନୈତିକ ମହଲରେ ଗଭୀର ପ୍ରବେଶ ବଳରେ, ଶାସକ କମ୍ୟୁନିଷ୍ଟ ପାର୍ଟି ଉପରେ ଦୃଷ୍ଟିନିବଦ୍ଧ କରିବା ସହିତ ରାଜନୈତିକ ଦୃଶ୍ୟପଟ୍ଟରେ ବିଦ୍ୟମାନ ସମଗ୍ର ସମ୍ଭ୍ରାନ୍ତ ବର୍ଗକୁ ପ୍ରଲୋଭିତ କରି ଚୀନ, ନେପାଳର ରାଜନୀତି କ୍ଷେତ୍ରରେ ଦୁର୍ନୀତିକୁ ପ୍ରଶ୍ରୟ ଦେବାରେ ଲାଗିଲା ।
ଗତ କେଇ ମାସ ହେଲା ନେପାଳରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ କମ୍ୟୁନିଷ୍ଟ ପାର୍ଟିର ତୁଙ୍ଗ ନେତାମାନଙ୍କୁ ସାକ୍ଷାତ କରିବୀ ସହିତ ଓଲି ସରକାରଙ୍କ ସ୍ଥିରତା ବଜାୟ ରଖିବା ପାଇଁ ସେମାନଙ୍କର ମତଭେଦ ଦୂର କରିବାରେ ସହାୟତା କରିଥିବା ନେପାଳୀ ଗଣମାଧ୍ୟମ ନଜରରେ ପଡ଼ିଛି । ନୂତନ ମାନଚିତ୍ରରେ କାଲାପାନି ଉପରେ ନେପାଳର ଅଧିକାର ଦାବିକୁ ଚୀନ ଖୋଲାଖୋଲି ସମର୍ଥନ କରିପାରିବ ନାହିଁ । କାରଣ, ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟିକ ଓ ସାଂସ୍କୃତିକ ବିନିମୟ କ୍ଷେତ୍ରରେ ସଂପର୍କ ସ୍ଥାପନ କେନ୍ଦ୍ର ରୂପେ ଲିପୁଲେଖକୁ 1954ରେ ଏବଂ 2015ରେ ଚୀନ ସ୍ବୀକୃତି ଦେଇଛି । ଯାହାହେଲେ ବି ନେପାଳର ବକ୍ତବ୍ୟ ଚୀନର ସ୍ବାର୍ଥକୁ ସୁହାଇଛି ଏବଂ ନେପାଳରେ ଚୀନର ଅର୍ଥନୈତିକ ଏବଂ ରଣନୈତିକ ବ୍ୟବସ୍ଥା ସୁଦୃଢ଼ କରିବାରେ ଭାରତ ଓ ନେପାଳ ମଧ୍ୟରେ ମତଭେଦ ଜନିତ ସ୍ଥିତି ସହାୟକ ସିଦ୍ଧ ହୋଇଛି । ନେପାଳ ସହ ଦୃଢ଼ ସାଂସ୍କୃତିକ, ସାମାଜିକ ଏବଂ ଅର୍ଥନୈତିକ ସଂପର୍କ ସତ୍ତ୍ବେ ନେପାଳ ଉପରେ ଚୀନ୍ର ପ୍ରଭାବ ହ୍ରାସ କରିବା ଭାରତ ପାଇଁ ଅତୀବ କଷ୍ଟସାଧ୍ୟ ହେବ । ନେପାଳ ପ୍ରତି ଭାରତର ଆଭିମୁଖ୍ୟରେ ସାମଗ୍ରିକ ପୁନର୍ବିନ୍ୟାସ ସହିତ ହିମାଳୟ ଅଞ୍ଚଳର ଏହି ପ୍ରତିବେଶୀ ରାଷ୍ଟ୍ରରେ ରାଜନୈତିକ ସ୍ଥିତି ଓ ପାଣିପାଗର ପୁନଃ ଆକଳନ ଏବଂ ଏହା ପ୍ରତି ଅଧିକ ସମ୍ବେଦନଶୀଳ ଏବଂ ଉଦାରବାଦୀ ଦୃଷ୍ଟିକୋଣ ଆପଣେଇ ନେବା ହିଁ ଏବେ ଭାରତର ଆବଶ୍ୟକତା । ଅତୀତର ଘଟଣାବଳୀରୁ ଜଣାପଡ଼େ ଯେ ହିମାଳୟ ଅଞ୍ଚଳରେ ଭାରତ ସହିତ ଏହାର ପଡ଼ୋଶୀ ରାଷ୍ଟ୍ରର ସଂପର୍କ କ୍ଷେତ୍ରରେ, ଅଧିକାର ଜାହିର କରିବାକୁ ଉଦ୍ୟମରତ ଚୀନ ହିଁ ସବୁବେଳେ ଆହ୍ବାନ ସୃଷ୍ଟି କରିଆସିଛି ।
ଏସ୍.ଡି. ମୁନି, ପ୍ରଫେସର ଏମେରିଟସ୍, ଜେଏନ୍ୟୁ
କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ, ଆଇଡିଏସ୍ଏ
ପୂର୍ବତନ ରାଷ୍ଟ୍ରଦୂତ ଏବଂ ସ୍ବତନ୍ତ୍ର ପ୍ରତିନିଧି, ଭାରତ ସରକାର