ରିୟାଦ: ସାଉଦି ଆରବରେ କୋରୋନାର ପ୍ରକୋପ ପାଇଁ ପ୍ରାୟ 3 ମାସ ହେବ ବନ୍ଦ ରହିଥିଲା ପବିତ୍ର ମକ୍କା ମସଜିଦ୍ । ଦେଶରେ ଅନ୍ୟ ସ୍ଥାନମାନଙ୍କରେ ମସଜିଦ ଆଦି ଖୋଲିବା ପାଇଁ ପୂର୍ବରୁ ଘୋଷଣା ହୋଇଥିବା ବେଳେ ଇସଲାମ ଧର୍ମରେ ପବିତ୍ର ସ୍ଥାନର ମାନ୍ୟତା ପାଇଥିବା ମକ୍କା ସହରରେ କୋରୋନା ସଂକ୍ରମଣ ଅଣାୟତ୍ତ ରହିଥିଲା । ଏହି କାରଣରୁ ମକ୍କା ସହରର ସମସ୍ତ ମସଜିଦ ପ୍ରାୟ 3 ମାସ ଧରି କଡା କଟକଣା ମଧ୍ୟରେ ବନ୍ଦ ରହିଥିଲା । ହେଲେ ରବିବାର ଏଠାକାର ପ୍ରାୟ ସମସ୍ତ ମସଜିଦ ଖୋଲିବା ନେଇ ଜଣାପଡିଛି ।
ସୂଚନା ମୁତାବକ ରବିବାର ସାଉଦି ଆରବର ପ୍ରାୟ 1560 ମସଜିଦ ଖୋଲିବା ନେଇ ଜଣାପଡିଛି । ସକାଳର ଫଜିର ପ୍ରାର୍ଥନା ସହ ମସଜିଦରେ ପ୍ରାର୍ଥନା ପ୍ରକ୍ରିୟା ଆରମ୍ଭ ହେବ । ମକ୍କାର ଇସଲାମିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ମୁତାବକ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ମସଜିଦ ଗୁଡିକ ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଶ୍ରଦ୍ଧାଳୁ ପ୍ରାର୍ଥନା ପାଇଁ ନିଜର ମ୍ୟାଟ୍ ଘରୁ ଆଣିବା ପାଇଁ ପରାମର୍ଶ ଦିଆଯାଉଛି । ଏଥିସହ ପ୍ରାର୍ଥନା ସମୟରେ ଆବଶ୍ୟକୀୟ ଦୂରତ୍ବ ବଜାୟ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ।
ଶନିବାର ସୁଦ୍ଧା ସାଉଦି ଆରବରେ ମୋଟ 1,50,292 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 1184ରେ ପହଞ୍ଚିଛି ।
@IANS