କାନବେରା: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଭୟଙ୍କର ରୂପ ନେବାରେ ଲାଗିଛି । ଗତ ସେପ୍ଟେମ୍ବରରେ ଲାଗିଥିବା ଏହି ନିଆଁ ଯୋଗୁଁ ମନୁଷ୍ୟ ସହ ବହୁ ଜୀବଜନ୍ତୁ ମାନେ ପ୍ରଭାବିତ ହେଉଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ 50 କୋଟିରୁ ଅଧିକ ଜୀବଜନ୍ତୁ ପ୍ରାଣ ହରାଇ ସାରିଲେଣି ।
ତେବେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ମୁଖ୍ୟ ବିଦ୍ୟୁତ ଉପକେନ୍ଦ୍ରକୁ କ୍ଷତି ପହଞ୍ଚିଛି । ଏଥିପାଇଁ ପରିସ୍ଥିତି ଖରାପ ଆଡକୁ ଗତି କରିବା ସହ ବ୍ଲାକଆଉଟ ହେବା ନେଇ ବିଦ୍ୟୁତ ଅଧିକାରୀ ମାନେ ଚେତାବନୀ ଦେଇଛନ୍ତି । ଏନେଇ ଶକ୍ତି ମନ୍ତ୍ରୀ ମୈଟ କିନ ଟ୍ବିଟ କରି ଜଣାଇଛନ୍ତି ଯେ, ଏହି ନିଆଁ ସାଉଥ ଓ୍ବେଲ୍ସରେ ଭୟଙ୍କର ତାଣ୍ଡବ ରଚାଇଛି । ଯାହା ପଡୋଶୀ ଭିକ୍ଟୋରିଆ ସହ ସଂଯୋଗ କରୁଥିବା ବିଦ୍ୟୁତ ଲାଇନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । କିନ ଦେଶବାସୀଙ୍କୁ ଅନାବଶ୍ୟକ ବିଦ୍ୟୁତ ବ୍ୟବହାର ନକରିବାକୁ ଅପିଲ କରିଛନ୍ତି ।
ଟ୍ରାନ୍ସଗ୍ରୀଡର ମୁଖ୍ୟ କାର୍ଯ୍ୟାଧିକାରୀ କହିଛନ୍ତି ଯେ, ବିଦ୍ୟୁତ ବିତରଣ କରାଯାଉଛି କିନ୍ତୁ, ନିଆଁ ଯୋଗୁଁ ବିଦ୍ୟୁତ ସିଷ୍ଟମ ଉପରେ ଅତ୍ୟଧିକ ପ୍ରଭାବ ପଡୁଛି । ତେବେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା 17 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 36 ହଜାର ବର୍ଗ କିମି ଅଞ୍ଚଳ ନିଆଁ କବଳରେ ରହିଛି ।