ନୂଆଦିଲ୍ଲୀ: ପାକିସ୍ତାନରେ ମଙ୍ଗଳବାର ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଦେଶର ଅନେକ ପ୍ରାନ୍ତରେ ଲୋକେ ଆତଙ୍କିତ ହେବା ସହ ବ୍ୟାପକ କ୍ଷୟକ୍ଷତି ହେବାର ସୂଚନା ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ରହିଥିବାର ଜଣା ପଡିଛି ।
ଏହି ଭୂମିକମ୍ପର ପ୍ରଭାବ ପାକ୍ ଅଧିକୃତ କାଶ୍ମୀରରେ ବହୁତ ମାତ୍ରାରେ ଅନୁଭୂତ ହୋଇଛି । ଏଠାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି । ପିଓକେର ମୀରପୁର ଭୂମିକମ୍ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି | ମଙ୍ଗଳବାର ଅପରାହ୍ନ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ମୀରପୁରରେ ଅନେକ କୋଠାବାଡି ଭୁଷୁଡି ଯାଇଛି । ଏହା ସହ ଭାଙ୍ଗିଯାଇଥିବା କୋଠା ତଳୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂମିକମ୍ପର କେନ୍ଦ୍ର ପାକିସ୍ତାନ ଥିଲା । ଲାହୋର ଠାରୁ 173 କିଲୋମିଟର ଦୂରରେ ରହିଥିଲା ଏହି ଭୂ-କମ୍ପରେ କେନ୍ଦ୍ର । ପାକିସ୍ତାନର ଜାଟଲାନ ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ବୋଲି ସୂଚନା ରହିଥିଲା ।
ଭୂମିକମ୍ପ ଯୋଗୁଁ ପିଓକେରେ ଅନେକ ଘର ଭାଙ୍ଗିଯିବା ସହ ଅନେକ ରାସ୍ତାଘାଟ ଧସିଯାଇଛି । ସେହିପରି ଅନେକ ଗାଡିମଟର ଘାଟି ରାସ୍ତାର ତଳକୁ ଖସି ପଡିଛି । ଅନେକ ସ୍ଥାନରେ ରାସ୍ତା ଫାଟି ଦୁଇ ଫାଳ ହୋଇଯାଇଛି ।
ପାକିସ୍ତାନ ବ୍ୟତୀତ ଉତ୍ତର ଭାରତରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମାତ୍ର କୌଣସି କ୍ଷୟକ୍ଷତିର ସୂଚନା ମିଳି ପାରିନାହିଁ ।