ହଂକଂ: ଚୀନ-ହଂକଂ ବିବାଦରେ ନୂଆ ମୋଡ । ଗୁରୁବାର ହଂକଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାରି ଲାମଙ୍କ ପ୍ରମୁଖ ସହଯୋଗୀଙ୍କୁ ଜାତୀୟ ସୁରକ୍ଷା ଆଇନର ଆଞ୍ଚଳିକ କମିଟିର ମୁଖ୍ୟ ଭାବେ ନିୟୋଜିତ କରିଛି ଚୀନ । କ୍ୟାରିଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଥିବା ଏରିକ ଚାନଙ୍କ ଏହି ନୂଆ ଦାୟିତ୍ବ ଦିଆଯାଇଥିବା ଜଣା ପଡିଛି ।
ମଙ୍ଗଳବାର ରାତିରୁ ହଂକଂରେ ଲାଗୁ ହୋଇଥିବା ସୁରକ୍ଷା ଆଇନର ନିରାପତ୍ତା ଦାୟିତ୍ବରେ ଏରିକଙ୍କୁ ନିୟୋଜିତ କରାଯାଇଛି । ଏନେଇ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଖବରକାଗଜରେ ପ୍ରକାଶ କରାଯାଇଛି । ତେବେ ଏହି ଖବରକାଗଜରେ ପ୍ରଦତ୍ତ ସୂଚନା ମୁତାବକ ଚୀନ ଦ୍ବାରା ନିୟୋଜିତ ଏକ ଉପଦେଷ୍ଟା ମଣ୍ଡଳୀଙ୍କ ଉପସ୍ଥିତିରେ କ୍ୟାରିଙ୍କ ନେତୃତ୍ବରେ ଏକ କମିଟି ଗଠନ ହୋଇଛି । ଯାହା ହଂକଂରେ ଜାତୀୟ ସୁରକ୍ଷା ଆଇନର ପ୍ରଣୟନ ନେଇ ନୀତି ନିୟମ ନିର୍ଦ୍ଧାରଣ କରିବେ । ଯାହା ସହରର ଆଇନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବ ।
ସୂଚନା ମୁତାବକ ଏରିକ 1982ରେ ହଂକଂର ଇମିଗ୍ରେସନ ଅଫିସର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହାପରେ ସେ ଇମିଗ୍ରେସନ ବିଭାଗରେ 2010 ମସିହାରେ ଡେପୁଟି ନିର୍ଦ୍ଦେଶକର ଦାୟିତ୍ବ ଗ୍ରହଣ କରିଥିଲେ । ପରେ 2011 ମସିହାରେ ତାଙ୍କୁ ବିଭାଗର ନିର୍ଦ୍ଦେଶକ ଭାବେ ଚୟନ କରାଯାଇଥିଲା ।
IANS