ହାଇଦ୍ରାବାଦ: ଦ୍ବିପାକ୍ଷିକ ଆଲୋଚନା ପରେ କୌଣସି ନିଷ୍କର୍ସ ବାହାରି ନଥିବା ବେଳେ ନିଜ ଗୁଣ ପୁଣି ଦୋହରାଇଛି ଚୀନ । ଶନିବାରର ଆଲୋଚନା ପରେ ରବିବାର ଭାରତକୁ ନାଲି ଆଖି ଦେଖାଇବା ସହ ଚୀନ ଦେଇଛି ଯୁଦ୍ଧ ଧମକ । ଲଦାଖର ପୂର୍ବାଞ୍ଚଳରେ ରହିଥିବା ବାସ୍ତବିକ ନିୟନ୍ତ୍ରଣ ରେଖାରେ କିଛି ମାସ ହେବ ଭାରତ ଓ ଚୀନ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି । ଏନେଇ ଶନିବାର ଆଲୋଚନା ହେବା ପରେ ବି କୌଣସି ସୁଫଳ ମିଳିନଥିଲା । ଓଲଟା ନିଜ ରାଗ ଦେଖାଇ ଯୁଦ୍ଧ ଧମକ ଦେଇଛି ଚୀନ ।
ଚୀନର ଗଣମାଧ୍ୟମ ରିପୋର୍ଟ ମୁତାବକ ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ଦେଶର କେନ୍ଦ୍ରୀୟ ଅଞ୍ଚଳ ହୁବେଇ ପ୍ରାନ୍ତରୁ ଭାରୀ ମାତ୍ରାରେ ଯୁଦ୍ଧ ଅସ୍ତ୍ର, ଯୁଦ୍ଧ ସାମଗ୍ରୀବାହୀ ଗାଡି ଓ ପାରାଟ୍ରୁପକୁ ଦେଶର ଉତ୍ତର ସୀମା ଆଡକୁ ଅଗ୍ରସର କରାଇଛି । ଯାହା ଭାରତ ଓ ଚୀନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ଇଙ୍ଗିତ କରୁଛି ବୋଲି ପ୍ରକାଶ କରାଯାଇଛି । ସେପଟେ ବିବାଦୀୟ ଭୂମିରେ ଉଭୟ ପାର୍ଶ୍ବର ସେନା ମୁତୟନ ରହିଛନ୍ତି । ତେବେ ରିପୋର୍ଟ ମୁତାବକ ଏହି ସମଗ୍ର ପ୍ରକ୍ରିୟା ମାତ୍ର କେଇ ଘଣ୍ଟା ମଧ୍ୟରେ ଶେଷ ହୋଇଥିଲା । ଯାହା ଚୀନର ଶକ୍ତିକୁ ଦର୍ଶାଏ ।
ଏ ଖବର ପାଇବା ପରେ ଭାରତୀୟ ପ୍ରତିରକ୍ଷା ବିଶାରଦ ନୀତିନ ଗୋଖଲେ ଟ୍ବିଟ କରି କହିଛନ୍ତି କି ଚୀନ ନିଜ ପାରଦର୍ଶିତା ଦେଖାଇବାକୁ ଯାଇ ଏପରି ପଦକ୍ଷେପ ନେଇଛି । ଯେବେ କି ବର୍ତ୍ତମାନ ସମୟରେ ସମସ୍ତ ଟପ୍ ମିଲିଟାରୀ ବ୍ୟକ୍ତି ବିଶେଷଙ୍କୁ ନେଇ ଜରୁରୀକାଳୀନ ଆଲୋଚନା କରିବାର ଆବଶ୍ୟକତା ରହିଛି । ସେପଟେ ଏନେଇ ଭାରତର ଚୀନ ଏକ୍ସପର୍ଟ ବ୍ରହ୍ମ ଚେଲାନୀଙ୍କ ଭାରତକୁ ସତର୍କ କରିଛନ୍ତି । ସେ କହିଛନ୍ତି କି ଭାରତର ବନ୍ଧୁତାପୂର୍ଣ୍ଣ ହାବଭାବର ପ୍ରତିଜବାବରେ ଚୀନ ଲଦାଖରେ ଅଶାନ୍ତି ସୃଷ୍ଟି କରିଛି । ଯାହା ଆଗକୁ ଯାଇ 1962ର ଆତଙ୍କବାଦୀଙ୍କ ଦ୍ବାରା ସୈନ୍ୟଙ୍କ ଆକ୍ରମଣ ପରି ପରିସ୍ଥିତି ପୁଣି ସୃଷ୍ଟି କରିପାରେ ।
ତେଣୁ ଚୀନର ଏହି ଧମକକୁ ହାଲୁକା ଭାବେ ଗ୍ରହଣ ନକରି ଭାରତ ସମସ୍ତ ସମ୍ଭାବ୍ୟ ପରିଣତି ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଦରକାର । ଏଥିସହ ନିଜ ଦୃଢତାର ନିଦର୍ଶନ ଦେଇ ଚୀନକୁ କଡା ଜବାବ ଦେବା ଦରକାର ।
@IANS