କାବୁଲ: ରଙ୍ଗ ବଦଳାଉଥିବା ଶୃଗାଳ ପରି ବ୍ୟବହାର କରୁଛି ତାଲିବାନ ସରକାର । ଯେତେ ଶାସନ ଭାର ଠିକରେ ତୁଲାଇବ ବୋଲି ସ୍ପଷ୍ଟୀକରଣ ରଖିଲେ ମଧ୍ୟ ହିଂସ୍ର ପ୍ରକୃତିକୁ ଛାଡିପାରୁ ନାହିଁ କୃର ତାଲିବାନ । ବଳ ପୂର୍ବକ ଏବଂ ହିଂସା ମାର୍ଗରେ ଆଫଗାନିସ୍ତାନକୁ ଜିତିବା ପରେ ବିଂଶ ଶତାବ୍ଦୀରେ ମଧ୍ୟ ହିଂସ୍ର ରାଜା ରାଜୁଡା ପରି ଶାସନ ଚଳାଇଛି । ଛୁଆ, ପିଲା, ମହିଳା, ଏପରିକି ଗଣମାଧ୍ୟମ ଯିଏ ବି ଅନ୍ୟାୟର ପ୍ରତିବାଦ କରୁଛି ତା ଉପରେ ଅତ୍ୟାଚାର କରୁଛି ତାଲିବାନ ।
ଏହିପରିପ୍ରେକ୍ଷୀରେ ଆଉ ଏକ ଲୋମହର୍ଷଣକାରୀ ଚିତ୍ର ସାମ୍ନାକୁ ଆସିଛି । ମହିଳା ଏବଂ ସାମ୍ବାଦିକଙ୍କୁ ରାସ୍ତା ଉପରେ ନିର୍ଦ୍ଦୟ ଭାବେ ମାଡ ମାରିଛି ତାଲିବାନ । ସୂଚନା ଅନୁଯାୟୀ ଆଫଗାନିସ୍ତାନରେ ସରକାର ଗଠନ କରିଥିବା ତାଲିବାନ ମହିଳାଙ୍କୁ କୌଣସି ସୁଯୋଗ ଦେଇନାହିଁ । ଫଳରେ ଗତକାଲି(ବୁଧବାର) ଆଫଗାନିସ୍ତାନ ମହିଳାମାନେ ନିଜର ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆମେ ଡରିବୁନି, ଚୁପ୍ ରହିବୁନି । ଆମକୁ ଆମ ଅଧିକାର ଦରକାର ବୋଲି ଦାବି କରିଥିଲେ ମହିଳାମାନେ । ଆଉ ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିବା କେତେକ ସାମ୍ବାଦିକଙ୍କୁ ଗୋରୁ ଗାଈ ପରି ପିଟିଛି ତାଲିବାନ ।
ଅତି ନିଷ୍ଠୁର, ଅମାନବୀୟ ତାଲିବାନୀ ସାମ୍ବାଦିକମାନଙ୍କୁ ମାଡ ମାରି ରକ୍ତାକ୍ତ କରିଥିବା ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଲିବାନୀ ଶାସନର ଅସଲ ଚେହେରା ବିଶ୍ବ ସମ୍ମୁଖକୁ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ