ଟୋକିଓ: କୋରୋନା କାଳରେ ଦାଉ ସାଜୁଛି ପ୍ରକୃତି। ବିଶ୍ବରେ କୋଣ ଅନୁକୋଣରେ ଛାଇ ଯାଇଛି ହା ହା କାର। ଭୂସ୍କଳ, ବନ୍ୟା, ଭୂକମ୍ପରେ ଛାନିଆ ଲୋକେ। ଆସାମରେ ବନ୍ୟା ସ୍ଥିତି ଅସମ୍ଭାଳ ଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ-ପଶ୍ଚିମ ଜାପାନରେ ମଧ୍ୟ ବନ୍ୟା ପରିସ୍ଥିତି। ଏଥିରେ ଏବେ ସୁଦ୍ଧା 7 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ଏହାସହ ଅନେକ ଲୋକ ପାଣି ମାଡି ଆସିବା ଯୋଗୁଁ ନିଖୋଜ ହୋଇଯାଇଛନ୍ତି।
ଜାପାନ ପାଣିପାଗ ବିଭାଗ (ଜେଏମଏ) ଶନିବାର ପୂର୍ବାହ୍ନରେ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଚେତାବନୀ ଦେଇଛି। ପ୍ରଥମ ଥର ପାଇଁ ଏହା ଦୁଇଟି ପର୍ଯ୍ୟାୟରେ ଜାପାନ ପାଇଁ ହାଇ ଆଲର୍ଟ ଜାରି କରିଛି।
ଏଜେନ୍ସି ଅନୁଯାୟୀ, କୁମାମୋଟୋ ଜିଲ୍ଲାର ଆମାକୁସା ଘଣ୍ଟା ପ୍ରତି 98 ମିଲିମିଟର ବୃଷ୍ଟିପାତ ରେକର୍ଡ କରିଛି। ଦୁଇଟି ପ୍ରିଫେକ୍ଟରର ପ୍ରାୟ 203,200 ବାସିନ୍ଦାଙ୍କୁ ଆଶ୍ରୟସ୍ଥଳୀକୁ ନେବାକୁ କୁହାଯାଇଥିଲା। କୁମାମୋଟୋର 17 ଟି ପୌରସଂସ୍ଥାରେ ଅତି କମରେ 871 ଘର ପାଇଁ 109 ଟି ଆଶ୍ରୟସ୍ଥଳ ଖୋଲାଯାଇଥିଲା ।
କୁମାମୋଟୋର କୁମା ନଦୀ କୂଳରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ ଅଗ୍ନିଶମ ବାହିନୀ କର୍ମଚାରୀ ପଠାଇବାକୁ ଜିଲ୍ଲାପାଳ କହିଛନ୍ତି। ଶନିବାର ସକାଳେ ଅନେକ ସ୍ଥାନରେ ବନ୍ୟାପାଣି କୂଳ ଭାଙ୍ଗିଥିବା ବେଳେ ଉଦ୍ଧାରକାରୀମାନେ ସଂଘର୍ଷ କରିଥିଲେ। ଏହାକୁ ନେଇ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସେବା ମଧ୍ୟ ସ୍ଥଗିତ ରଖାଯାଇଛି ବୋଲି କ୍ୟୁସୁ ରେଳ କମ୍ପାନୀ କହିଛି।