କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଚାରିଟି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ଗୋଟିଏ ଅଳିଆଗଦାରେ ବିସ୍ଫୋରଣ ହୋଇଥିବା ବେଳେ ଅନ୍ୟ 3ଟି ରାସ୍ତାକଡରେ ହୋଇଥିବା ଜଣା ପଡିଛି । ଘଟଣାରେ ଜଣେ ଶିଶୁ ସମେତ 4 ଜଣ ଆହତ ହୋଇଛନ୍ତି ।
ସହରର ତାହିଆ ମାସ୍କାନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ନେଇ ଟୋଲୋ ନ୍ୟୁଜ ରିପୋର୍ଟରେ କୁହାଯାଇଛି । ସୋମବାର ସକାଳ 7.45ରୁ 9ଟା ମଧ୍ୟରେ ରାସ୍ତାକଡ଼ରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ଓ ସରକାରୀ ଯାନ ଗୁଡିକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା ବୋଲି ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ରାସ୍ତାକଡରେ ବିସ୍ଫୋରଣ ହୋଇଥିବା ବୋମାଗୁଡିକୁ 10ରୁ 20 ମିଟର ବ୍ୟବଧାନରେ ରଖାଯାଇଥିଲା । ଏନେଇ କାବୁଲ ପୋଲିସର କହିବା କଥା କି ଘଟଣାରେ ଜଣେ 12 ବର୍ଷୀୟ ଝିଅ ଆହତ ହୋଇଛି । ଆହତ ଝିଅ ସମେତ ଅନ୍ୟ 3ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଛାନଭିନ ଜାରି ରହିଛି ।
ଅନ୍ୟପକ୍ଷରେ ରବିବାର ରାତିରେ କାବୁଲର କାହାରାହୀ କାମ୍ବରରେ ଦୁଇଟି ଓ ହୁଟକିଲ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।
ସେପଟେ କାବୁଲ ଉପରେ ତାଲିବାନ ଓ ଇସଲାମିକ ରାଜ୍ୟଗୋଷ୍ଠୀ ନଜର ରଖିଥିବା ସାରା ବିଶ୍ବକୁ ଜଣା । ଯେଉଁମାନେ ବର୍ଷତମାମ କାବୁଲ ଉପରେ ଆକ୍ରମଣ ଲକ୍ଷ୍ୟ ରଖିଥାଆନ୍ତି । ତେବେ ସୋମବାର ଘଟଣା କିଛି ନୂଆ ନୁହେଁ । ଗତ 7 ଦିନ ମଧ୍ୟରେ କାବୁଲରେ ଅନେକ ଛୋଟ ବଡ ଆକ୍ରମଣ ହୋଇଥିବାର ସୂଚନା ରହିଛି । ସେଥିରେ ଦୁଇଟି ଗ୍ରେନେଡ ମାଡ ଘଟଣା ରହିଥିବା ବେଳେ ଏଥିରେ କେହି ମୃତାହତ ହୋଇ ନଥିବା ଜଣା ପଡିଛି ।