କଲମ୍ବୋ: ଆଜିର ଦିନରେ ପୁଣି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇଥିଲେ ପ୍ରଭୁ ଜୀଶୁ ଖ୍ରୀଷ୍ଟ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମନରେ ଏହି ଦିନ ହିଁ ଆସ୍ଥାର ବସା ବାନ୍ଧିଥିଲେ ପ୍ରଭୁ । ଇଷ୍ଟର ଭାବେ ସାରା ବିଶ୍ବରେ ପାଳନ ହେଉଥିବା ଏହି ଦିନକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା । ଗତ ବର୍ଷ ଠିକ ଏହି ଦିନ ଆତଙ୍କୀ ଆକ୍ରମଣରେ ଥରି ଉଠିଥିଲା ଶ୍ରୀଲଙ୍କା । ଯେଉଁଥିରେ ଚାଲିଯାଇଥିଲା 279 ଜୀବନ ।
ତେବେ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ଏହି ଆତଙ୍କୀ ଆକ୍ରମଣକୁ ସାରା ବିଶ୍ବ ନିନ୍ଦା କରିଥିବା ବେଳେ ଏହାର ଦୋଷୀଙ୍କୁ କ୍ଷମା କରିଛି ଶ୍ରୀଲଙ୍କା । ରବିବାର ଏକ ଟିଭି ଚ୍ୟାନେଲ ସହ ସାକ୍ଷାତକାର ଦେଇ କାର୍ଡିନାଲ ମାଲକୋଲମ ରଞ୍ଜିଥ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ସାରା ବିଶ୍ବରେ କୋରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଶ୍ରୀଲଙ୍କା ପ୍ରେମ ଓ ଦୟାର ବାର୍ତ୍ତା ବାଣ୍ଟିବାକୁ ଚାହୁଁଛି ।
ବର୍ତ୍ତମାନ ମାନବ ଜାତିକୁ ଦୟା, କ୍ଷମା ଓ ପ୍ରେମର ଅତି ଆବଶ୍ୟକତା ରହିଛି । ତେଣୁ ସମସ୍ତ ରାଗ ଋଷାକୁ ଛାଡି ଶ୍ରୀଲଙ୍କା ସେହି ଆତ୍ମଘାତୀ ବିସ୍ଫୋରଣକାରୀକୁ କ୍ଷମା କରିଛି । ସୂଚନା ଅନୁଯାୟୀ ଗତବର୍ଷ ଏପ୍ରିଲ 21ରେ ଶ୍ରୀଲଙ୍କାରେ ଇଷ୍ଟର ଦିନ ରୋମାନ କ୍ୟାଥଲିକ ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବା ସମୟରେ ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ । ଯେଉଁଥିରେ ନିମିଷକେ ଚାଲିଯାଇଥିଲା 279 ଜଣଙ୍କ ଜୀବନ ଓ ଆହତ ହୋଇଥିଲେ 593 ଜଣ ।