ଇସଲାମାବାଦ: ପାକିସ୍ତାନରେ କୋରୋନା ସଙ୍କଟ ଥମିବାର ନାମ ନେଉନି । ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାର ପାର କରିଥିବାବେଳେ ସ୍ବାସ୍ଥ୍ୟକର୍ମୀଙ୍କ ସମସ୍ୟା ବଢିବାରେ ଲାଗିଛି । ଦେଶର ଆର୍ଥିକ ସ୍ଥିତି ଆଗରୁ ଦେବାଳିଆ ଥିବାବେଳେ ଏବେ ଲକଡାଉନ ମାଡରେ ପୁରା ଛାରଖାର ହୋଇଯାଇଛି ।
ଯୋଜନା ମନ୍ତ୍ରୀ ଅସଦ ଉମାରଙ୍କ ଅନୁସାରେ ଲକଡାଉନ ଯୋଗୁଁ ପାକ୍ରେ ପ୍ରାୟ 18 ମିଲିୟନ(1 କୋଟି 80 ଲକ୍ଷ) ଲୋକ ଚାକିରୀ ହରାଇପାରନ୍ତି । ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ଡେଭଲମେଣ୍ଟ ଇକୋନୋମିର ଆକଳନ ଅନୁସାରେ ଏହି ତଥ୍ୟ ଦେଇଛନ୍ତି ଅସଦ । ଏହାସହ 20ରୁ 70 ମିଲିୟନ ଲୋକ ଗରିବୀ ହେବାର ମଧ୍ୟ ଆଶଙ୍କା ରହିଛି । ତେବେ ଲକଡାଉନ ଉଠିଲା ପରେ ଲୋକେ ଚାକିରୀ ପାଇଁ ଅନ୍ୟ ଦେଶ ଗସ୍ତ କରିପାରନ୍ତି ବୋଲି ସେ କହିଛନ୍ତି ।
ବର୍ତ୍ତମାନ ମେ 9 ଯାଏଁ ପାକ୍ ସରକାର ଲକଡାଉନ ଘୋଷଣା କରିଛନ୍ତି । ଆଗାମୀ କିଛିଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଉମାର କହିଛନ୍ତି । ସେହିପରି ପାକିସ୍ତାନ କୋରୋନା ଆକ୍ରାନ୍ତଙ୍କ ପାଇଁ ଏବେ ସୁଦ୍ଧା 1400 ଭେଣ୍ଟିଲେଟର ରଖିଥିବା ସେ ସୂଚନା ଦେଇଛନ୍ତି । ଆଗାମୀ 2 ମାସ ମଧ୍ୟରେ ଆଉ 900 ଭେଣ୍ଟିଲେଟର ଆସିବ ବୋଲି ସେ କହିଛନ୍ତି ।