ଦାମାସ୍କସ: ସିରିଆରେ ମିସାଇଲ ଆକ୍ରମଣ । ତୁର୍କୀ ସମର୍ଥିତ ଉତ୍ତର ସିରିଆସ୍ଥିତ ଆଫ୍ରିନ ସହରର ଏକ ହସ୍ପିଟାଲ ଉପରେ ଏହି ମିଶାଇଲ ମାଡ ହୋଇଛି । ଏଥିରେ 13 ଜଣଙ୍କ ମୃତ୍ୟୁ ଘଟିଛି । ଯାହାମଧ୍ୟରେ ଦୁଇ ଜଣ ମେଡିକାଲ କର୍ମୀ ରହିଛନ୍ତି । ଏହି ଅଞ୍ଚଳରେ ସରକାରୀ ସୁରକ୍ଷା କର୍ମୀ ଏବଂ କୁର୍ଦ୍ଦିଶ ବଳ ମୁତୟନ ଥିବା ସତ୍ତ୍ବେ ମଧ୍ୟ କିଏ ଏହି ଆକ୍ରମଣ କରିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।
ତୁର୍କୀ ହତାୟ ପ୍ରଦେଶର ରାଜ୍ୟପାଳ କହିଛନ୍ତି ଯେ ହସ୍ପିଟାଲ ଉପରେ ହୋଇଥିବା ଏହି ଆକ୍ରମଣରେ ରକେଟ୍ ଓ ଆର୍ଟିଲେରିର ବ୍ୟବାହର ହୋଇଛି । ତେବେ ଏହି ଆକ୍ରମଣ ପଛରେ ସିରିଆନ କୁର୍ଦ୍ଦିଶ ଗୋଷ୍ଠୀକୁ ଦୋଷ ଦେଇଛନ୍ତି ସରକାର । ସେପଟେ ଘଟଣାର ତଦନ୍ତ ପାଇଁ SAMS ନିର୍ଦ୍ଦେଶ ଦେଇଛି । SAMS ପକ୍ଷରୁ ପ୍ରତିମାସରେ ଏହି ହସ୍ପିଟାଲର ସର୍ଜରୀ ଓ ମାତୃତ୍ବ ୱାର୍ଡକୁ ହଜାର ହଜାର ମେଡିକାଲ ସେବା ଯୋଗାଇ ଦିଆଯାଇଥାଏ ।
ତୁର୍କୀ ଓ ସିରିଆନ ସୁରକ୍ଷାକର୍ମୀ ଦ୍ବାରା ନିୟନ୍ତ୍ରିତ ଆଫ୍ରିନରୁ 2018 ମସିହାରେ ସାମାରିକ ଅପରେସନ ମାଧ୍ୟମରେ ସ୍ଥାନୀୟ କୁର୍ଦ୍ଦିଶ ବଳ ଏବଂ ହଜାର ହଜାର କୁର୍ଦ୍ଦିଶ ବାସିନ୍ଦାକୁ ବିତାଡିତ କରାଯାଇଥିଲା । ସେବେଠାରୁ ଏହି ଅଞ୍ଚଳରେ ବାରମ୍ବାର ଆକ୍ରମଣ ହୋଇଆସୁଛି । ସୂଚନାଥାଉ କି, ସିରିଆର ବିଭିନ୍ନ ହସ୍ପିଟାଲଗୁଡିକ ଉପରେ 400ରୁ ଅଧିକ ଥର ଆକ୍ରମଣ ହୋଇସାରିଲାଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ