ୱାଶିଂଟନ: ପ୍ରଥମ ଥର କୋରୋନାକୁ ନେଇ ଖାଦ୍ୟପେୟ ଉପରେ ଗୁରୁତ୍ବ ଦେବାକୁ କହିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ପୂର୍ବରୁ କୋଭିଡ 19କୁ ନେଇ ବହୁ ଗାଇଡ ଲାଇନ ଜାରି କରିଥିବାବେଳେ ପ୍ରଥମ ଥର ଖାଦ୍ୟ ଉପରେ ଗାଇଡ ଲାଇନ ଜାରି କରିଛି । ଏହି ନିର୍ଦ୍ଦେଶାବଳୀକୁ ଦୈନନ୍ଦିନ ଜୀବନରେ ଆପଣାଇବାକୁ ପରାମର୍ଶ ଦିଆଯାଇଛି ।
ଡବ୍ଲ୍ୟୁଏଚ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି, ଖାଦ୍ୟ ପ୍ରସ୍ତୁତ ପୂର୍ବରୁ କିମ୍ବା ପରେ ବାରମ୍ବାର ହାତକୁ ଧୋଇବା ଆବଶ୍ୟକ । ପରିବା କିଣି ଆଣିବା ପରେ ସେଗୁଡିକୁ ପରିଷ୍କାର ପାଣିରେ ଧୋଇବା ପରେ ବ୍ୟବହାର କରିବା ଉଚିତ । ଏହା ବ୍ୟତୀତ ଶୌଚ ପରେ ଭଲ ଭାବରେ ହାତ, ଗୋଡ ଧୋଇବା ଆବଶ୍ୟକ ।
ଏପରିକି ପିନ୍ଧିଥିବା ବସ୍ତ୍ର, ବାସନକୁସନ ଆଦିରେ ସୂକ୍ଷ୍ମଜୀବ ରହିଥାନ୍ତି । ଯଦି ଏମାନେ ଖାଦ୍ୟ ସାମଗ୍ରୀ ସଂସ୍ପର୍ଶରେ ଆସେ ତେବେ ରୋଗ ହୋଇପାରେ । କଞ୍ଚା ମାଛ, ମାଂସ କିମ୍ବା ସି-ଫୁଡ ଖାଦ୍ୟ ପଦାର୍ଥକୁ ରନ୍ଧା ଖାଦ୍ୟ ଠାରୁ ଦୂରେଇ ରଖନ୍ତୁ । କଞ୍ଚା ମାଂସକୁ କାଟିବା ପାଇଁ ଅଲଗା ଛୁରୀ ଓ ପାତ୍ରର ବ୍ୟବହାର କରନ୍ତୁ । ଏହା ସହ ରନ୍ଧା ଖାଦ୍ୟ ଯେପରି କୌଣସି କଞ୍ଚା ମାଂସ କିମ୍ବା ଖାଦ୍ୟ ପଦାର୍ଥ ସଂସ୍ପର୍ଶରେ ନ ଆସେ ।
କଞ୍ଚା ଖାଦ୍ୟ ବିଶେଷ କରି ମାଂସ, ଅଣ୍ଡା କିମ୍ବା ସି-ଫୁଡ ଆଦି ମଣିଷ ଶରୀର ପାଇଁ ସୂକ୍ଷ୍ମଜୀବ ଥାଇପାରନ୍ତି । ଯାହା ସିଧାସଳଖ ଆପଣଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିପାରେ । ଖାଦ୍ୟକୁ ଭଲ ଭାବରେ ରାନ୍ଧନ୍ତୁ, ବିଶେଷ କରି ମାଂସ, ଅଣ୍ଡା, ସି-ଫୁଡ ଖାଦ୍ୟ । ସେମାନଙ୍କୁ 70 ° C ରେ ଫୁଟାନ୍ତୁ ଏବଂ ଭଲ ରାନ୍ଧନ୍ତୁ । ତେବେ ସୁପ କରୁଥିଲେ ବିଶେଷ ଧ୍ୟାନ ରଖନ୍ତି ଯେମିତି ଏହାର ରଙ୍ଗ ଗୋଲାପୀ ନ ଦିଶେ । ଖାଦ୍ୟକୁ ଖାଇବା ପୂର୍ବରୁ ପୁଣି ଥରେ ଗରମ କରନ୍ତୁ । କାରଣ 70 ° C ରେ ଫୁଟାଇବା ଦ୍ବାରା ସମସ୍ତ ଜୀବାଣୁ ନଷ୍ଟ ହୋଇଥାଏ ।
ରନ୍ଧା ଖାଦ୍ୟକୁ ରୁମ୍ ତାପମାତ୍ରାରେ 2 ଘଣ୍ଟାରୁ ଅଧିକ ସମୟ ଛାଡନ୍ତୁ ନାହିଁ । ରନ୍ଧା ଖାଦ୍ୟକୁ ଉପଯୁକ୍ତ ତାପମାତ୍ରାରେ ଫ୍ରିଜରେ ରଖନ୍ତୁ । ଖାଦ୍ୟ ପରଷିବା ପୂର୍ବରୁ ଏହାକୁ ଅତି କମରେ 60 ° C ତାପମାତ୍ରାରେ ଭଲ ଭାବରେ ଗରମ କରନ୍ତୁ । ତେବେ ଖାଦ୍ୟକୁ ଅଧିକ ସମୟ ଧରି ଫ୍ରିଜରେ ରଖନ୍ତୁ ନାହିଁ । କାରଣ ରୁମ ତାପମାତ୍ରାରେ ସୂକ୍ଷ୍ମଜୀବ ଦ୍ରୁତ ଗତିରେ ବଢିଥାନ୍ତି । 5 ଡିଗ୍ରୀରୁ 60 ଡିଗ୍ରୀରୁ ଅଧିକ ଏହି ସୂକ୍ଷଜୀବ ବଢିବା ବନ୍ଦ କରି ଦିଅନ୍ତି । ତେବେ କେତେକ ଜୀବାଣୁ 5 ଡିଗ୍ରୀରୁ କମ ରେ ସକ୍ରିୟ ଥିବା ନଜର ରହିଛି ।
ଡବ୍ଲ୍ୟୁଏଚଓ ପିଇବା ପାଇଁ ଉପରେ ମଧ୍ୟ ବିଶେଷ ଗୁରୁତ୍ବରୋପ କରିଛି । ପିଇବା ଓ ରାନ୍ଧିବା ପାଇଁ ସର୍ବଦା ବିଶୁଦ୍ଧ ଜଳ ବ୍ୟବହାର କରନ୍ତୁ । ଯଦି ସମ୍ଭବ,ପାଣି ଫୁଟାଇ ପିଅନ୍ତୁ। ପନିପରିବା ଏବଂ ଫଳକୁ ରୋଷେଇ କିମ୍ବା ଖାଇବା ପୂର୍ବରୁ ଭଲ ଭାବରେ ଧୋଇବାକୁ ପଡିବ । ସତେଜ ଓ ପୁଷ୍ଟିକର ଖାଦ୍ୟ ନିଅନ୍ତୁ ।
କଞ୍ଚାଫଳ, ବରଫ ଓ ପାଣିରେ ବିପଜ୍ଜନକ ସୂକ୍ଷ୍ମଜୀବ ରହିପାରନ୍ତି । ଯାହା ଆମ ଶରୀରରେ ପ୍ରବେଶ କରି ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ସେହିଭଳି ବାସି ଖାଦ୍ୟ ଶରୀରରେ ବିଷାକ୍ତ ରସାୟନ ସୃଷ୍ଟି କରିଥାଏ । ତେଣୁ ଖାଦ୍ୟକୁ ରୋଷେଇ ପୂର୍ବରୁ ଧୋଇ, ପରିଷ୍କାର କରିବା ଉଚିତ ।