ୱାଶିଂଟନ: ଆମେରିକାରେ କୃଷ୍ଣକାୟ ବିବାଦ ତୀବ୍ର ରୂପ ନେଇଛି । ଜଣେ କୃଷ୍ଣକାୟ ବ୍ୟକ୍ତି ଫ୍ଲୋୟେଡଙ୍କ ପୋଲିସର ଅତ୍ୟାଚାରରେ ମୃତ୍ୟୁ ହେବା ପରେ ଲୋକେ ବିପୁଳ ସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭ, ବିରୋଧ କରିବା ସହ ହଜାର ହଜାର ଲୋକ ଧାରଣାରେ ବସିଛନ୍ତି । ତେବେ ଏମାନଙ୍କ ସମ୍ପର୍କରେ ଖବର ସଂଗ୍ରହ କରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି ଅନେକ ସାମ୍ବାଦିକ ।
ରିପୋର୍ଟ ଅନୁସାରେ ଆମେରିକାର ବିଭିନ୍ନ ସହରରେ ଏହି ଆନ୍ଦୋଳନ ଚାଲିଥିବାବେଳେ ସାମ୍ବାଦିକମାନେ ଏହା ଉପରେ ଖବର ସଂଗ୍ରହ କରୁଛନ୍ତି । ହେଲେ ଏହି ସମୟରେ ସେମାନଙ୍କୁ ପୋଲିସ ମାଡର ଶିକାର ହେବାକୁ ପଡିଛି । ପ୍ରାୟ 12ରୁ ଅଧିକ ସାମ୍ବାଦିକଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିବା ଅଭିଯୋଗ ହୋଇଛି । କିଛି ସାମ୍ବାଦିକ ସେମାନଙ୍କ ଉପରକୁ ଗୁଳି ଚଳାଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଗତ 4 ଦିନ ଧରି ଏମାନେ ଖବର ସଂଗ୍ରହ କରୁଥିବାବେଳେ ଆକ୍ରମଣର ଶିକାର ହୋଇଥିବା କହିଛନ୍ତି । ସାମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରାୟ 100ରୁ ଅଧିକ ରିପୋର୍ଟ ଥିବା ଅଭିଯୋଗ ହୋଇଛି ।
ସେହିପରି ବିକ୍ଷୋଭକାରୀ ଲୋକଙ୍କୁ ଘଉଡାଇବାକୁ ପୋଲିସ ରବର ପେଲେଟ୍ ବ୍ୟବହାର କରୁଛି । ହେଲେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଏହାର ଶିକାର ହେବାକୁ ପଡୁଛି । କେବଳ ପୋଲିସ ନୁହେଁ ଅନେକ ରିପୋର୍ଟର ଓ କ୍ୟାମେରାମ୍ୟାନଙ୍କୁ ଆନ୍ଦୋଳନକାରୀ ମଧ୍ୟ ଆକ୍ରମଣ କରୁଛନ୍ତି । ସେମାନଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ଆମେରିକାରେ ସାମ୍ବାଦିକଙ୍କ ଉପରେ ଏପରି ଲଗାତାର ଆକ୍ରମଣ କେବେ ଦେଖିବାକୁ ମିଳିନଥିଲା ବୋଲି ୱାଲ୍ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ମନ୍ତବ୍ୟ ଦିଆଯାଇଛି ।
ପ୍ରକାଶ ଥାଉ କି ନିକଟରେ ଜଣେ ଆଫ୍ରିକୀୟ-ଆମେରିକୀୟ ଲୋକ ଜର୍ଜ ଫ୍ଲେୟଡର ବେକରେ ନିଜ ଆଣ୍ଠୁ ରଖି ତାହାର ମୁହଁକୁ ମାଟିରେ 8 ମିନିଟ୍ ଯାଏଁ ପୋତି ରଖିଥିଲେ ଜଣେ ପୋଲିସ ଅଫିସର । କୌଣସି ଏକ ଘଟଣାରେ ଫ୍ଲେୟଡକୁ ଗିରଫ କରିଥିଲେ 4 ଜଣ ପୋଲିସ ଅଫିସର । ଏହାପରେ ତାଙ୍କ ଉପରେ ଅତ୍ୟାଚାର କରିଥିଲେ । ତେବେ ହସ୍ପିଟାଲରେ ଫ୍ଲେୟଡର ମୃତ୍ୟୁ ହେବା ପରେ ଆମେରିକାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଲୋକ ବିପୁଳ ସଂଖ୍ୟାରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ 4 ଜଣ ଅଫିସରଙ୍କୁ ବହିଷ୍କାର କରାଯାଇଛି ବୋଲି ସୂଚନା ରହିଛି ।