ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଙ୍କଟ ଏବେ ବଢିଛି । ତାଙ୍କ ବିରୋଧରେ ଏବେ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ଜାରି ରଖିବା ଲାଗି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଆମେରିକା ଜାତୀୟ ସଂସଦ କଂଗ୍ରେସର ନିମ୍ନ ସଦନ ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି ଏନେଇ ଅନୁମତି ପ୍ରଦାନ କରିଛନ୍ତି । ମହାଭିଯୋଗ ମାମଲା ଆଗକୁ ବଢିବ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଏହାର ସମ୍ମୁଖୀନ ହେବେ ବୋଲି ସେ ଜଣାଇ ଦେଇଛନ୍ତି ।
ଏହା ସହିତ ନାନ୍ସି ପେଲୋସି କହିଛନ୍ତି, ଆମ ଗଣତନ୍ତ୍ର ବାଜିରେ ଲାଗିଛି । ରାଷ୍ଟ୍ରପତି ଆମ ପାଇଁ ଅନ୍ୟ କୌଣସି ବିକଳ୍ପ ଛାଡି ନାହାଁନ୍ତି, କାର୍ଯ୍ୟାନୁଷ୍ଠାନ ନେବାଛଡା ଆମ ପାଖରେ ଆଉ କିଛି ରାସ୍ତା ନାହିଁ । ରାଷ୍ଟ୍ରପତିଙ୍କ ପଦକ୍ଷେପ ସମ୍ବିଧାନର ଉଲ୍ଲଂଘନ କରିଛି । ବୁଧବାର ହିଁ ଡେମୋକ୍ରେଟିକ ପାର୍ଟିର ସଂଖ୍ୟାଗରିଷ୍ଠତା ଥିବା କଂଗ୍ରେସର ନିମ୍ନ ସଦନ ପ୍ରତିନିଧି ସଭା ଟ୍ରମ୍ପଙ୍କ ବିରୋଧରେ ଚାଲିଥିବା ମହାଭିଯୋଗର ପ୍ରାଥମିକ ତଦନ୍ତ ରିପୋର୍ଟ ଜାରି କରିଥିଲା । ଏଥିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଜଡିତ ଅଛନ୍ତି । ବ୍ୟକ୍ତିଗତ ଏବଂ ରାଜନୈତିକ ଲାଭ ପାଇଁ ଟ୍ରମ୍ପ ରାଷ୍ଟ୍ର ହିତ ସହ ସାଲିସ କରିଥିବା ରିପୋର୍ଟରେ ଦର୍ଶାଯାଇଛି ।
ସେପଟେ ରାଷ୍ଟ୍ରପତି ଟ୍ରମ୍ପ ଟ୍ବିଟ କରି ନିଜ ପ୍ରତିଦ୍ବନ୍ଦୀ ସମେତ ଡେମୋକ୍ରେଟିକ ପାର୍ଟି ଉପରେ ବର୍ଷିଛନ୍ତି । ମହାଭିଯୋଗ ବିରୋଧରେ ଚାଲିଥିବା ଲଢେଇରେ ତାଙ୍କର ବିଜୟ ହେବ ଏବଂ ଡେମୋକ୍ରାଟଙ୍କୁ ଉଚିତ ଶିକ୍ଷା ମିଳିବ ବୋଲି ସେ କହିଛନ୍ତି ।