ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ 18ଲକ୍ଷ 27 ହଜାର 206ଟି କୋରୋନା ପଜିଟିଭ ମାମଲା ରହିଥିବା ବେଳେ 1ଲକ୍ଷ 6 ହଜାର 28ଜଣଙ୍କର ମୃତ୍ୟୁ ଘଟିଛି । ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ତଥ୍ୟ ଆଧାରରେ ଏହା ଜଣାପଡିଛି । ତେବେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ବିରୋଧ କରି ହୋଇଥିବା ବିକ୍ଷୋଭ ଫଳରେ ଗତ ମଙ୍ଗଳବାର ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି ।
ତଥ୍ୟ ଅନୁସାରେ ମଙ୍ଗଳବାର 15 ହଜାର 8ଶହ 46 ନୂତନ କୋରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଥିବା ବେଳେ 863 ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ବିରୋଧ ଜାରି ରହିଛି । ସେଥିପାଇଁ ଲସ୍ ଆଞ୍ଜେଲସ୍ କାଉଣ୍ଟି, ସାଣ୍ଟା ମୋନିକା, ବେଭେରଲି ହିଲ୍ସ, ସାନ୍ ଫ୍ରାନ୍ସିସ୍କୋ, ଓକଲ୍ୟାଣ୍ଡ, ନ୍ୟୁୟର୍କ ସିଟି ଓ କ୍ଲିଭଲ୍ୟାଣ୍ଡ ସମେତ ଅନେକ ସହରରେ କର୍ଫ୍ୟୁ ଜାରି କରାଯାଇଛି ।
ଦେଶର ପୋଲିସ, ଆଇନ ଓ ପ୍ରବର୍ତ୍ତନ ଏଜେନ୍ସି ବିରୋଧରେ ଚାଲିଥିବା ସାମୂହିକ ବିକ୍ଷୋଭ ପାଇଁ କୋରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଆମେରିକାର ସ୍ବାସ୍ଥ୍ୟ ଅଧିକାରୀମାନେ ଚିନ୍ତିତ ରହିଥିବା ୱାଶିଂଟନ ପୋଷ୍ଟ ପ୍ରକାଶ କରିଛି ।
ଚଳିତ ବର୍ଷର ଶେଷ ସୁଦ୍ଧା ଆମେରିକାରେ 100 ମିଲିୟନ ଡୋଜର କୋରୋନା ଭୂତାଣୁ ଟିକା ରହିବା ଉଚିତ ବୋଲି ହ୍ବାଇଟ ହାଉସ କୋରୋନା ଭୂତାଣୁ ଟାସ୍କଫୋର୍ସର ସଦସ୍ୟ ଡ. ଆନ୍ଥୋନୀ ଫାଉସି କହିଛନ୍ତି । ସେହିପରି 2021 ପ୍ରାରମ୍ଭରେ ଦୁଇ ଶହ ମିଲିୟନ ଡୋଜ ଟିକା ଉତ୍ପାଦନ କରିବାକୁ ଆଶା କରୁଥିବା ପ୍ରକାଶ କରିଛନ୍ତି ।
@ANI