ଓ୍ବାଶିଂଟନ: କୌଣସି ସ୍ଥାନରେ ଶିକ୍ଷାଦାନରେ ଅସମାନତା ଶିକ୍ଷା ସଙ୍କଟ ଠିଆ କରିଥାଏ । ପୁଣି କୋରୋନା କାଳରେ ସମଗ୍ର ବିଶ୍ବରେ ଦିନକୁ ଦିନ ଶିକ୍ଷା ସଙ୍କଟ ଉତ୍କଟ ହେବାରେ ଲାଗିଲାଣି । କୋରୋନା ପାଇଁ ପ୍ରାୟ 1.2 ବିଲିଅନ ପିଲା ଏବେ ଶିକ୍ଷା ଗ୍ରହଣ ଠାରୁ ଦୂରେଇ ରହିଛନ୍ତି । ଏହି ମହାମାରୀ ସମୟରେ ଅନଲାଇନ ଶିକ୍ଷା ପ୍ରଦାନ ପାଇଁ ଆବଶ୍ୟକୀୟ ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟାର ଅଭାବ ସମଗ୍ର ବିଶ୍ବରେ ଶିକ୍ଷା ସଙ୍କଟ ବଢାଇ ଦେଇଛି । ୟୁନିସେଫ୍ ଏକ ରିପୋର୍ଟରେ ଏହା ପ୍ରକାଶ କରିବା ସହିତ ଏନେଇ ଉଦବେଗ ପ୍ରକାଶ କରିଛି ।
କୋରୋନା ସଂକ୍ରମଣ ପାଇଁ ଏବେ ଚାରିଆଡେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପଟେ ଛାତ୍ର ଜୀବନରେ ଶିକ୍ଷାଲାଭ ଜରୁରୀ ହୋଇଥିବାରୁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ପାଇଁ ଅଣ୍ଟାଭିଡିଛି ବିଶ୍ବ । ତେବେ ବିଶ୍ବର କୋଣ ଅନୁକୋଣରେ ଇଣ୍ଟରନେଟ୍ ମାଧ୍ୟମରେ ଶିକ୍ଷାଦାନ ଏତେଟା ସହଜ ନୁହେଁ । ଏହା ପାଇଁ ଆବଶ୍ୟକୀୟ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣ ମଧ୍ୟ ଉପଲବ୍ଧ ହେବା ଜରୁରୀ ବୋଲି କହିଛନ୍ତି ୟୁନିସେଫ ଶିକ୍ଷା ମହାନିର୍ଦ୍ଦେଶକ ରବର୍ଟ ଜେନକିନ୍ସ ।
ସେ ପୁଣି କହିଛନ୍ତି, ଉଭୟ ବିଦ୍ୟାଳୟ ଏବଂ ପିଲାଙ୍କ ପାଇଁ ଇଣ୍ଟରନେଟ ବର୍ତ୍ତମାନ ସମୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଟେ ଏବଂ ଏଥି ପାଇଁ ଆବଶ୍ୟକୀୟ ଉପକରଣ ଉପଲବ୍ଧ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ କୋରୋନା ପୂର୍ବରୁ ମଧ୍ୟ ସମଗ୍ର ବିଶ୍ବରେ ଶିକ୍ଷାଦାନ ପ୍ରକ୍ରିୟାକୁ ଦେଖିଲେ ଦୁର୍ଗମ ଏବଂ ସୁଦୂର ସ୍ଥାନରେ ଏହା ପହଞ୍ଚି ପାରୁନଥିଲା । ଏପଟେ କୋରୋନା କାଳରେ କେବଳ ଇଣ୍ଟରନେଟ ମାଧ୍ୟମରେ ପିଲାକୁ ପାଠ ପଢାଇବା ସେପରି ସମ୍ଭବ ହୋଇପାରୁନାହିଁ । ଫଳରେ ଶିକ୍ଷାଦାନରେ ଦେଖାଯାଉଛି ଅସମାନତା ଏବଂ ଗୁରୁତର ଶିକ୍ଷା ସଙ୍କଟ ଏବେ ଦଣ୍ଡାୟମାନ ।
ଏପଟେ ୟୁନିସେଫ୍ ତଥ୍ୟ କହୁଛି, ବିଶ୍ବର 71ଟି ଦେଶର ଅଧାରୁ କମ ଜନସଂଖ୍ୟା ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ତେବେ ବିଡମ୍ବନାର ବିଷୟ ହେଉଛି 127ଟି ଦେଶରେ ଅନଲାଇନ ପ୍ଲାଟଫର୍ମରେ ଶିକ୍ଷାଦାନ ଚାଲିଛି । ତେବେ ଏହା କେବଳ ତିନି-ଚତୁର୍ଥାଂଶ ଭାବେ ହେଉଛି। କାରଣ ଏହି ସମୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି ।
ସେହିଭଳି ଆଉ ଏକ ଗୁରୁତ୍ବପୂର୍ଣ୍ଣ ରିପୋର୍ଟରେ କୁହାଯାଇଛି, 4ଟି ସରକାରଙ୍କ ମଧ୍ୟରୁ ତିନିଜଣ ଟେଲିଭିଜନକୁ ଶିକ୍ଷାଦାନର ମୁଖ୍ୟ ଚ୍ୟାନେଲ ଭାବରେ ବ୍ୟବହାର କରୁଛନ୍ତି । ତେବେ 88ଟି ଦେଶ ମଧ୍ୟରୁ 40ଟି ଦେଶର ସହରାଞ୍ଚଳରେ ରହୁଥିବା ପିଲାମାନଙ୍କୁ ଗ୍ରାମାଞ୍ଚଳ ପିଲାଙ୍କ ତୁଳନାରେ ଦୁଇଗୁଣ ଅଧିକ ଟିଭି ଦେଖିବାର ସୁଯୋଗ ମିଳୁଛି । ଏପଟେ ଆଉ ଗୋଟିଏ ତଥ୍ୟରେ କୁହାଯାଇଛି କି, ଅନଲାଇନ ଶିକ୍ଷାଦାନରେ ସବୁଠୁ ଅଧିକ ପ୍ରତିବନ୍ଧକ ସୃଷ୍ଟି କରୁଛି ବିଦ୍ୟୁତ । କାରଣ 28ଟି ଦେଶରେ, 65 ପ୍ରତିଶତ ଗରିବ ଶ୍ରେଣୀ ଲୋକଙ୍କ ଘରେ ବିଦ୍ୟୁତ ସୁବିଧା ରହିଛି ଏବଂ ଧନୀ ଶ୍ରେଣୀର ଦେଶରେ 98 ପ୍ରତିଶତ ଲୋକଙ୍କ ଘରେ ବିଦ୍ୟୁତ ସୁବିଧା ଅଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ