ଓ୍ବାଶିଂଟନ: ୟୁକ୍ରେନର ଦୁଇଟି ପ୍ରମୁଖ ଅଞ୍ଚଳକୁ ପୃଥକ ଦେଶ ଭାବରେ ସ୍ୱୀକୃତି ଦେବା ପାଇଁ ଋଷର ପଦକ୍ଷେପକୁ ନେଇ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା ସମେତ ବିଶ୍ବର ସମସ୍ତ ଦେଶ ଓ ସଙ୍ଗଠନ ଋଷ ବିରୋଧରେ ବାହାରିଛନ୍ତି । ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ରାତାରାତି ରୁଷ ସାମରିକ ଯାନଗୁଡ଼ିକ ୟୁକ୍ରେନ୍ର ପୂର୍ବାଞ୍ଚଳରେ ପ୍ରବେଶ କରିଛି ଏବଂ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସାମରିକ ଘାଟି ପ୍ରସ୍ତୁତି ଆରମ୍ଭ କରିଦେଇଛି । ୟୁକ୍ରେନ ସଙ୍କଟ ମଧ୍ୟରେ ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ର, ସଂଘ, ଜର୍ମାନୀ ଓ କାନାଡା ଭଳି ଦେଶ ଏକାଠି ହୋଇଛନ୍ତି ।
ଏହିକ୍ରମରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ ଗତକାଲି(ମଙ୍ଗଳବାର) ଋଷିୟ ଗ୍ୟାସ ପାଇଁ ପାଇପଲାଇନ ପ୍ରକଳ୍ପରେ ରୋକ ଲଗାଇ ଦେଇଛନ୍ତି । ନର୍ଡ ଷ୍ଟ୍ରିମ-୨ଗ୍ୟାସ୍ ପାଇପଲାଇନର ସାର୍ଟିଫିକେସନ ପ୍ରୋସେସକୁ ତାଙ୍କ ଦେଶ ରୋକି ଦେଇଥିବା ସ୍କୋଲଜ୍ ବର୍ଲିନରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ବ୍ରିଟେନ୍ ବିଭିନ୍ନ ରୁଷୀୟ ବ୍ୟାଙ୍କ୍ଗୁଡ଼ିକ ଉପରେ କଟକଣା ଲଗାଇଥିବା ବେଳେ ଆଇଟି, ଫାର୍ମାସ୍ୟୁଟିକାଲ ଓ ଅନ୍ୟ କ୍ଷେତ୍ରରେ କଟକଣା ପାଇଁ ପ୍ରସ୍ତୁତ ହେଉଛି ।
ହ୍ୱାଇଟ ହାଉସରୁ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ବାଇଡେନ କହିଛନ୍ତି, ୟୁକ୍ରେନ ଉପରେ ରୁଷ ଆକ୍ରମଣ କରୁଥିବା ଘଟଣାରେ ଆମର କୌଣସି ସନ୍ଦେହ ନାହିଁ । ଆଗକୁ ଆମେ ଯେଉଁ ସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛୁ, ସେ ସମ୍ପର୍କରେ ଆମେ ସ୍ପଷ୍ଟ ଭାବେ ଅବଗତ ରହିଛୁ । ରୁଷ ନେଇ ଥିବା ଋଣ ଉପରେ ଗତକାଲି କଟକଣା ଜାରି କରିଛନ୍ତି ବାଇଡେନ । ସେ କହିଛନ୍ତି ପାଶ୍ଚାତ୍ୟ ଅର୍ଥ ଯୋଗାଣରୁ ଆମେ ରୁଷ ସରକାରଙ୍କୁ ବିଚ୍ଛିନ୍ନ କରିଛୁ । ଫଳରେ ରୁଷ ଆଉ ପାଶ୍ଚାତ୍ୟ ରାଷ୍ଟ୍ରରୁ ଅର୍ଥ ଯୋଗାଡ଼ କରିପାରିବ ନାହିଁ କିମ୍ବା ଆମ ବଜାର ବା ୟୁରୋପୀୟ ବଜାରରେ ନୂଆ ଋଣ ନେଇ ବ୍ୟବସାୟ କରିପାରିବ ନାହିଁ ।
ତେବେ ୟୁକ୍ରେନ ବିରୁଦ୍ଧରେ ଋଷର ଏପରି ଘୃଣ୍ୟ କାର୍ଯ୍ୟକଳାପକୁ ନେଇ ରୁଷ ଉପରେ ସମସ୍ତ କଟକଣା ଲାଗୁ କରାଯିବ ବୋଲି ଆଜି(ବୁଧବାର) ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଘୋଷଣା କରିଛନ୍ତି । କିସିଦା କହିଛନ୍ତି ଯେ ଜାପାନ ଭିସା ପ୍ରଦାନକୁ ସ୍ଥଗିତ କରାଯିବ ଏବଂ ତାହାସହ ଲୁହାନସ୍କକୁ ଆମଦାନୀ ତଥା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରୁଷର କାର୍ଯ୍ୟକଳାପ ୟୁକ୍ରେନର ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଏବଂ ଆନ୍ତର୍ଜାତୀୟ ନିୟମକୁ ସ୍ପଷ୍ଟ ଭାବରେ ଉଲ୍ଲଂଘନ କରିଛି ।
ୟୁରୋପୀୟ ସଂଘ ମଧ୍ୟ ରୁଷର ସମସ୍ତ ପ୍ରମୁଖ ବ୍ୟାଙ୍କ କାରବାରକୁ ଠପ କରିଦେବା ପାଇଁ ନିଷ୍ପତ୍ତି ନେଇଛି । ଏ ବାବଦରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଏହାକୁ ୨୭ଟି ରାଷ୍ଟ୍ର ଖୁବ୍ଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ଜଣାପଡ଼ିଛି । ସେହିଭଳି ଇଷ୍ଟୋନିଆର ପ୍ରଧାନ ମନ୍ତ୍ରୀ କାଜା କାଲାସ ମଧ୍ୟ ଋଷର ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ଓ ଏହାକୁ ୟୁକ୍ରେନର ଅଖଣ୍ଡତାର ଉଲ୍ଲଂଘନ ବୋଲି କହିଛନ୍ତି । ସେପଟେ ସ୍ଥିତ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।