ନ୍ୟୁୟର୍କ: ହଂକଂ ସ୍ବାୟତ୍ତତା ଆଇନ ଉପରେ ହସ୍ତାକ୍ଷାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହଂକଂବାସୀଙ୍କ ଉପରେ ଚୀନର ଅତ୍ୟାଚାର ଓ ଦମନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକାରେ ପ୍ରଣୟନ ହୋଇଥିବା ଏହି ଆଇନ ଏବଂ କାର୍ଯ୍ୟନିର୍ବାହୀ ଆଦେଶ ଉପରେ ହସ୍ତାକ୍ଷର କରି ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ମଙ୍ଗଳବାର ଗଣମାଧ୍ୟମକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ହଂକଂବାସୀଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ ଚୀନକୁ ଉତ୍ତରଦାୟୀ କରିବା ସହ ଏହି ଆଇନ ଏବଂ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ବାକ୍ଷର କରିଛି । ତେବେ ଏହି ଆଇନକୁ ଟ୍ରମ୍ପଙ୍କ ମଞ୍ଜୁରୀ ପ୍ରଦାନ ପରେ ଚୀନକୁ ମିଳୁଥିବା ବାଣିଜ୍ୟ ସହୟତା ଉପରେ ମଧ୍ୟ ପ୍ରତିବନ୍ଧକ ଲଗିଛି ।
ଏହି ଅଧିନିୟମ ହଂକଂର ସ୍ବାୟତ୍ତତାର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ବିଦେଶୀ ବ୍ୟକ୍ତି ଓ ବ୍ୟାଙ୍କ୍ ବିରୋଧରେ ପ୍ରତିବନ୍ଧକ କାର୍ଯ୍ୟାନୁଷ୍ଠାନ ନେବାରେ ଟ୍ରମ୍ପ ପ୍ରଶାସନକୁ ଶକ୍ତି ପ୍ରଦାନ କରିବ । ହଂକଂ ସୁରକ୍ଷା ଆଇନ ଲାଗୁ ହେବାର ପାଖାପାଖି ଦୁଇ ସପ୍ତାହ ପରେ ଟ୍ରମ୍ପ ଏହି ଅଧିନିୟମ ଉପରେ ହସ୍ତାକ୍ଷର କରିଛନ୍ତି ।